ରାଉରକେଲା/ବିଶ୍ରା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସକ୍ରିୟ ନକ୍ସଲଙ୍କ ଟାର୍ଗେଟରେ ରହି ଆସିଛନ୍ତି ସିଆର୍ପିଏଫ୍ ଯବାନ। ହେଲେ ଅନେକ ସମୟରେ ଯବାନମାନଙ୍କୁ କ୍ଷତି ପହଞ୍ଚାଇବାକୁ ନକ୍ସଲମାନେ କରୁଥିବା ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଗ୍ରାମବାସୀ। ମଙ୍ଗଳବାର ସଂଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରୁ ୪୦ କିମି ଦୂର ଝାଡ଼ଖଣ୍ଡ ଗୋଏଲକେରା ଥାନା ଅନ୍ତର୍ଗତ ବୋଇପାଇ ଜଙ୍ଗଲ ରାସ୍ତାରେ ଏଭଳି ଘଟଣା ଘଟିଛି। ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଦିନ ମଜୁରିଆ ଗୁରୁତର ହୋଇଛନ୍ତି। ଅନ୍ୟ ତିନି ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆହତ ଜଣକ ହେଲେ ବେରାଇବିର ଗାଁ’ର ମଧୁ ତାଇସୁନ (୩୫)। ତାଙ୍କୁ ପ୍ରଥମେ ସିଆର୍ପିଏଫ୍ କ୍ୟାମ୍ପସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନୁଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି। ସିଆର୍ପିଏଫ୍ ୬୦ ବଟାଲିୟର ସହକାରୀ କମାଣ୍ଡାଣ୍ଟ ସୁନୀଲ ଖତ୍ରୀ ହସ୍ପିଟାଲରେ ପହଞ୍ଚି ଗୁରୁତର ମଧୁଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ଘଟଣା ପରେ ସିଆର୍ଏଫ୍ ଯବାନ ଓ ସ୍ଥାନୀୟ ପୁଲିସ ମିଳିତଭାବେ ବୋଇପାଇ ଜଙ୍ଗଲ ରାସ୍ତାରେ ସର୍ଚ୍ଚ ଜାରି ରଖିଛନ୍ତି। ମିଳିଥିବା ସୂଚନା ମୁତାବକ ଦିନ ମଜୁରିଆ ମଧୁ ତାଇସୁନ ଗାଁର ଅନ୍ୟ ତିନି ଜଣଙ୍କ ସହ ମଙ୍ଗଳବାର ଅପରାହ୍ନରେ ବୁରୁଡୁଗା ଓ ବୋଇପାଇ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ସଂଧ୍ୟାରେ ଜାଳେଣି ସଂଗ୍ରହ କରି ସାଇକଲରେ ଗାଁକୁ ଫେରୁଥିଲେ। ଜଙ୍ଗଲରୁ କିଛି ବାଟ ଯିବା ପରେ ରାସ୍ତା ପାର୍ଶ୍ବରେ ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ମଧୁ ଲହୁଲୁହାଣ ହୋଇ ତଳେ ପଡିଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ଜୀବନ ବଞ୍ଚାଇବା ଭୟରେ ଅନ୍ୟ ତିନିଜଣ ମଧୁଙ୍କୁ ଗୁରୁତର ଅବସ୍ଥାରେ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସୂଚନା ପାଇ ସିଆର୍ପିଏଫ୍ ଯବାନ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମଧୁଙ୍କୁ କ୍ୟାମ୍ପ ହସ୍ପିଟାଲକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଉଲ୍ଲେଖଯୋଗ୍ୟ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଓଡ଼ିଶା ପାର୍ଶ୍ବରେ ନକ୍ସଲଙ୍କ କାର୍ଯ୍ୟକଳାପ ଥମି ଯାଇଥିଲାବେଳେ ଝାଡ଼ଖଣ୍ଡ ପଟେ ଜାରି ରହିଛି। ନକ୍ସଲ ନେତା ମିସ୍ରି ବେଶ୍ରା ଓ ତାଙ୍କ ସହଯୋଗୀ ସୀମାନ୍ତରେ ନିଜ ଉପସ୍ଥିତି ଜାହରି କରିବାକୁ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଉଛନ୍ତି। ସୀମାନ୍ତ କୋହ୍ଲାଣ ଜଙ୍ଗଲରେ ଯବାନମାନଙ୍କ ସର୍ଚ୍ଚ ଅପରେସନ୍ ଭଣ୍ଡୁର କରିବାକୁ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରୁଛନ୍ତି। କେତେବେଳେ ଯବାନ ତ କେତେବେଳେ ସ୍ଥାନୀୟ ଲୋକେ ଏହାର ଶିକାର ହେଉଛନ୍ତି।