ଛତିଶାନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ଚେତାବନୀପୂର୍ଣ୍ଣ ଚିଠି, ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା, ପହଣ୍ଡି, ଆଡ଼ପମଣ୍ଡପ ନୀତିକାନ୍ତିରେ ଚରମ ବିଶୃଙ୍ଖଳା ପରେ ଏଥିରେ ସୁଧାର ଆଣିବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଛତିଶାନିଯୋଗକୁ ଆଜି ଏଥିପାଇଁ ଚେତାବନୀପୂର୍ଣ୍ଣ ଚିଠି କରାଯାଇଛି। ଯଦି ବାହୁଡ଼ାରେ କିଛି ବି ବିଶୃଙ୍ଖଳା ହୁଏ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରୋକ୍‌ଠୋକ କୁହାଯାଇଛି। ଶ୍ରୀମନ୍ଦିରର ସମସ୍ତ ନିଯୋଗର ସଭାପତି, ସମ୍ପାଦକଙ୍କୁ ଏହି ଚିଠି କରି ସତର୍କ ରହିବାକୁ ସ୍ପଷ୍ଟ କରି ଦିଆଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କରିଥିବା ଏହି ଚିଠିରେ କୁହାଯାଇଛି, ଚଳିତବର୍ଷର ରଥଯାତ୍ରା ଶୃଙ୍ଖଳାର ସହ ସମାହିତ ହେବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ବ୍ୟବସ୍ଥାବଳୀ-୨୦୨୩ ପ୍ରଣୟନ କରିଛନ୍ତି। ରଥ ଉପରେ ଶୃଙ୍ଖଳା ରକ୍ଷା କରିବା ଲକ୍ଷ୍ୟରେ ଏହି ବ୍ୟବସ୍ଥାବଳୀରେ କେତେକ କଟକଣା ଜାରି କରାଯାଇଛି। ଏ ବିଷୟରେ ଗତ ୨୬ ତାରିଖରେ ବିଭିନ୍ନ ନିଯୋଗର କାର୍ଯ୍ୟକର୍ତ୍ତା, ବରିଷ୍ଠ ସେବକ, ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା କରାଯାଇଛି। ଆସନ୍ତା ବାହୁଡ଼ା ଯାତ୍ରାରେ ରଥଟଣା ଶୃଙ୍ଖଳିତ କରିବା ପାଇଁ ବ୍ୟବସ୍ଥାବଳୀ ଆଧାରରେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, କେବଳ ସମ୍ପୃକ୍ତ ଦିନର ପାଳିଆ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନେ ପହଣ୍ଡି ପରେ ରଥ ଉପରେ ରହିବେ ନାହିଁ।

ଅନାବଶ୍ୟକ ସଂଖ୍ୟକ ସହାୟକମାନଙ୍କୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ରଥ ଉପରେ ରହିଥିବା କର୍ତ୍ତବ୍ୟରତ ସେବକ ଓ କର୍ମଚାରୀଙ୍କ ସଂଖ୍ୟା ବି ସୀମିତ ରଖାଯାଇଛି। ତାଳଧ୍ବଜ ରଥରେ ୬୦ଜଣ, ଦେବଦଳନ ରଥରେ ୫୦ଜଣ ଓ ନନ୍ଦିଘୋଷ ରଥରେ ୭୦ଜଣ ସେବକ ଓ କର୍ମଚାରୀ ରହିବେ। ଏହାଠାରୁ ଅଧିକ ରହିପାରିବେ ନାହିଁ। ରଥ ଉପରେ ରହୁଥିବା ପ୍ରାଧିକୃତ ବ୍ୟକ୍ତି ଶ୍ରୀବିଗ୍ରହଙ୍କ ସମ୍ମୁଖ ଭାଗରେ କିମ୍ବା ରଥ ବାଡ଼ କଡ଼ରେ ରଥାରୁଢ଼ ବିଗ୍ରହମାନଙ୍କୁ ଅବରୋଧ କରି ଠିଆ ହେବେ ନାହିଁ। ରଥ ଉପରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବେ ନାହିଁ। କୌଣସି ଅଣସେବକ ମଧ୍ୟ ରଥ ଉପରେ ରହିବେ ନାହିଁ। ରଥ ଉପରେ ଥିବା ସମସ୍ତ ନିଯୋଗର ସେବକଙ୍କୁ ଏହି ନିୟମ କଡ଼ାକଡ଼ି ପାଳନ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଅଯାଇଛି। କୌଣସି ସେବକ ଏହି ନିୟମ ଉଲ୍ଲଂଘନ କରନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ବ୍ୟାପକ ବିଶୃଙ୍ଖଳା ହୋଇଥିଲା।

ବହୁ ସଂଖ୍ୟାରେ ସେବକ ଶ୍ରୀବିଗ୍ରହଙ୍କ ଆଗରେ ଛିଡ଼ା ହେବାରୁ ଶ୍ରୀମୁଖ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିଲେ। ମହାପ୍ରଭୁଙ୍କ ପହଣ୍ଡି ବେଳେ ବି ବିଘ୍ନ ଘଟିଥିଲା। ନୀତିକାନ୍ତିରେ ବି ଅହେତୁକ ବିଶୃଙ୍ଖଳା ଦେଖା ଦେଇଥିଲା। ସଅଳ ନୀତିକାନ୍ତି ଓ ପହଣ୍ଡି ସତ୍ତ୍ବେ ୩ ରଥ ଶରଧାବାଲିରେ ପହଞ୍ଚି ପାରିନଥିଲେ। କେବଳ ତାଳଧ୍ବଜ ରଥ ଗୁଣ୍ଡିଚା ବାଡ଼ିରେ ପହଞ୍ଚିଥିବା ବେଳେ ନନ୍ଦିଘୋଷ ଓ ଦେବଦଳନ ରଥ ଅଧବାଟରେ ଅଟକିଥିଲା। ସେହିପରି ହେରାପଞ୍ଚମୀ ନୀତି ମଧ୍ୟ ଢେର ବିଳମ୍ବିତ ହୋଇଥିଲା। ବାରମ୍ବାର ନୀତି ବିଳମ୍ବ ସହ ବିଶୃଙ୍ଖଳା ଘଟିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜରୁରୀ ବୈଠକ ଡକାଯାଇ ଏପରି ନିଷ୍ପତ୍ତି ସହ ନିର୍ଦ୍ଦେଶନାମା ଜାରି ହୋଇଛି। ବିଶେ‌େ କରି ରଥଯାତ୍ରା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ଅମାନ୍ୟ କରାଯାଇଥିବା ବେଳେ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟାଭିଡ଼ିଛି। । ଏନେଇ ଅନ୍ୟମାନଙ୍କ ସହିତ ଚାରିବାଡ଼ର ବାଡ଼ଗ୍ରାହୀ, ଜିଲ୍ଲାପାଳ, ଶ୍ରୀମନ୍ଦିର କମାଣ୍ଡାଣ୍ଟ୍‌, ସୁପରଭାଇଜର, ସହକାରୀ ସୁପରଭାଇଜରଙ୍କୁ ମଧ୍ୟ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି।

ସମ୍ବନ୍ଧିତ ଖବର