ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକୃତ ହୋଇଥିବା ହଜାରେ ଅଭିଯୋଗକାରୀଙ୍କ ସମସ୍ୟା ଶୁଣିଛନ୍ତି। ଲୋକଙ୍କୁ ଆଶ୍ୱାସନା ଦେବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜିଠାରୁ ପ୍ରଥମ ଥର ପାଇଁ ପାଇଁ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ। ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ। ସମୁଦାୟ ହଜାରେଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଓ ସମସ୍ତ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଭିନ୍ନକ୍ଷମ, ରୋଗୀ ଓ ବରିଷ୍ଠ ନାଗରିକମାନଙ୍କ ପ୍ରତି ଅଭିଯୋଗ ପ୍ରକୋଷ୍ଠରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା। 

Advertisment

କାର୍ଯ୍ୟକାରୀ ହେଲା ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା
ଏକ ହଜାର ଅଭିଯୋଗକାରୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା
ଭିନ୍ନକ୍ଷମ, ରୋଗୀ ଓ ବରିଷ୍ଠ ନାଗରିକଙ୍କ ପ୍ରତି ଅଭିଯୋଗ ପ୍ରକୋଷ୍ଠରେ ସ୍ୱତନ୍ତ୍ର ଧ୍ୟାନ

ଆଜି ଆସିଥିବା ବିଭିନ୍ନ ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଅନୁଗୁଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶଙ୍କର ଦାସ। ଚାକିରି କାଳରେ ତାଙ୍କ ପ୍ରତି ବହୁ ଅନ୍ୟାୟ ଓ ଅବହେଳା କରାଯାଇଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଭରା ଅଭିଯୋଗ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିଥିଲେ ଓ ତାଙ୍କୁ ନ୍ୟାୟ ଦେବା ପାଇଁ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ଜିଲ୍ଲାର ୨୨ ବର୍ଷର ଭିନ୍ନକ୍ଷମ ଯୁବକ ନିରାକାର ନାୟକ। ସାଙ୍ଗରେ ଥିଲେ ତାଙ୍କ ବାପା ଓ ମା’। ଜାପାନୀ ଜ୍ୱରରେ ପୀଡ଼ିତ ହୋଇ ଯୁବକ ଜଣକ ଭିନ୍ନକ୍ଷମ ହୋଇଯାଇଛନ୍ତି। ଚିକିତ୍ସା ପାଇଁ ବହୁ ଖର୍ଚ୍ଚାନ୍ତ ହେଲେଣି। ଚିକିତ୍ସା ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ଚିକିତ୍ସା ବାବଦରେ ଆଶ୍ୱାସନା ଭରା ପ୍ରତିଶ୍ରୁତି ଶୁଣି ସେମାନେ ଘରକୁ ଫେରିଥିଲେ। 

କୋରାପୁଟ ଜିଲ୍ଲାର ଅଭିଯୋଗକାରୀ ରମେଶ ଧଳ। ଗାଁରେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ବିଷୟ ନେଇ ସପତ୍ନୀକ ଆସିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣି ଜିଲ୍ଲା ଏସ୍‌ପିଙ୍କୁ ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ସରୋଜିନୀ ଦାସ। ସେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି। ହତ୍ୟାକାରୀଙ୍କୁ ଆଜି ସୁଦ୍ଧା ପୁଲିସ ଧରୁନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନ୍ୟାୟ ମିଳୁଛି କି ନାହିଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ଲାଗି ଅଭିଯୋଗକାରୀଙ୍କୁ କହିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରୁ ୧୭ଜଣ ଚାଷୀ ତାଙ୍କ ଅଞ୍ଚଳର ବରୁଣା ପ୍ରାଥମିକ କୃଷି ସମବାୟ ସମିତିରେ ହୋଇଥିବା ଆର୍ଥିକ ହେରଫେର ବିଷୟରେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପଦଯାତ୍ରାରେ ଆସିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ସମିତିର ଦୁଇ ଜଣ ଅଧିକାରୀ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଆର୍ଥିକ ସହାୟତାକୁ ଚଞ୍ଚକତା କରି ହଡ଼ପ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ମୁଖ୍ୟମନ୍ତ୍ରୀ ନିଜେ ସେମାନଙ୍କ ପାଖକୁ ଆସି ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଯଥାଶୀଘ୍ର ଏହି ଅଭିଯୋଗ ଉପରେ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ମିଳିବା ସହିତ ଆପଣମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।