ଛତ୍ରପୁର/ଭଞ୍ଜନଗର : ଜୁନ୍ ମାସ ସରିଲା। ହେଲେ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ବର୍ଷା ହୋଇ ନଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଆଉ ଜୁଲାଇ ମାସରେ ଏଭଳି ସ୍ଥିତି ଜାରି ରହିଲେ ଗଜା ମରୁଡ଼ି ଆଶଙ୍କାକୁ ଟାଳି ହେବନି ବେଲି ମତପ୍ରକାଶ ପାଇଛି। ଜୁନ୍ରେ ସାଧାରଣତଃ ୧୬୮.୩ ମିମି ବର୍ଷା ହେବା କଥା। କିନ୍ତୁ ଆଜି ସୁଦ୍ଧା ଜିଲ୍ଲାରେ ମାତ୍ର ୯୨.୦୭ ମିମି ବର୍ଷା ରେକର୍ଡ଼ କରାଯାଇଛି। ଜୁଲାଇ ମାସରେ ସାଧାରଣତଃ ୨୨୦.୮ ମିମି ବର୍ଷାର ଲକ୍ଷ୍ୟ ରହିଥାଏ। ତେବେ ଆସନ୍ତା ମାସରେ ପର୍ଯ୍ୟାପ୍ତ ବର୍ଷା ନହେଲେ ଖରିଫ୍ ଚାଷ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି କିଛି ଚାଷୀ କହିଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲାର ଜୀବନରେଖା ଭାବେ ପରିଚିତ ୭ଟି ଡ୍ୟାମ୍ର ଜଳସ୍ତର ବି ଖସିବାରେ ଲାଗିଛି।
ଭଞ୍ଜନଗର କୃଷି ଜିଲ୍ଲାରେ ମାତ୍ର ୧୦୮୩ ହେକ୍ଟର୍ ଜମିରେ ସରିଛି ଧାନ ବୁଣା
ଅନ୍ୟପକ୍ଷରେ ଆଜି ସକାଳ ୮ଟା ସୁଦ୍ଧା ଜିଲ୍ଲାରେ ମାତ୍ର ୬.୨ ମିମି ବର୍ଷା ରେକର୍ଡ଼ ହୋଇଛି। ପାତ୍ରପୁର ବ୍ଲକ୍ରେ ୫.୨ ମିମି ଏବଂ ସାନଖେମୁଣ୍ତିରେ ୧ ମିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ବାକି ସମସ୍ତ ବ୍ଲକ୍ ଗୁଡ଼ିକରେ ବର୍ଷା ହୋଇନି। ବର୍ତ୍ତମାନ ପରିସ୍ଥିତିରେ ବର୍ଷାକୁ ଚାହିଁ ରହିଥିବା ଚାଷୀ ବିଲରେ ହଳ ମାରିବାକୁ ଡରୁଥିବା ବେଳେ ବିଭିନ୍ନ ସଂଗଠନ ଓ ପ୍ରଶାସନ ପକ୍ଷରୁ ଚାରାରୋପଣ କାର୍ଯ୍ୟକୁ ମଧ୍ୟ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।
ସାଧାରଣତଃ ରଜ ପର୍ବ ସମୟରେ ପ୍ରାୟତଃ ୭୦ରୁ ୮୦ ପ୍ରତିଶତ ଜମିରେ ବିହନ ପଡ଼ିଯାଉଥିଲା।
କିନ୍ତୁ ଏଥର ପର୍ଯ୍ୟାପ୍ତ ବର୍ଷା ଅଭାବରୁ ଏହି ପ୍ରକ୍ରିୟାରେ ବିଳମ୍ବ ହେଉଛି। ଆବଶ୍ୟକ ପରିମାଣର ବର୍ଷା ବର୍ତ୍ତମାନ ସୁଦ୍ଧା ହୋଇ ନଥିବାରୁ ତାହା ଚାଷୀଙ୍କୁ ଚିନ୍ତାରେ ପକାଇଛି। ତଳି ବୁଣା ଓ ଧାନ ରୁଆ ପାଇଁ ଏବେ ଚାଷୀ ପ୍ରସ୍ତୁତ ହେଉଛନ୍ତି। ବର୍ଷାଦିନରେ ଧାନ ଚାଷ ପାଇଁ ଚାଷୀମାନେ ଜୁନ୍ରୁ ବୁଣା ଆରମ୍ଭ କରିବା ସହ ତଳି ପକାଇ ଜୁଲାଇ ମାସରେ ଜମି କାଦୁଅ କରୁଥିଲେ। କିନ୍ତୁ ଏଥର ଅକ୍ଷୟ ତୃତୀୟାର ଦେଢ଼ ମାସ ପରେ ବି ବର୍ଷା ଅଭାବରୁ ଜମିରେ ବିହନ ବୁଣିବାକୁ ପାଗ ଅନୁକୂଳ ହୋଇପାରିନି। ଏଥିସହ ଜୁଲାଇ ମାସ ଶେଷ ସୁଦ୍ଧା ଧାନ ରୁଆ ଶେଷ କରିବାକୁ ପଡ଼ିଥାଏ। କିନ୍ତୁ ସଠିକ୍ ସମୟରେ ଯଦି ଆବଶ୍ୟକ ପରିମାଣର ବର୍ଷା ନହୁଏ ତାହେଲେ ଚାଷ କାର୍ଯ୍ୟରେ ବିଳମ୍ବ ହେବା ସହ ଗଜା ମରୁଡ଼ିର ସମ୍ଭାବନା ଦେଖାଦେଇଛି। ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ବିଶେଷଜ୍ଞ କହନ୍ତି।
ଅନ୍ୟପକ୍ଷରେ ଭଞ୍ଜନଗର କୃଷି ଜିଲ୍ଲାର ଚିତ୍ର ଉପରେ ନଜର ପକାଇଲେ ଗତ କିଛି ଦିନ ଧରି ପ୍ରାକ୍ ମୌସୁମି ବର୍ଷା ହୋଇଛି ସତ। ହେଲେ ଏଯାବତ୍ ଚାଷ ପାଇଁ ପାଗ ଅନୁକୂଳ ହୋଇପାରିନି। ହସ୍ତଗତ ହୋଇଥିବା ସୂଚନାନୁସାରେ, ଭଞ୍ଜନଗର କୃଷି ଜିଲ୍ଲାରେ ୧୦୮୩ ହେକ୍ଟର୍ ଜମିରେ ଧାନ ବିହନ ବୁଣା ହୋଇଥିବା ବେଳେ ରୁଆ କାର୍ଯ୍ୟ ଟିକେ ବି ଆଗେଇ ପାରିନି। ଏହି ଜିଲ୍ଲା ଅଧୀନରେ ବୁଗୁଡ଼ା, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା ଓ ଭଞ୍ଜନଗର ବ୍ଲକ୍ ରହିଛି। ଚଳିତ ଖରିଫ୍ ଋତୁରେ ୯୨,୪୩୪ ହେକ୍ଟର୍ ଜମିରେ ଚାଷ ହେବ। ସେଥିରୁ ୨୮ ହଜାର ୪୯୩ ହେକ୍ଟର୍ ଜମିରେ ଧାନ ଓ ବଳକା ଜମିରେ ଅଣଧାନ ତଥା ମକା, ତୈଳବୀଜ, ମାଣ୍ଡିଆ, ଡାଲି ଜାତୀୟ, ପନିପରିବା ଓ ଅନ୍ୟାନ୍ୟ ଚାଷ କରାଯାଉଛି। ତେବେ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଚାଷ କାମ ଜମାରୁ ତ୍ବରାନ୍ବିତ ହୋଇପାରୁନି। ଜମିକୁ ପାଣି ମିଳିବା ନେଇ ସନ୍ଦେହ ଥିବାରୁ ତଳିପକା କାର୍ଯ୍ୟ ଆରମ୍ଭ ହୋଇପାରିନି।
କେବଳ କିଛି ଢେପ ଜମିରେ ବୁଣା ଧାନ ଚାଷ ପାଇଁ ଚାଷୀ ଅଣ୍ଟା ଭିଡ଼ିଛି। ୧୦୮୩ ହେକ୍ଟର୍ ଜମିରେ ଧାନ ବୁଣା ହୋଇଛି। ଭଞ୍ଜନଗର ବ୍ଳକ୍ରେ ୫୧୦ ହେକ୍ଟର୍, ବୁଗୁଡ଼ାରେ ୪୬୬ ହେକ୍ଟର୍, ଜଗନ୍ନାଥପ୍ରସାଦରେ ୬୧ ହେକ୍ଟର୍ ଏବଂ ବେଲଗୁଣ୍ଠାରେ ୪୬ ହେକ୍ଟର୍ ଚାଷ ଜମିରେ ବୁଣା ଧାନ ହୋଇଛି। କିନ୍ତୁ ଧାନରୁଆ କୌଣସି ବ୍ଲକ୍ରେ ମଧ୍ୟ ଆରମ୍ଭ ହୋଇ ନଥିବା ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭଞ୍ଜନଗର ବ୍ଲକରେ ଜୁନ୍ ମାସରେ ୧୬୦ ମିମି, ବେଲଗୁଣ୍ଠାରେ ୧୧୯ ମିମି, ଜଗନ୍ନାଥପ୍ରସାଦରେ ୯୬.୭୦ ମିମି, ବୁଗୁଡ଼ାରେ ୮୭ ମିମି, ଓ ସୋରଡ଼ା ବ୍ଲକ୍ରେ ୯୯ ମିମି ବର୍ଷା ରେକର୍ଡ଼ ହୋଇଛି।
ଅନ୍ୟପକ୍ଷରେ ଭଞ୍ଜନଗର କୃଷି ଜିଲ୍ଲା ପାଇଁ ମୋଟ ୬୯୦୦ କ୍ବିଣ୍ଟାଲ ବିହନର ଆବଶ୍ୟକତା ରହିଛି। ବର୍ତ୍ତମାନ ସୁଦ୍ଧା ୫୬୧୯ କ୍ବିଣ୍ଟାଲ୍ ଧାନ ବିହନ ଆସିଛି। ଭଞ୍ଜନଗର ବ୍ଲକ୍ ପାଇଁ ୧୩୫୦ କ୍ବିଣ୍ଟାଲ ଟାର୍ଗେଟ୍ ରହିଥିବା ବେଳେ ଏହାଠୁ ଅଧିକ ୧୫୨୫ କ୍ବିଣ୍ଟାଲ୍ ଆସିଛି। ସେହିପରି ବେଲଗୁଣ୍ଠା ପାଇଁ ୧୭୫୦ କ୍ବିଣ୍ଟାଲ୍ ଟାର୍ଗେଟ୍ ରହିଥିବା ବେଳେ ୧୪୦୨ ଓ ବୁଗୁଡ଼ା ବ୍ଲକ୍ ପାଇଁ ୨୦୦୦ କ୍ବିଣ୍ଟାଲ୍ ଟାର୍ଗେଟ୍ ରହିଥିବା ୧୭୧୯ ଓ ଜଗନ୍ନାଥପ୍ରସାଦ ବ୍ଲକ୍ ପାଇଁ ୧୮୦୦ କ୍ବିଣ୍ଟାଲ୍ ଟାର୍ଗେଟ୍ ଥିବା ୯୭୩ କ୍ବିଣ୍ଟାଲ୍ ବିହନ ଆସିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/26-17.jpg)