ମହାନଦୀ ଓ ଗୋଦାବରୀ ସଂଯୋଗୀକରଣ ହେଲେ ବରମୂଳରେ ମହାନଦୀର ପାଣି କମିବ

ଭୁବନେଶ୍ବର : ନଦୀ ସଂଯୋଗୀକରଣ ଯୋଜନାରେ ଭାରତ ସରକାରଙ୍କ ଜାତୀୟ ଜଳ ବିକାଶ ସଂସ୍ଥା ଓଡ଼ିଶାର ଦୁଇଟି ନଦୀ ସଂଯୋଗୀକରଣ ପ୍ରକଳ୍ପ ପ୍ରସ୍ତାବ ଅନୁଧ୍ୟାନ କରିଛନ୍ତି। ପ୍ରଥମ ପ୍ରସ୍ତାବରେ ମହାନଦୀ (ବରମୂଳ)- ଗୋଦାବରୀ (ଦୱଲୈସ୍ବରମ୍) ନଦୀ ସଂଯୋଗୀକରଣ ପ୍ରସ୍ତାବର ଜଳବିଜ୍ଞାନ ଅଧ୍ୟୟନ କରି ଜାତୀୟ ଜଳ ବିକାଶ ସଂସ୍ଥା (ଏନ୍‌ଡବ୍ଲ୍ୟୁଡିଏ) ଦ୍ବାରା ବିସ୍ତୃତ ପ୍ରକଳ୍ପ ବିବରଣୀ କରାଯାଇଛି। ଏନ୍‌ଡବ୍ଲ୍ୟୁଡିଏ ଦର୍ଶାଇଥିବା ମହାନଦୀର ବରମୂଳ ଠାରେ ଜଳର ପରିମାଣ, ଓଡ଼ିଶା ସରକାରଙ୍କର ଜଳବିଜ୍ଞାନ ଅଧ୍ୟୟନ ଅନୁଯାୟୀ କମ୍‌ ହେବ ଏବଂ ମହାନଦୀର ତ୍ରିକୋଣଭୂମି ପାଇଁ ପରିବେଶ ସ୍ରୋତକୁ ବିବେଚନା କରାଯାଇନଥିବା ଉପରେ ଆପତ୍ତି ଅଛି। ବରମୂଳ ଠାରେ ମହାନଦୀର ଜଳସ୍ରୋତ , ଉପରମୁଣ୍ଡରେ ଥିବା ରାଜ୍ୟଗୁଡ଼ିକର ଛାଡ଼ୁଥିବା ଜଳ ଉପରେ ନିର୍ଭର କରେ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ମହାନଦୀ ଓ ଗୋଦାବରୀ ସଂଯୋଗୀକରଣ ଯୋଜନା ସମ୍ବନ୍ଧୀୟ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି।

ସେହିପରି ଦ୍ବିତୀୟ ପ୍ରସ୍ତାବରେ ସୁବର୍ଣ୍ଣରେଖା- ମହାନଦୀ ସଂଯୋଗୀକରଣ ପ୍ରକଳ୍ପ ପ୍ରସ୍ତାବଟି ଜାତୀୟ ଜଳ ବିକାଶ ସଂସ୍ଥା ଦ୍ବାରା ଜଳବିଜ୍ଞାନ ଅଧ୍ୟୟନ କରି ସମ୍ଭାବ୍ୟ ବିବରଣୀ (ଏଫ୍‌ଆର୍‌) ପ୍ରସ୍ତୁତ କରାଯାଇଛି। ଏହି ସଂଯୋଗୀକରଣ ପ୍ରକଳ୍ପଟି ଓଡ଼ିଶାର ସମତଳ, ଜନବହୁଳ ଓ ଜଳସେଚିତ ଅଞ୍ଚଳ ଦେଇ ଗତି କରିବାର ପ୍ରସ୍ତାବ ଅଛି। ଏ ସମ୍ବନ୍ଧରେ ସରକାର ଓଡ଼ିଶାର ଉପରମୁଣ୍ଡରେ ଥିବା ରାଜ୍ୟ (ଆସାମ, ପଶ୍ଚିମବଙ୍ଗ)ର ଆଭିମୁଖ୍ୟ କ’ଣ ତା’ର ବିଶେଷ ବିବରଣୀ ପାଇଁ ଅନୁରୋଧ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର