ଆଇଇଏସ୍ ପରୀକ୍ଷାରେ ଦେଶରେ ଟପର୍ ହୋଇଛନ୍ତି ଅଂଶୁମାନ କାମିଲା। ଭୁବନେଶ୍ବରରୁ ସ୍କୁଲ ଶିକ୍ଷା ଗ୍ରହଣ କରିଥିବା ଅଂଶୁମାନ ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ। ଡିଏଭି ଚନ୍ଦ୍ରଶେଖରପୁରରେ ବିଜ୍ଞାନରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରି ୨୦୧୧ରେ ସାରା ରାଜ୍ୟରେ ଟପର୍ ହୋଇଥିଲେ। ପରବର୍ତୀ ପର୍ଯ୍ୟାୟରେ ଦିଲ୍ଲୀରେ ଶିକ୍ଷା ଲାଭ କରିବା ସହ ଆଇଇଏସ୍ରେ ଦେଶରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ପାଠପଢ଼ା ବ୍ୟତୀତ ଗୀତ ଗାଇବା ଓ ପୁସ୍ତକ ପଢ଼ିବାରେ ରୁଚି ରଖୁଥିବା ଅଂଶୁମାନଙ୍କ ସଫଳତାର ରହସ୍ୟ, ଭବିଷ୍ୟତର ଲକ୍ଷ୍ୟ ଜାଣିବା ପାଇଁ ପ୍ରୟାସ କରିଥିଲେ ‘ସମ୍ବାଦ’ର କେଶବ ପାଣି।
ଆପଣଙ୍କ ସଫଳତାର ରହସ୍ୟ କ’ଣ?
ଦୈନନ୍ଦିନ ପଢ଼ାପଢ଼ି କରୁଥିଲି। କେତେ ଘଣ୍ଟା ପଢ଼ିବି, ତା’ ଉପରେ ଗୁରୁତ୍ବ ଦେଉ ନ ଥିଲି, ବରଂ ନିୟମିତ ଭାବେ ପ୍ରତିଦିନ କିଛି ନା କିଛି ପଢ଼ୁଥିଲି।
ସିବିଏସ୍ଇ ଅଧୀନରେ ବିଜ୍ଞାନ ବିଭାଗରେ ଶିକ୍ଷାଲାଭ କରି ଦ୍ବାଦଶ ଶ୍ରେଣୀରେ ଓଡ଼ିଶା ଟପର୍ ହୋଇଥିଲେ। ତେବେ ହଠାତ୍ ବିଜ୍ଞାନକୁ ଛାଡ଼ି ଅର୍ଥନୀତିରେ ପଢ଼ିବା ପଛର ରହସ୍ୟ କ’ଣ?
ଅର୍ଥନୀତି ବହୁ କ୍ଷେତ୍ରରେ ଗଣିତ ସହ ଯୋଡ଼ି ହୋଇ ରହିଛି। ତେଣୁ ବିଜ୍ଞାନ ଯଦି ପଢ଼ିଛନ୍ତି, ତେବେ ଅର୍ଥନୀତି ପଢ଼ିବା ଓ ବୁଝିବା ସହଜ ହୋଇଥାଏ। ଇଞ୍ଜିନିୟରିଂ ଓ ମେଡିକାଲ ପଢ଼ିବାକୁ ପ୍ରଥମ ଦିନରୁ ହିଁ ମୋର ଇଚ୍ଛା ନ ଥିଲା। କାରଣ ମୁଁ ଭାବିଲି ଯେ ଲୋକଙ୍କ ପାଇଁ ଭଲ ଅର୍ଥନୀତିର ଆବଶ୍ୟକତା ରହିଛି। ସେଥିପାଇଁ ପ୍ରଥମେ ବିଜ୍ଞାନ ଏବଂ ପରେ ଅର୍ଥନୀତି ପଢ଼ିଲି।
ସଫଳତାର ଯାତ୍ରାରେ ବାପା, ମା’ଙ୍କ ପ୍ରେରଣା କିପରି ଥିଲା?
ମା’ ପ୍ରାଧ୍ୟାପକ ଓ ବାପା ସିଭିଲ୍ ସର୍ଭିସ୍ରେ କାର୍ଯ୍ୟ କରୁଛନ୍ତି। ତେଣୁ ଦୁଇ ଜଣଙ୍କ ଜୀବନରୁ ମୁଁ ଶିଖିଛି ଯେ ଅର୍ଥନୀତିକୁ ଯଦି ଜନସେବା ଓ ସମାଜସେବା ପାଇଁ ବ୍ୟବହାର କରାଯାଏ ତେବେ ବହୁ ଲୋକ ଉପକୃତ ହୋଇପାରିବେ। ତେଣୁ ତାକୁ ଧ୍ୟାନରେ ରଖି ପଢ଼ିଥିଲି। ଗୁରୁଜନମାନଙ୍କ ଆଶୀର୍ବାଦ, ବାପା, ମା’, ଅଜା ଓ ଶିକ୍ଷକମାନଙ୍କ ପ୍ରେରଣା ସବୁ ବେଳେ ମୋତେ ଆଗକୁ ବଢ଼ିବାକୁ ଉତ୍ସାହିତ କରିଛି।
ଆଗାମୀ ଲକ୍ଷ୍ୟ କ’ଣ ରହିବ?
ଏହା ମୋର ପ୍ରଥମ ସୋପାନ। ଆଗକୁ ଯାଇ ଅର୍ଥନୈତିକ ନୀତି ତିଆରି କରିବା ଏବଂ ତାହାକୁ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରିବି। ଶିକ୍ଷକମାନେ ମୋତେ ଯେତିକି ଜ୍ଞାନ ଓ କାର୍ଯ୍ୟକୌଶଳ ଶିଖାଇଛନ୍ତି, ତାହାକୁ ବ୍ୟବହାର କରି କାର୍ଯ୍ୟ କରିବି।
ବର୍ତମାନ ସମୟରେ ଭାରତର ଅର୍ଥନୈତିକ ସ୍ଥିତି ଭଲ ନ ଥିବା କୁହାଯାଇଛି। ଏନେଇ ଆପଣ ମତ କ’ଣ?
ଦେଶରେ ଯେଉଁ ମାନ୍ଦାବସ୍ଥା ସୃଷ୍ଟି ହୋଇଛି, ତାହାକୁ ‘ସ୍ଲୋ ଡାଉନ୍’ ବୋଲି କୁହାଯିବ। ‘ରିସେସନ୍’ ନୁହେଁ। ବିଶ୍ବସ୍ତରରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବ ଭାରତ ଉପରେ ବି ପଡ଼ିଛି। ‘ସ୍ଲୋ ଡାଉନ୍’କୁ କାଟିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ ବି ପଦକ୍ଷେପ ନେଇଛନ୍ତି। ଆସନ୍ତା ୬ମାସ ମଧ୍ୟରେ ଅର୍ଥନୀତିରେ ସୁଧାର ଆସିବ ବୋଲି ଭାବୁଛି।
ଖୁସି ବ୍ୟକ୍ତ କଲେ ବାପା, ମା’
ଅଂଶୁମାନଙ୍କ ସଫଳତା ନେଇ ତାଙ୍କ ବାପା, ମା’ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ବାପା ସନ୍ତୋଷ କୁମାର କାମିଲା ‘ସମ୍ବାଦ’କୁ କହିଛନ୍ତି ଯେ ପୁଅର ସଫଳତା ମୋତେ ଗର୍ବିତ କରିଛି। ସେ ପିଲାଟି ବେଳରୁ କିଛି ନା କିଛି ନୂଆ କରିବାକୁ ଉଦ୍ୟମ କରିଥାଏ। ଯେଉଁଥିପାଇଁ ଦ୍ବାଦଶ ଶ୍ରେଣୀରେ ଓଡ଼ିଶା ଟପର ହୋଇଥିଲା। ଏବେ ସାରା ଦେଶରେ ଆଇଇଏସ୍ରେ ଟପର୍ ହୋଇ ଓଡ଼ିଶାର ନା ରଖିଛନ୍ତି। ଆଗକୁ ଲୋକଙ୍କ ପାଇଁ ସେ କାମ କରିବ ବୋଲି ଆମର ଆଶା ଓ ବିଶ୍ବାସ ରହିଛି। ଅଂଶୁମାନଙ୍କ ମା’ ମିତାଲି ଚିନ୍ନାରା କହିଛନ୍ତି ଯେ ପିଲାଟି ଦିନରୁ ହିଁ ସେ ମେଧାବୀ ଥିଲା। ଯାହା ବି କିଛି ପଢ଼ୁଥିଲା ତାହାକୁ ଗୁରୁତ୍ବର ସହ ନେଉଥିଲା। ପଢ଼ିବାଠାରୁ ଆରମ୍ଭ କରି ଅନ୍ୟ କ୍ଷେତ୍ରରେ ବି ତାହାର ରୁଚି ଥିଲା। ଏଭଳି ସଫଳତା ଖବର ପାଇବା ପରେ ମୁଁ ଖୁସି ହୋଇଯାଇଥିଲେ। ହେଲେ ପରିବାର ସହ ଖୁସି ବାଣ୍ଟି ପାରି ନାହିଁ। ସମସ୍ତେ ଏକାଠି ହେଲେ ଖୁସିର ଉତ୍ସବ ପାଳିବୁ।
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା
ୟୁନିୟନ୍ ପବ୍ଲିକ ସର୍ଭିସ୍ କମିସନ(ୟୁପିଏସ୍ସି) ଦ୍ବାରା ପରିଚାଳିତ ଭାରତୀୟ ଅର୍ଥନୀତି ସେବା(ଆଇଇଏସ୍) ପରୀକ୍ଷାରେ ଓଡ଼ିଶାର ଅଂଶୁମାନ କାମିଲାଙ୍କ ସଫଳତାକୁ ନେଇ ସାରା ରାଜ୍ୟରେ ଖୁସିର ଲହରି ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅଂଶୁମାନଙ୍କ ସଫଳତା ପାଇଁ ଓଡ଼ିଶାବାସୀ ଆଜି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଜଣାଇଥିବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କମନା କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଂଶୁମାନଙ୍କ ସଫଳତା ନେଇ ଖୁସିବ୍ୟକ୍ତ କରିଛନ୍ତି। ଟୁଇଟ୍ କରି କହିଛନ୍ତି ଯେ ଓଡ଼ିଶାର ଅଂଶୁମାନ କାମିଲା ଦେଶରେ ଟପର୍ ହୋଇଥିବା ଜାଣି ଗର୍ବ ଅନୁଭବ କରୁଛି। ଓଡ଼ିଶାର ପୂର୍ବତନ ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା ଓ ଉତ୍କଳ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ମିତାଲି ଚିନ୍ନାରାଙ୍କ ସୁପୁତ୍ର ଭାବେ ଅଂଶୁମାନ ବି ପରିବାର ଧାରା ବଜାୟ ରଖି ଓଡ଼ିଶାକୁ ଗର୍ବିତ କରିଛନ୍ତି। ଅଂଶୁମାନଙ୍କ ସମେତ ଆଇଇଏସ୍ ଓ ଆଇଏସ୍ଏସ୍ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।