ବାରିପଦା: ମା’, ମାଟି ଓ ମାତୃଭାଷାକୁ ହତାଦର କଲେ ଆଗକୁ ବଢ଼ିବା କଷ୍ଟ। ତେଣୁ ଛାତ୍ରଛାତ୍ରୀ ମା’, ମାଟି ଓ ମାତୃଭାଷାକୁ ଭଲ ଭାବେ ଚିହ୍ନିବା ସହ ଅଧିକ ଭଲ ପାଇବା ଦରକାର ବୋଲି କହିଛନ୍ତି ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ବିଶ୍ବବିଦ୍ୟାଳୟ ସ୍ତରରୁ ସ୍ବର ଉଠିବା ଦରକାର। ତେବେ ବିଭିନ୍ନ କାରଣରୁ ନେତୃତ୍ବ ନେବା ଲାଗି ଛାତ୍ରଛାତ୍ରୀ ଆଉ ଆଗଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି। ଛାତ୍ରସଂସଦ ନିର୍ବାଚନ ଛାତ୍ରଛାତ୍ରୀଙ୍କ ପାଇଁ ନେତୃତ୍ବ ନେବାର ମୂଳଦୁଆ। ବିଭିନ୍ନ ଆଳ ଦେଖାଇ ସରକାର ଛାତ୍ରସଂସଦ ନିର୍ବାଚନ ବନ୍ଦ କରିଦେଇଛନ୍ତି। ଏ ଦିଗରେ ଛାତ୍ରଛାତ୍ରୀ ଓ ଅଭିଭ‌ାବକ ମଧ୍ୟ ପ୍ରତିବାଦ ନ କରିବା ବିଡ଼ମ୍ବନାର ବିଷୟ। ମନ ଯଦି ନିର୍ମଳ ରହିବ ତାହା ହେଲେ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ସହଜ ହେବ କହି ଶ୍ରୀ ପଟ୍ଟନାୟକ ୫ଟି ‘ମ’ ଓ ‘ନ’ର ଉଦାହରଣ ରଖିଥିଲେ। ପ୍ରଥମେ ମା’ ଓ ତା’ପରେ ମାଟି। ମା’କୁ ସମସ୍ତେ ସମ୍ମାନ ଦେବା ସହ ଜନ୍ମମାଟିକୁ କେବେ ବି ହତାଦର କରିବା ଉଚିତ ନୁ‌ହେଁ। ୮୦ ପ୍ରତିଶତ ସଫଳ ବ୍ୟକ୍ତି ଜନ୍ମମାଟି ଛାଡ଼ି ବାହାରେ ରହୁଛନ୍ତି। ହେଲେ ପରବର୍ତ୍ତୀ ସମୟରେ ଜନ୍ମମାଟିକୁ ଭୁଲିଯିବାର ମଧ୍ୟ ଅନେକ ନଜିର ରହିଛି। ସେମିତି ମାତୃଭାଷାକୁ ମଧ୍ୟ ଅବହେଳା କରିବା କଥ‌ା ନୁହେଁ। ମୋବାଇଲ ଏବେ ଆଧୁନିକ ଅଙ୍ଗବସ୍ତ୍ର ପାଲଟିଥିବା ବେଳେ ସମସ୍ତଙ୍କର ଜୀବନଶୈଳୀକୁ ବଦଳାଇ ଦେଇଛି। ତେବେ ‌‌ମୋବାଇଲକୁ ନିଜ ନିୟନ୍ତ୍ରଣରେ ରଖିବା ଦରକାର।

Advertisment

ସେହିପରି ୫ଟି ‘ନ’ର ବାଖ୍ୟା କରି ଶ୍ରୀ ପଟ୍ଟନାୟକ ‘ନିରୋଗ’, ‘ନିରଅହଂକାରୀ’, ‘ନିରାଡ଼ମ୍ବର’, ‘ନିଡର’ ଓ ‘ନିଶାମୁକ୍ତ’ ହେବାକୁ ଆହ୍ବାନ ‌କରିଥିଲେ। ସବୁ କ୍ଷେତ୍ରରେ ଚୁପ୍ ରହିଲେ ହେବନାହିଁ। ଯେଉଁଠି ଆବଶ୍ୟକତା ପଡ଼ୁଛି, ସେସବୁ ସ୍ଥାନରେ ପ୍ରଶ୍ନ ପଚାରିବା ଶିଖ। ବିହାର ପାଟଣା କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମୟୂରଭଞ୍ଜର ସ୍ବର୍ଣ୍ଣିମ ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୟୂରଭଞ୍ଜର ସାହିତ୍ୟ, କଳା, ସଂସ୍କୃତି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତାଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ହଳଧର ପଣ୍ଡା ଓ ମୟୂରଭଞ୍ଜର ସୁସାହିତ୍ୟିକ ତଥା ଗବେଷକ ଡ.ମୋହିତ ଷଡ଼ଙ୍ଗୀଙ୍କୁ ‘ଭୂମି ଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ୫୦ରୁ ଊର୍ଦ୍ଧ୍ବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। କୁଳସଚିବ ସହଦେବ ସମାଧିଆ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପିଜି କାଉନ୍‌ସିଲ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥି‌ଲେ। ବିତ୍ତ ନିୟନ୍ତ୍ରକ ଶୁକଦେବ ତ‌ରେଇ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟ‌ାପିକା, କର୍ମଚାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।