ଡିଏସିପି ନେଇ ଆଲୋଚନା ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଓମ୍‌ସା

ଭୁବନେଶ୍ବର : ୨୦୦୯ ମସିହାରୁ ଡାକ୍ତରଙ୍କ ଡିଏସିପି ବା ସମାନୁବର୍ତ୍ତିତ ପଦୋନ୍ନତି ପାଇଁ ଓଡ଼ିଶା ସ୍ବାସ୍ଥ୍ୟସେବା ସଂଘ(ଓମ୍‌ସା) ଦାବି କରିଆସୁଛି। ଗତ ୩ବର୍ଷ ଭିତରେ ୪ଜଣ ସ୍ବାସ୍ଥ୍ୟ ସଚିବ ଆସିଲେଣି ଓ ଓମ୍‌ସା ସହ ୩ଥର ବୈଠକ ହୋଇଛି। ମାତ୍ର ବୈଠକର ବିବରଣୀ ଦିଆଯାଉନାହିଁ। ତେଣୁ କେନ୍ଦ୍ରୀୟ ହାରରେ ସମସ୍ତ ଡାକ୍ତରଙ୍କୁ ସିଜିଏଚ୍‌ଏସ୍‌ ବା କେନ୍ଦ୍ରୀୟ ସ୍ବାସ୍ଥ୍ୟସେବା ସମତୁଲ ଡିଏସିପି ପ୍ରଦାନ କରାଯାଉ। ଯଦି ଆସନ୍ତା ୧ମାସ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ରାଜ୍ୟ ସରକାର ନ ଡାକନ୍ତି ତାହାଲେ ଓମ୍‌ସା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆଜି ଓମ୍‌ସାର ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଛି।

ଓମ୍‌ସା ପକ୍ଷରୁ କୁହାଯାଇଛି ଯେ ୨୦୦୯ ମସିହାରୁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ କରୁଛନ୍ତି। ୨୦୧୮ ମସିହାରେ ବିହାର ସରକାର ଡାକ୍ତରମାନଙ୍କୁ ଡିଏସିପି ପ୍ରଦାନ କରୁଛନ୍ତି। ୧୬ରୁ ଅଧିକ ରାଜ୍ୟ ଡାକ୍ତରଙ୍କୁ ସିଜିଏଚ୍‌ଏସ୍‌ ଡିଏସିପି ୪,୯, ୧୩, ୨୦ ଚାକିରି ବୟସରେ ଦେଇଛନ୍ତି। ୧୦ହଜାର ଗ୍ରେଡ୍ ପେ ୨୦ବର୍ଷରେ ପ୍ରଦାନ କରୁଛନ୍ତି। ମାତ୍ର ରାଜ୍ୟ ସରକାର ଡିଏସିପି ନାଁରେ ୭,୧୪,୨୧ ବର୍ଷରେ ପଦୋନ୍ନତି ବ୍ୟବସ୍ଥା କରି ଠକି ଦେଉଛନ୍ତି। ଦନ୍ତ ଚିକିତ୍ସକମାନେ ଓଏମ୍‌ଏଚ୍‌ଏସ୍‌ କ୍ୟାଡରର ହୋଇଥିଲେ ବି ସେମାନଙ୍କ ପାଇଁ ଡିଏସିପି ବ୍ୟବସ୍ଥା ନାହିଁ ‌ବୋଲି ଓମ୍‌ସା ପକ୍ଷରୁ କୁହାଯାଇଛି। ଆଜିର ବୈଠକରେ ଓମ୍‌ସା ସଭାପତି ଡା.ନାରାୟଣ ରାଉତ, ସାଧାରଣ ସପାଦକ ଡା.ବିଶ୍ବଜିତ ସାମଲ, କୋଷାଧ୍ୟକ୍ଷ ଡା.କ୍ଷୀରୋଦ ଚନ୍ଦ୍ର ପାଲ, ଅନ୍ୟ କାର୍ଯ୍ୟକାରିଣୀ ସଭ୍ୟ, ସଦସ୍ୟ, ସିଡିଏମ୍‌ଓ, ନିର୍ଦେଶକ ଓ ଡାକ୍ତରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର