କୋଇଲା ରୟାଲ୍‌ଟି ବଢ଼ିଲେ ବିକଶିତ ଓଡ଼ିଶା ସ୍ବପ୍ନ ପୂରଣ ହେବ: ପ୍ରସନ୍ନ

ବିଧାନସଭାରେ ବି ବିଜେଡି ଓଡ଼ିଶାର ସ୍ବାର୍ଥକୁ ସାଲିସ୍ କରିବନି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟୁଛନ୍ତି। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ଭେଟଘାଟରେ ବିକଶିତ ଓଡ଼ିଶା ଗଠନ ପାଇଁ କ’ଣ ଆଲୋଚନା ହୋଇଛି ତାହା ରାଜ୍ୟବାସୀ ଜାଣିବାକୁ ଚାହିଁ ବସିଛନ୍ତି। ବିଜେପି କହୁଥିଲା ଡବଲ୍‌ ଇଞ୍ଜିନ ସରକାର ହେଲେ ଓଡ଼ିଶାର ଡବଲ୍ ବିକାଶ ହେବ। ଏବେ ଡବଲ୍‌ ଇଞ୍ଜିନ ସରକାର ହୋଇଛି କିପରି ବିକାଶ ହେଉଛି ତାହାକୁ ଅପେକ୍ଷା।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ କୋଇଲା ରୟାଲ୍‌ଟି ବୃଦ୍ଧି ହେବା ଦରକାର। କୋଇଲା ରୟାଲଟି ବୃଦ୍ଧି କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁଥର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ହେଲେ ବଢ଼ାଯାଇନି। ପ୍ରତି ୩ବର୍ଷରେ କୋଇଲା ରୟାଲ୍‌ଟି ବୃଦ୍ଧି ହୋଇଥାଏ। ହେଲେ ୨୦୧୩ ପରଠାରୁ କୋଇଲା ରୟାଲ୍‌ଟି ବୃଦ୍ଧି ପାଇନି। ଗତ ୧୧ବର୍ଷ ହେଲା କୋଇଲା ରୟାଲ୍‌ଟି ବଢ଼ିନଥିବାରୁ ଗତ ୧୧ବର୍ଷର ହିସାବ କରି କେନ୍ଦ୍ର ସରକାର ରୟାଲ୍‌ଟି ବଢ଼ାଇବେ ବୋଲି ଆଶା କରୁଛୁ। ଏନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବେ ବୋଲି ଭାବୁଛୁ।
ସେହିପରି ଦୀର୍ଘ ବର୍ଷ ହେଲା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ହେଉଥିଲେ ହେଁ ଏହାକୁ ପୂରଣ କରାଯାଇନି। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଆଲୋଚନା କରିଥିବେ ବୋଲି ଅାଶା କରୁଛୁ।

ଏହାସହ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଦିଲ୍ଲୀରେ ଆମେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଓ ବିରୋଧ କରି ଆସିଛୁ। ଓଡ଼ିଶା ଓ ଜନସାଧାରଣଙ୍କ ସ୍ୱାର୍ଥ ବାଧାପ୍ରାପ୍ତ ହେଲେ ବିଜେଡି ବିରୋଧ କରିଛି। ଏବେ ନିଟ୍ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେଡି ସଂସଦରେ ବିରୋଧ କରିଛି। ଆଗାମୀ ଦିନରେ ଓଡ଼ିଶାର ସ୍ୱାର୍ଥରେ ବ୍ୟାଘାତ ସୃଷ୍ଟି ହେଲେ କିମ୍ବା ସମ୍ବିଧାନର ମର୍ଯ୍ୟାଦାର ଉଲ୍ଲଂଘନ ହେଲେ ବିଜେଡି ବିରୋଧ କରିବ। ବିଧାନସଭାରେ ମଧ୍ୟ ଓଡ଼ିଶାର ସ୍ୱାର୍ଥକୁ ନେଇ ସାଲିସ କରାଯିବ ନାହିଁ। ସେହିପରି ଅଣଓଡ଼ିଆ ମୁଖ୍ୟ ସଚିବଙ୍କ ନିଯୁକ୍ତିକୁ ନେଇ ଶ୍ରୀ ଅାଚାର୍ଯ୍ୟ କହିଛନ୍ତି ଯେ ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଥିଲେ, ସେମାନେ ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲାଣି। ଅପେକ୍ଷା କରନ୍ତୁ, ଆଗକୁ ଆଉ ସବୁ କ’ଣ ହେଉଛି।

ସମ୍ବନ୍ଧିତ ଖବର