ନ୍ୟାୟ ନ ମିଳି‌ଲେ ସିବିଆଇକୁ ଯିବୁ: ପରୀଙ୍କ ମା’

ବିଚାର ବିଭାଗୀୟ ତଦନ୍ତ ହେଉ: ଜିଲ୍ଲା କଂଗ୍ରେସ
କ୍ରାଇମବ୍ରାଞ୍ଚ ତଦନ୍ତ ଏକ ଧୂଆଁବାଣ: ବିଜେପି
ହାଇ‌େକାର୍ଟରେ ଜନସ୍ବାର୍ଥ ମାମଲା ଦାୟର୍‌

ନୟାଗଡ଼/କଟକ : ନୟାଗଡ଼ର ବହୁଚର୍ଚ୍ଚିତ ନାବାଳିକା ଅମ୍ରିତାସ୍ନେହା ସାହୁ ଓରଫ୍‌ ପରୀ(୫) ହତ୍ୟା ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି। ଏଭଳି ଘୋଷଣା ପରେ ହତ୍ୟାକାରୀ ଧରାପଡ଼ିବା ନେଇ ନୟାଗଡ଼ରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ଏକ ଧୂଅାଁବାଣ ବୋଲି ବି‌ଜେପି କହିଥିବାବେଳେ କଂଗ୍ରେସ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ଅପରପକ୍ଷେ, ନ୍ୟାୟ ନ ମିଳିଲେ ସିବିଆଇ ଯିବୁ ବୋଲି ପରୀର ମା’ କହିଛନ୍ତି।

ବାପା ଅଶୋକ ସାହୁ କହିଛନ୍ତି, ‘କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବ ବୋଲି ଗଣମାଧ୍ୟମରୁ ଜାଣିଲୁ। ପୁଲିସ ତ କିଛି ତଦନ୍ତ କଲା ନାହିଁ, ଓଲଟି ଆମକୁ ହଇରାଣ କଲା, ଦେଖାଯାଉ କ୍ରାଇମ୍‌ବ୍ରାଞ୍ଚ କ’ଣ କରୁଛି! କ୍ରାଇମବ୍ରାଞ୍ଚ ନ୍ୟାୟ ଦେବ ବୋଲି ଆଶା କରୁଛି।’ ପରୀର ମା’ ସୌଦାମିନୀ ସାହୁ କହିଛନ୍ତି, ‘କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରାଯାଇଛି, କିନ୍ତୁ ସେ କିଭଳି ତଦନ୍ତ କରିବ ଦେଖାଯାଉ। ଯଦି ନ୍ୟାୟ ନ ମିଳିଲା ସିବିଆଇର ଦ୍ବାରସ୍ଥ ହେବୁ।’ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ କହିଛନ୍ତି, କ୍ରାଇମବ୍ରାଞ୍ଚ ‌ହେଉଛି ରାଜ୍ୟ ସରକାରଙ୍କ ପୁଲିସ। ସେମାନେ କେବେ ବି ଠିକ୍‌ ତଦନ୍ତ କରିବେ ନାହିଁ। ଜିଲ୍ଲା ଜଜ୍‌ ପାହ୍ୟାର ଜଣେ ବିଚାରପତିଙ୍କ ଦ୍ବାରା ମାମଲାର ବିଚାର ବିଭାଗୀୟ ତଦନ୍ତ କରାଯାଉ। ନୟାଗଡ଼ ବାସିନ୍ଦା ତଥା ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ସନ୍ତୋଷ ପ୍ରଧାନ କହିଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତରେ କିଛି ଲାଭ ନାହିଁ। କ୍ରାଇମବ୍ରାଞ୍ଚ ପୁଲିସ ଉପରେ ମଧ୍ୟ ବିଧାୟକ, ମନ୍ତ୍ରୀଙ୍କ ପ୍ରଭାବ ରହିବ। ନୟାଗଡ଼ ପୁଲିସ ଭଳି କ୍ରାଇମବ୍ରାଞ୍ଚ ତଦନ୍ତ କରିବ, ତେଣୁ ହାଇକୋର୍ଟସ୍ତରୀୟ ଅବସରପ୍ରାପ୍ତ ଜଜ୍‌ଙ୍କ ଦ୍ବାରା ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉ। ନଚେତ୍ ସିବିଆଇ ତଦନ୍ତ ହେଉ।

ଅନ୍ୟପକ୍ଷରେ, ପରୀ ହତ୍ୟାକାଣ୍ଡ ମାମଲା ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ପରୀର ବାପା-ମାଙ୍କୁ ନ୍ୟାୟ ପ୍ରଦାନ ସହିତ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବା ଉଚିତ ବୋଲି ଆବେଦନକାରୀ ପି. ମହାପାତ୍ର ଏହି ମାମଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର