‘ରାଜା ସାହେବ ଚାହିଁଲେ ମୁଁ ପୁଣି ଏମ୍‌ପି ହୋଇପାରିବି’, ଧର୍ମେନ୍ଦ୍ରଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା

ସମ୍ବଲପୁର : ‘ରାଜା ସାହେବ ଚାହିଁଲେ ମୁଁ କେତେବେଳେ ଏମ୍‌ପି ବି ହୋଇଯାଇ ପାରିବି’। ଶନିବାର ଖିଣ୍ଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା ଏହି କଥା ପଦକ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା ଆସନରୁ ଛିଡ଼ା ହୋଇ ପାରନ୍ତି ବୋଲି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ନିଜେ ପ୍ରତ୍ୟକ୍ଷ ଲଢ଼େଇରୁ ଦୂରରେ ରହି ଅପ୍ରତ୍ୟାଶିତ ଭାବେ ଦେବଗଡ଼ ରାଜା ନିତେଶ ଗଂଗଦେବଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କଲେ। ସମ୍ବଲପୁର ଆସନର ପ୍ରମୁଖ ଦାବିଦାର ସୁରେଶ ପୂଜାରୀଙ୍କୁ ବରଗଡ଼କୁ ପଠେଇ ଦେଲେ। ସେତିକିବେଳେ ଧର୍ମେନ୍ଦ୍ରଙ୍କ ଏହି ମାଷ୍ଟର୍‌ଷ୍ଟ୍ରୋକ୍‌ ଚମତ୍କାର କାମ କରିଥିଲା। ପଶ୍ଚିମ ଓଡ଼ିଶାର ୫ଟି ଯାକ ଲୋକସଭା ଆସନ ସମେତ କିଛି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନକୁ ବିଜେପି ହାତେଇ ନେଇଥିଲା। ସମ୍ବଲପୁର ଯେ ବିଜେପିର ପାରଂପରିକ ଗଡ଼ରେ ପରିଣତ ହୋଇ ସାରିଛି ତାହା ପୁଣିଥରେ ପ୍ରମାଣିତ ହୋଇଥିଲା।

ରାଜ୍ୟର ଅନ୍ୟ ସ୍ଥାନ ତୁଳନାରେ ସମ୍ବଲପୁରରେ ବିଜେପିର ଶକ୍ତି ଅଧିକ ତାହା ମଧ୍ୟ ବିଭିନ୍ନ ସମୟରେ ପ୍ରମାଣିତ ହୋଇଛି। ଏହା ହୁଏତ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ସମ୍ମାନଜନକ ଆସନ ପ୍ରତି ଆକର୍ଷିତ କରିଛି। ଶନିବାର ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମଭୂମି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗାଁକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ସମୟରେ ହାଲୁକାରେ ହେଲେ ବି ଏଭଳି ଏକ କଥା କହିଲେ ଯାହା ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଛି। ଖିଣ୍ଡାର ବିକାଶ ସଂପର୍କରେ କହିବା ବେଳେ ଧର୍ମେନ୍ଦ୍ର କହିଲେ, ‘ମୁଁ ତ’ ପୂର୍ବ ଏମ୍‌ପି। ଜୀବଦ୍ଦଶାରେ ପୁଣି ଏମ୍‌ପି ହେବି କି ନାହିଁ ଜଣା ନାହିଁ। କିନ୍ତୁ ପୂର୍ବ ଏମ୍‌ପି ତ’ ରହିବି ନା? ରାଜା ସାହେବ ଚାହିଁଲେ ମୁଁ କେତେବେଳେ ପୁଣି ଏମ୍‌ପି ବି ହୋଇଯାଇ ପାରିବି’। ତାଙ୍କ କଥାକୁ ଉପସ୍ଥିତ ଲୋକେ ତାଳିମାରି ସମର୍ଥନ କରିଥିଲେ।

ଧର୍ମେନ୍ଦ୍ର କହିଥିଲେ ଯେ ସେ ଖିଣ୍ଡାର ପୂର୍ବତନ ଏମ୍‌ପି। କାରଣ ଏବେ ରେଂଗାଲି ବିଧାନସଭା କ୍ଷେତ୍ରରେ ଆସୁଥିବା ଖିଣ୍ଡା ପୂର୍ବରୁ ଝାରସୁଗୁଡ଼ା ବିଧାନସଭା ଅଧୀନରେ ଆସୁଥିଲା। ଝାରସୁଗୁଡ଼ା ବିଧାନସଭା ଦେବଗଡ଼ ଲୋକସଭା କ୍ଷେତ୍ରରେ ଥିଲା। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଦେବଗଡ଼ ଲୋକସଭା କ୍ଷେତ୍ରର ସାଂସଦ ଥିଲେ। ସେହି ହିସାବରେ ସେ ଖିଣ୍ଡାର ପୂର୍ବତନ ଏମ୍‌ପି ହୋଇଥିବାରୁ ତାର ବିକାଶ ଦାୟିତ୍ବ ବି ତାଙ୍କର ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଖିଣ୍ଡା ସମ୍ବଲପୁର ଲୋକସଭା ଅଧୀନରେ ଆସୁଥିବାରୁ ରାଜା ସାହେବ ଚାହିଁଲେ ସେ ପୁଣି ଖିଣ୍ଡାର ଅର୍ଥାତ୍ ସମ୍ବଲପୁରର ‌ଏମ୍‌ପି ହୋଇପାରିବେ ବୋଲି କହିଥିଲେ। ଏହି ଭାଷଣ ଜରିଆରେ ଆଗାମୀ ଦିନରେ ସେ ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ପରୋକ୍ଷରେ ସୂଚାଇ ଦେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଧର୍ମେନ୍ଦ୍ର ମଧ୍ୟ ଏହି ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରେ ନିଜ ଅନୁଗତଙ୍କୁ ଦଳୀୟ ଦାୟିତ୍ବ ଦେଇ ଚର୍ଚ୍ଚାକୁ ବଳ ଦେଇଛନ୍ତି।

ସମ୍ବନ୍ଧିତ ଖବର