ଶିଶୁଙ୍କ ଅତ୍ୟଧିକ କାନ୍ଦକୁ ଅଣଦେଖା କରିବା ଉଚିତ୍‌ ନୁହେଁ, ଆରିଥ୍‌ମିଆ ହୋଇପାରେ: ଏମ୍‌ସ ଭୁବନେଶ୍ୱର ବିଶେଷଜ୍ଞ

ଏମ୍‌ସ ଭୁବନେଶ୍ୱରରେ ଆରଥ୍‌ମିଆରେ ଆକ୍ରାନ୍ତ ୨୫ ଦିନର ଶିଶୁ କନ୍ୟାଙ୍କ ସଫଳ ଚିକିତ୍ସା

ଭୁବନେଶ୍ବର: ଯଦି ଆପଣଙ୍କର ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ପେଟ କାଟୁଥିବା, କାନ ଟାଣୁଥିବା ଭଳି ଭାବନା ସହିତ କୋଲିକ୍ କିମ୍ବା ଅନ୍ୟ କିଛି ମଧ୍ୟ ଭାବନ୍ତି। କିନ୍ତୁ ଏହା ବିପଦଜନକ ଆରିଥମିଆ ହୋଇପାରେ, ଯାହା ଶିଶୁମାନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ। ତେଣୁ ଏଭଳି କ୍ଷେତ୍ରରେ ଶିଶୁକୁ ଷ୍ଟେଥୋସ୍କୋପ ସହାୟତାରେ ପରୀକ୍ଷା କରାଯିବା ସହିତ ହୃଦ୍‌ସ୍ପନ୍ଦନକୁ ମଧ୍ୟ ପରୀକ୍ଷା କରାଯିବା ଉଚିତ ବୋଲି ଏମ୍‌ସ ଭୁବନେଶ୍ୱର ନବଜାତ ଶିଶୁ (ନିଓନାଟୋଲୋଜି)ବିଭାଗର ଆସୋସିଏଟ୍ ପ୍ରଫେସର ଡ. ପଙ୍କଜ ମହାନ୍ତି ପ୍ରକାଶ କରିଛନ୍ତି। ଏମ୍‌ସ ଭୁବନେଶ୍ୱରରେ ଜରୁରୀକାଳୀନ ପରିସ୍ଥିତିରେ ଆରଥ୍‌ମିଆରେ ଆକ୍ରାନ୍ତ ୨୫ ଦିନର ଶିଶୁ କନ୍ୟାର ଚିକିତ୍ସା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଡ. ମହାନ୍ତି।

ପ୍ରାୟ ୩ ଦିନ ହେବ ଲଗାତର କାନ୍ଦିବା ସହିତ କିଛି ଖାଉନଥିବା ଜଣେ ୨୫ ଦିନର ଶିଶୁ କନ୍ୟାଙ୍କୁ ନେଇ ତାଙ୍କ ପିତାମାତା ମଙ୍ଗଳବାର ରାତିରେ ଏମ୍‌ସ ଭୁବନେଶ୍ୱରକୁ ଆଣିଥିଲେ। ହସ୍‌ପିଟାଲ ଆଣିବା ସମୟ‌ରେ ଶିଶୁକନ୍ୟାଜଣଙ୍କ ଗୁରୁତର ଅବସ୍ଥାରେ ଥିଲେ। ଏମ୍‌ସ ଭୁବନେଶ୍ୱରକୁ ଆସିବା ପୂର୍ବରୁ ଶିଶୁର କୋଲିକ୍, ଓଟିଟିସ୍ କିମ୍ବା ସେପସିସ୍ ଭଳି ଚିକିତ୍ସା କରାଯାଇଥିଲା। ତେବେ ଏଠାକୁ ଆସିବାରେ ପରେ ନବଜାତ ଶିଶୁ ବିଭାଗର ଡ. ମହାନ୍ତିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଶିଶୁର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ସମୟରେ ଶିଶୁର ହୃଦ୍‌ସ୍ପନ୍ଦନ (ହାର୍ଟ ରେଟ୍) ୩ଶହ ବିପିଏମ୍‌ରୁ ଅଧିକ ଥିବା ଜଣାପଡ଼ିଥିଲା। ସାଧାରଣତଃ ଶିଶୁ ମାନଙ୍କ କ୍ଷେତ୍ରରେ ଏହା ୧୪୦ ବିପିଏମ୍‌ ରହିଥାଏ। ଏନେଇ ଶିଶୁ କନ୍ୟାଙ୍କର ତୁରନ୍ତ ଇସିଜି କରାଯାଇଥିଲା। ଏଥିରେ ଅନୁପସ୍ଥିତ ପି ତରଙ୍ଗ(ପି ୱେଭ୍‌) ଏବଂ ହୃଦ୍‌ସ୍ପନ୍ଦନ ୨୮୮ ଏସ୍‌/ ଓପିଏସ୍‌ଭିଟି ପ୍ରକାଶ ପାଇଥିଲା | ଶିଶୁକୁ ତୁରନ୍ତ ଏନ୍‌ଆଇସିୟୁକୁ ନିଆଯାଇଥିଲା | ଏଥିସହିତ ଅତ୍ୟନ୍ତ ସନ୍ତର୍ପଣର ସହିତ ଦୁଇ ଡୋଜ୍ ଆଡେନୋସାଇନ୍ ପ୍ରଦାନ କରାଯାଇଥିଲା। କିନ୍ତୁ ହୃଦ୍‌ସ୍ପନ୍ଦନକୁ ସଠିକ୍‌ ସ୍ଥିତିକୁ ଫେରାଇଆଣିବାରେ ଏହା ସକ୍ଷମ ହୋଇନଥିଲା। ପରେ ଆମିଓଡାରୋନ୍ ପ୍ରଦାନ କରାଯାଇଥିଲା ଯାହାଫଳରେ ହୃଦ୍‌ସ୍ପନ୍ଦନ ୨୭୦କୁ ତଳକୁ ଖସିଥିଲା। ମାତ୍ର ଇସିଜିରେ ପିଏସ୍‌ଭିଟି ଥିବା ଜଣାପଡ଼ିଥିଲା। ଯାହାଫଳରେ ଶିଶୁକୁ ଶକ୍‌ ଦିଆଯାଇଥିଲା। ଏହା ଫଳପ୍ରଦ ହୋଇଥିଲା। ହୃଦ୍‌ସ୍ପନ୍ଦନ ସାଧାରଣ ଅବସ୍ଥାକୁ ଫେରିଥିଲା। ମାତ୍ର ଏହା ପରେ ଶିଶୁକୁ ଆହୁରି ଅଧିକ ଉନ୍ନତ ଚିକିତ୍ସା ପ୍ରଦାନ କରାଯାଇଥିଲା। ୨୪ ଘଣ୍ଟା ପରେ ଶିଶୁ ସ୍ବାଭାବିକ ହେବା ସହିତ ଉତ୍ତମ ଅବସ୍ଥାକୁ ଫେରିଥିଲା। ଉନ୍ନତ ଚିକିତ୍ସା ଫଳରେ ଶିଶୁଟି ସ୍ତନ୍ୟପାନ ମଧ୍ୟ କରିଥିଲା। ପ୍ରାୟ ୩ ଦିନ ହେବ କିଛି ଖାଉନଥିବା ଶିଶୁକନ୍ୟା ଏନ୍‌ଆଇସିୟୁରୁ ବାହାରି ଖାଇବା ସହିତ ସାଧାରଣ ବ୍ୟବହାର କରିଥିଲା।

ଏମ୍‌ସ ହୃଦ୍‌ରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡ. ରାମଚନ୍ଦ୍ର ବାରିକ୍ ଶିଶୁର ଇକୋକାର୍ଡିଓଲୋଜି କରିବାରେ ସହଯୋଗ କରିବା ସହିତ ସ୍ଥିତି ଉପରେ ନଜର ରଖିଥିଲେ। ସେହିପରି ଡିଏମ୍‌ ରେସିଡେଣ୍ଟ୍‌ ଡ. ପୂର୍ବାଶା ପ୍ରଥମେ ଶିଶୁ କନ୍ୟାକୁ ଦେଖିବା ସହିତ ବରିଷ୍ଠ ବିଶେଷଜ୍ଞଙ୍କୁ ସୂଚନା ଦେଇଥିଲେ। ଜୁନିୟର୍‌ ରେସିଡେଣ୍ଟ୍‌ ଡ. ହେମନ୍ତଙ୍କ ସହିତ ନବଜାତ ଶିଶୁ ବିଭାଗର ଏକାଧିକ କର୍ମଚାରୀ ଏହି ଚିକିତ୍ସା ଦଳରେ ସାମିଲ ଅଛନ୍ତି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ପ୍ରକାରର ମାମଲା ପ୍ରାୟତଃ ଘଟିଥାଏ। ମାତ୍ର ସଚେତନତାର ଅଭାବ କାରଣରୁ ଅଭିଭାବକମାନେ ଏହାକୁ ଅଣଦେଖା କରିଥାଆନ୍ତି। ଏପରିକି ଚିକିତ୍ସା ସମୟରେ ମଧ୍ୟ ଆରଥ୍‌ମିଆକୁ ଦୃଷ୍ଟିକୁ ନିଆଯାଇନଥାଏ। ଯାହାଫଳରେ ଶିଶୁମାନଙ୍କ ମଧ୍ୟରେ ହୃଦୟ ଓ ଆଭ୍ୟନ୍ତରୀଣ ସମସ୍ୟା ଦେଖାଦେଇ ବିପଦ ଆଣିଥାଏ। ଏନେଇ ସମସ୍ତେ ସଚେତନ ହେବା ଉଚିତ୍ | ପ୍ରତ୍ୟେକ ଶିଶୁ ଅତ୍ୟଧିକ କାନ୍ଦିବା କୋଲିକ୍, ଓଟିଟିସ୍ କିମ୍ବା ସେପସିସ୍ ରୋଗ ନୁହେଁ | ଏହା ଆରିଥମିଆ ହୋଇପାରେ, ଯଦି ଠିକ୍ ସମୟରେ ନିରାକରଣ ନହୁଏ ତେବେ ଏହା ସାଂଘାତିକ ହୋଇପାରେ ବୋଲି ଡ. ମହାନ୍ତି ପ୍ରକାଶ କରିଛନ୍ତି। ଏମ୍‌ସ ଭୁବନେଶ୍ୱରରେ ଚିକିତ୍ସା ପରେ ଶିଶୁ କନ୍ୟାଜଣଙ୍କ ବର୍ତ୍ତମାନ ସୁସ୍ଥ ଥିବା ସହିତ ମା’ କ୍ଷୀର ଖାଉଥିବା ଶିଶୁକନ୍ୟାଙ୍କ ପିତାମାତା ପ୍ରକାଶ କରିଛନ୍ତି। ଏହି ବିଷୟକୁ ନେଇ ଇଲେକ୍ଟ୍ରୋଫାଇଜୋଲୋଜି ଅଧ୍ୟୟନ କରାଯିବାକୁ ଯୋଜନା କରାଯାଇଛି। ଆବଶ୍ୟକ ପଡ଼ିଲେ ରେଡିଓ ଫ୍ରିକ୍ୱେନ୍ସି ଆବ୍ଲେସନ୍ ମଧ୍ୟ କରାଯିବ ବୋଲି ଡ. ମହାନ୍ତି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟଯେ ନବଜାତ ଶିଶୁ ବିଭାଗର ଡ. ମହାନ୍ତିଙ୍କୁ ଛାଡ଼ି ପ୍ରାୟତଃ ଏକାଧିକ ଡାକ୍ତର/ଏସ୍‌ଆର କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସିମୀତ ମାନବସମ୍ବଳକୁ ନେଇ ଏମ୍‌ସ ଡାକ୍ତରୀ ଦଳ ଏପରି ସଫଳ ଚିକିତ୍ସା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଶିଶୁ କନ୍ୟାଙ୍କ ପିତାମାତା।

ସମ୍ବନ୍ଧିତ ଖବର