ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ, ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ୍ ନିୟମାବଳୀକୁ ପାଳନ କରିବା ଉଚିତ୍। ନଚେତ୍ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କହିଛନ୍ତି ବିଶିଷ୍ଟ ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର।
ଡା.ମହାପାତ୍ର କହିଛନ୍ତି, ସଂକ୍ରମଣ ହ୍ରାସ ପାଇଥିଲେ ହେଁ, ଆମେ ବିପଦମୁକ୍ତ ବୋଲି କହିପାରିବା ନାହିଁ। ଭାରତରେ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ବେଳେ ଏହାର ୫୦ ପ୍ରତିଶତ ଅଧିକ ସଂକ୍ରମଣ କରିପାରେ। ଏହାସହ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲର ଷ୍ଟ୍ରେନ୍ ମଧ୍ୟ ଦେଶରେ ଚିହ୍ନଟ ହୋଇସାରିଲାଣି। ତେଣୁ ରୋଗକୁ ନେଇ ଆଉ ଭୟ ନାହିଁ ବୋଲି ଭାବିବା ଭୁଲ୍। କରୋନାର ଦ୍ରୁତ ସଂକ୍ରମଣ ସମୟରେ ଲକ୍ଡାଉନ୍, ସଟ୍ଡାଉନ୍ ବେଳେ ଲୋକମାନେ ଭୟଭୀତ ଥିଲେ। ହେଲେ ଏବେ ବେଶ୍ ଆରାମରେ ବୁଲୁଛନ୍ତି। ସାମାଜିକ ଦୂରତ୍ବ ପାଳନ ବନ୍ଦ ହୋଇ ଯାଇଥିବା ବେଳେ ଲୋକମାନେ ମାସ୍କ ପିନ୍ଧୁ ନ ଥିବା ନଜରକୁ ଆସୁଛି। ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏହା ଭୂତାଣକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇପାରେ। ତେବେ ଏହାଦ୍ବାରା ଭୂତାଣୁ ହଜି ଯିବନାହିଁ ଓ ଲୋକମାନେ ନିଜକୁ ସୁରକ୍ଷିତ ବୋଲି ଭାବିବା ଉଚିତ୍ ନୁହେଁ। ସତର୍କ ନ ହେଲେ କରୋନା ସଂକ୍ରମଣ ପୁଣିଥରେ ଫେରିପାରେ। ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ୍ କରିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା କୋଭିଡ୍-୧୯ ବିରୋଧ ଲଢ଼େଇର ୩ ମନ୍ତ୍ର ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।