ଏଚ୍‌ଆଇଭି ପିଲାଙ୍କୁ ଔଷଧ ନ ମିଳିଲେ ଓସାକ୍ସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ତୁରନ୍ତ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦେଶ, ଔଷଧ କିଣିବା ଲାଗି ବିଭାଗର ଅନୁମତି ଲୋଡ଼ାଯାଇଛି- ଓସାକ୍ସ

ଭୁବନେଶ୍ବର: ରାଜ୍ୟରେ ୧୮ବର୍ଷରୁ କମ୍ ୩ହଜାରରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତ ପିଲାଙ୍କ ପାଇଁ ଔଷଧ ମିଳୁନି। ଗତ କିଛିମାସ ଧରି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛି ଏଚ୍‌ଆଇଭି ଆକ୍ରାନ୍ତ ପିଲା। ଏଆରଟି ଓ ଏଆରଟିସି କେନ୍ଦ୍ରରେ ଔଷଧ ମିଳୁ ନ ଥିବାରୁ ଅନେକ ଔଷଧ ଖାଇବା ଭୁଲି ଗଲେଣି। ଏହାର ସମାଧାନ କରିବା ଦିଗରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ) ପକ୍ଷରୁ ଯେଉଁଭଳି ତତ୍ପରତା ପ୍ରକାଶ ପାଇବା କଥା ତାହା ଦେଖିବାକୁ ମିଳୁ ନ ଥିବା ଅଭିଯୋଗ ହେଉଛି। ସ୍ଥିତି ଏଭଳି ହେଲାଣି ଯେ ଆସନ୍ତା ୧୦ଦିନ ଭିତରେ ଔଷଧ ଯୋଗାଣ ନ ହେଲେ ଓସାକ୍ସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଧମକ ଦେଇଛନ୍ତି।

ଅପରପକ୍ଷରେ ଗତ ୧୨ତାରିଖରେ ‘ସମ୍ବାଦ’ରେ ଏ ସଂକ୍ରାନ୍ତୀୟ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ଆଧାର କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓସାକ୍ସର ପ୍ରକଳ୍ପ ନିର୍ଦେଶିକାଙ୍କୁ ଚିଠି ଲେଖା ଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ବିଚାର କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି। ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏଚ୍‌ଆଇଭି ଔଷଧ ଉପଲବ୍ଧ ହେଉ ନ ଥିବାରୁ ଅନେକ ସ୍ଥାନରେ ବୟସ୍କଙ୍କ ପାଇଁ ଉପଲବ୍ଧ ଔଷଧକୁ ଭାଙ୍ଗି କରି ଦିଆଯାଉଛି। କେଉଁ କେଉଁ ସ୍ଥାନରେ ଔଷଧ ମଧ୍ୟ ନାହିଁ। ଏଭଳି ପରିସ୍ଥିତିରେ ଔଷଧ ଛାଡ଼ିଦେ‌ବା କିମ୍ବା ବୟସ୍କଙ୍କ ପାଇଁ ଉପଲବ୍ଧ ଔଷଧର ଅଧା ଦିଆଯିବା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଅନ୍ୟ ପ୍ରତିକ୍ରିୟା ସୃଷ୍ଟି ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଉଭୟ ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥା(ନାକୋ) ଓ ଓସାକ୍ସ ଏଚ୍‌ଆଇଭି ଆକ୍ରାନ୍ତ ପିଲାଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ ହେଉଛି। ତେବେ ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପିଲାଙ୍କ ପାଇଁ ଔଷଧ ଉପଲବ୍ଧ ନ ହେବାକୁ ନେଇ ଓସାକ୍ସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଏଚ୍‌ଆଇଭି ପିଲାଙ୍କ ଔଷଧ ମିଳୁ ନ ଥିବା ନେଇ ନାକୋକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା। ଆଜି ନାକୋ ପକ୍ଷରୁ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଔଷଧ ପଠାଯାଉଥିବା ସୂଚନା ଦିଆଯାଇଛି। କିଛି ଔଷଧ ଓଡ଼ିଶାରେ ଏବେ ପହଞ୍ଚିଛି। ଆଗକୁ ଔଷଧ ଆସନ୍ତା ୩/୪ଦିନ ଭିତରେ ଓଡ଼ିଶାର କେନ୍ଦ୍ରୀୟ ଔଷଧ ଷ୍ଟୋ‌ରରେ ପହଞ୍ଚିବ। ହେଲେ ଏହା ଯଥେଷ୍ଟ ନୁହେଁ।

ଏହା ଭିତରେ ଔଷଧ କିଣିବା ଲାଗି ଓସାକ୍ସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଓସାକ୍ସର ପ୍ରକଳ୍ପ ନିର୍ଦେଶିକାଙ୍କ ନିକଟରେ ସର୍ବାଧିକ ୫ଲକ୍ଷ ଟଙ୍କାର ଔଷଧ କିଣିବାର କ୍ଷମତା ରହିଛି। ମାତ୍ର ସମଗ୍ର ରାଜ୍ୟ ପାଇଁ ଆବଶ୍ୟକ ହେଉଥିବା ଔଷଧ ପାଇଁ ୧୯/୨୦ଲକ୍ଷ ଟଙ୍କା ଖର୍ଚ ହେବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ଲୋଡ଼ାଯାଇଛି। ସେଠାରୁ ଅନୁମୋଦନ ଆସିବା ପରେ ଔଷଧ କିଣିବା ଲାଗି ପ୍ରକ୍ରିୟା ଆରମ୍ଭ ହେବ।

ସମ୍ବନ୍ଧିତ ଖବର