ଆଇଇଏସ୍‌ ପରୀକ୍ଷା: ଓଡ଼ିଶାର ଅଂଶୁମାନ ଦେଶରେ ଟପର୍‌

ଭୁବନେଶ୍ବର : ୟୁନିୟନ୍‌ ପବ୍ଲିକ ସର୍ଭିସ୍‌ କମିସନ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ଭାରତୀୟ ଅର୍ଥନୀତି ସେବା (ଆଇଇଏସ୍‌) ପରୀକ୍ଷାରେ ଓଡ଼ିଶାର ଅଂଶୁମାନ କାମିଲା ସାରା ଦେଶରେ ଟପର୍‌ ହୋଇଛନ୍ତି। ୩୧ ଜଣ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ସେ ଏଭଳି ବିରଳ ସଫଳତା ହାସଲ କରିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟ ମହାଡାକପାଳ ତଥା ବର୍ତମାନ ପୋଷ୍ଟାଲ ସର୍ଭିସେସ୍‌ ବୋର୍ଡର ସଦସ୍ୟ ଥିବା ସନ୍ତୋଷ କୁମାର କାମିଲା ଓ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରାଧ୍ୟାପିକା ମିତାଲି ଚିନ୍ନାରାଙ୍କ ସୁପୁତ୍ର ହେଉଛନ୍ତି ଅଂଶୁମାନ। ପିଲାଟି ଦିନରୁ ମେଧାବୀ ଥିବା ଅଂଶୁମାନ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଡିଏଭି ଚନ୍ଦ୍ରଶେଖରପୁରରେ ଶିକ୍ଷା ଲାଭ କରିଥିଲେ। ଏହାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟସ୍ଥିତ ସେଣ୍ଟ୍‌ ଷ୍ଟିଫେନ୍‌ କ‌ଲେଜରୁ ଅର୍ଥନୀତି ବିଭାଗରେ ସ୍ନାତକ, ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନିମିକ୍ସରୁ ସ୍ନାତକୋତ୍ତର ଓ ଜେଏନ୍‌ୟୁରୁ ଏମ୍‌.ଫିଲ୍‌ ଡିଗ୍ରି ହାସଲ କରିଥିଲେ। ଏବେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ‌ର ଇକୋନୋମିକ୍‌ ଆଣ୍ଡ୍‌ ପଲିସି ରିସର୍ଚ୍ଚ ବିଭାଗର ମ୍ୟାନେଜର ଭାବେ କାର୍ଯ୍ୟରତ ରହିଛନ୍ତି।

କେନ୍ଦ୍ର ସରକାରଙ୍କ ଅଧୀନରେ ଖାଲିଥିବା ୩୨ଟି ଲେଖାଏଁ ଭାରତୀୟ ଅର୍ଥନୀତି ସେବା(ଆଇଇଏସ୍‌) ଓ ଭାରତୀୟ ପରିସଂଖ୍ୟାନ ସେବା(ଆଇଏସ୍‌ଏସ୍‌) ପଦ ପାଇଁ ୨୦୧୯ ଜୁନ୍‌ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଗତ ଡିସେମ୍ବର ଓ ଜାନୁଆରି ମାସରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯାହାର ଫଳ ଆଜି ପ୍ରକାଶ ପାଇଛି। ଆଇଇଏସ୍‌ରେ ଓଡ଼ିଶାର ଛାତ୍ର ଅଂଶୁମାନ ସର୍ବଭାରତୀୟସ୍ତରରେ ପ୍ରଥମ ହୋଇଥିବା ବେଳେ ଆଇଏସ୍‌ଏସ୍‌ରେ ହର୍ଷିତ୍‌ ଅଗ୍ରୱାଲ୍‌ ଟପର ହୋଇଛନ୍ତି। କୃତିତ୍ବ ଆର୍ଜନ କରିଥିବା ପରୀକ୍ଷାର୍ଥୀମାନେ ଆସନ୍ତା ତିନି ମାସ ମଧ୍ୟରେ ୟୁପିଏସ୍‌ସି ନିକଟରେ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବା ସହ କାର୍ଯ୍ୟରେ ଯୋଗଦେବେ। ‘www.upse.gov.in’ ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ଆସନ୍ତା ୧୫ ଦିନ ମଧ୍ୟରେ ପରୀକ୍ଷାର୍ଥୀଙ୍କ ମାର୍କ ୱେବସାଇଟ୍‌ରେ ଉଲ୍ଲେଖ କରାଯିବ ବୋଲି ୟୁପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର