କଟକ: ଭାଷାରେ ରାଜନୀତି ପ୍ରବେଶ କରିବା ପରେ ଭାଷା ବିଭାଜିତ ହୋଇ ରାଷ୍ଟ୍ରଭାଷା, ରାଜଭାଷା ଓ ଭାଷାରେ ପରିଣତ ହୋଇଛି। ମଣିଷଙ୍କୁ ମଣିଷ ସହ ଯୋଡ଼ିବା ପାଇଁ ଭାଷା ହିଁ ଆବଶ୍ୟକ। ଭାଷା ପ୍ରତି ଆତ୍ମୀୟତା ଓ ଭଲପାଇବା ରହିଲେ ହିଁ ଭାଷା ସମୃଦ୍ଧ ହୋଇଥାଏ ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। କଟକ ପୁରୁଣା ସଚିବାଳୟସ୍ଥିତ ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନ ପକ୍ଷରୁ ଆୟୋଜିତ ହିନ୍ଦୀ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ହିନ୍ଦୀ ଭାଷାର ରକ୍ଷକ ‌ହିନ୍ଦୀ ଶିକ୍ଷକ ବା ଅଧ୍ୟାପକମାନେ ନୁହନ୍ତି। ରକ୍ଷକ ହେଉଛି ହିନ୍ଦୀ ସିନେମା। ରାଜ୍‌ କାପୁର, ବୈଜୟନ୍ତୀମାଳାଙ୍କ ଭଳି ଅଭିନେତା, ଅଭିନେତ୍ରୀଙ୍କ ପାଇଁ ହିନ୍ଦୀ ଭାଷା ଲୋକପ୍ରିୟ ହୋଇଛି। କିନ୍ତୁ ବହୁଳ ବ୍ୟବହାର ନ ହେବା କାରଣରୁ ସଂସ୍କୃ୍ତ କେବଳ ପଣ୍ଡିତମାନଙ୍କ ଭାଷା ହୋଇ ରହିଛି। ଭାଷା ଉଦାର ହେଲେ ଅଧିକ ଲୋକ ବ୍ୟବହାର କରିବେ ଓ ଏହାର ପ୍ରଚାରପ୍ରସାର ବଢ଼ିବ ‌ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। 

Advertisment

ହିନ୍ଦୀ ଶିକ୍ଷକ ପ୍ରତିଷ୍ଠାନ ସଂସ୍ଥାନର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସତ୍ୟନାରାୟଣ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ରବୀନ୍ଦ୍ରନାଥ ମିଶ୍ର କହିଥିଲେ ଯେ ଭାଷା ମାଧ୍ୟମରେ ମନୁଷ୍ୟ ନିଜ ଭାବନା ସହ ଅନ୍ତର୍ନିହିତ ଗୁଣାବଳୀର ପ୍ରକାଶ କରିଥାଏ। ଏଥି ପାଇଁ ଭାଷା ଉପରେ ଅଧିକ ଅଧ୍ୟୟନ କରିବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ଡକ୍ଟର ମିଶ୍ର ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ଭରତସିଂହ ପରମାର, ପ୍ରକାଶକ ଦେବାଶିଷ ସାମନ୍ତରାୟ, ବ୍ୟାଙ୍କ ଅଫ୍‌ ବରୋଦାର ମୁଖ୍ୟ ପରିଚାଳକ ମନୀଷା ଯାଦବ, ସଂସ୍ଥାନର ଶୈକ୍ଷିକ ସଂଯୋଜିକା ଡକ୍ଟର ଲୋପାମୁଦ୍ରା ବେହେରା ପ୍ରମୁଖ ହିନ୍ଦୀ ଭା‌ଷାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନ ପକ୍ଷରୁ ୧୦ଟି ଗଳ୍ପକୁ ନେଇ ଏକ ଅନୁବାଦ ପୁସ୍ତକ ‌ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସଂସ୍ଥାନ ପକ୍ଷରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ସ୍ବାତୀ ଶୁଭଲଗ୍ନା, ହେମକାନ୍ତ ଲୁହା, ବିଶ୍ବଲିପ୍ସା ବେହେରା, ଜୟସ୍ମିତା ପାତ୍ର ଓ ଓ କବିତା ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ତିଳୋତ୍ତମା ଭୋଇ, ସୋନାଲି ମୁଖୀ, ଜୟମନ୍ତ ପଧାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ପୁରସ୍କୃତ କରିଥିଲେ। ସଂସ୍ଥାନର ଅଧକ୍ଷ ପ୍ରଫେସର ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଅଧ୍ୟାପିକା ତପସ୍ବିନୀ ପାଣିଗ୍ରାହୀ ସଂଯୋଜନା କରିଥିଲେ। ଅଧ୍ୟାପିକା ପ୍ରୀତିପ୍ରଜ୍ଞା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଭାସ୍କର୍ଯ୍ୟଶିଳ୍ପୀ ରବିନାରାୟଣ ରଥଙ୍କ ସମେତ ସଂସ୍ଥାନର ଅଧ୍ୟାପିକା, ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ।