ଭୁବନେଶ୍ବର: ଦେଶପ୍ରେମ, ନୈତିକତା ଓ ଅଖଣ୍ଡତା ଥିଲା ରାଷ୍ଟ୍ରନାୟକ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନାଦର୍ଶ। ନୈତିକତା ବିନା ରାଜନୀତି, ଆଦର୍ଶ ବିନା ଶାସନ ଓ ଦେଶପ୍ରେମ ବିନା ସ୍ବାଧୀନତା ଯେ କେବଳ ଏକ ଭ୍ରମ, ଏ କଥାକୁ ସେ ହୃଦୟଙ୍ଗମ କରିଥିଲେ। ତାଙ୍କ ଭାବନା, ଚିନ୍ତା ଓ ଚେତନା ଆଜି ସମଗ୍ର ଦେଶ ପାଇଁ ଏକ ଦିଗ୍ଦର୍ଶନ। ଡ. ମୁଖାର୍ଜୀଙ୍କ ଜୀବନ ଦେଶ ପାଇଁ ଏମିତି ଏକ ଉପହାର, ଯାହା ପ୍ରତିଟି ଭାରତବାସୀଙ୍କୁ ଆଦର୍ଶ ଓ ପ୍ରେରଣା ଦିଏ। ଯୁବ ସମାଜ ଏଭଳି ଜଣେ ମହାନ ଜନନାୟକଙ୍କ ଜୀବନ ଓ ଆଦର୍ଶକୁ ଅନୁସରଣ କରନ୍ତୁ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଭାରତର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସେ ଜଣେ ଦୃଢ଼ ଯୋଦ୍ଧା ଥିଲେ। ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପାଇଁ ସେ ପ୍ରଥମେ ଉଦ୍ୟମ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନର ୩୭୦ ଧାରା ଓ ୩୫(କ)ର ଉଚ୍ଛେଦ କରି ଡ.ମୁଖାର୍ଜୀଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଶାରେ ପୂର୍ବ ସରକାର ଡ. ମୁଖାର୍ଜୀଙ୍କର ବଳିଦାନ ଦିବସକୁ ପାଳନ କରୁ ନଥିଲେ। କିନ୍ତୁ ବର୍ତ୍ତମାନର ସରକାର ଏହାକୁ ଜାତୀୟ କର୍ତ୍ତବ୍ୟ ବୋଲି ସ୍ୱୀକାର କରି ପାଳନ କରୁଛି ଓ ଆଗକୁ ମଧ୍ୟ କରିବ। ଏକ ନୂଆ ଓଡ଼ିଶା ଓ ଏକ ଶକ୍ତିଶାଳୀ ଭାରତ ଗଢ଼ିବାରେ ଡ. ମୁଖାର୍ଜୀଙ୍କ ନୀତି ଓ ଦୃଷ୍ଟିକୋଣ ଠିକ ମାର୍ଗ ଦେଖାଇବ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଡ.ମୁଖାର୍ଜୀଙ୍କ ଜୀବନକୁ ମହାକାଶର ଉଲ୍କା ସହ ତୁଳନା କରି କହିଲେ, ଉଲ୍କା ଆକାଶରେ ଅଳ୍ପ ସମୟ ରହିଲେ ମଧ୍ୟ ମହାକାଶ ଜଗତକୁ ପ୍ରଭାବିତ କରିଥାଏ। ସେହିପରି ଜଣେ ବ୍ୟକ୍ତିତ୍ୱ ଥିଲେ ଡ. ମୁଖାର୍ଜୀ। ତାଙ୍କ ମୃତ୍ୟୁ ରହସ୍ୟମୟ ନୁହେଁ। ତତ୍କାଳୀନ ଜମ୍ମୁ-କାଶ୍ମୀର ଓ ଭାରତ ସରକାର ନ୍ୟାୟିକ ତଦନ୍ତ କଲେନାହିଁ। ପ୍ରତ୍ୟକ୍ଷ ଓ ପରୋକ୍ଷରେ କଂଗ୍ରେସ ହାତରେ ଶ୍ୟାମାପ୍ରସାଦଙ୍କ ରକ୍ତ ଲାଗିଛି।
ମୁଖ୍ୟବକ୍ତା ପ୍ରଫେସର ବସନ୍ତ କୁମାର ପଣ୍ଡା କହିଲେ, ଡ. ମୁଖାର୍ଜୀଙ୍କୁ ସାମାଜିକ ଓ ରାଜନୈତିକ ଇତିହାସରେ ଗୌଣ କରି ରଖାଯାଇଥିଲା। ବର୍ତ୍ତମାନ ତାହା ପୁନଃଆବିଷ୍କାର କରାଯାଇଛି। ତାଙ୍କ ତ୍ୟାଗ ଓ ସଂଗ୍ରାମର କାହାଣୀ ସମସ୍ତ ଭାରତୀୟ ଜାଣିବା ଆବଶ୍ୟକ। ସମ୍ମାନିତ ଅତିଥି ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ବକ୍ତବ୍ୟ ରଖିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।