ବଜାର ଘାଟରେ ପରସ୍ପର ମଧ୍ୟରେ ୨ମିଟରର ଦୂରତା ନରଖିଲେ ତଣ୍ଡ ଗଣିବେ ୫୦୦ ଟଙ୍କା; ମାସ୍କ ନପିନ୍ଧିଲେ ଦୋକାନ ମନା

ଭୁବନେଶ୍ବର: ମାସ୍କ ପରେ ଏବେ ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣ ରୋକିବାକୁ କମିଶନରେଟ୍ ପୁଲିସ ଗ୍ରହଣ କରିଛି କଡ଼ା ଆଭିମୁଖ୍ୟ। କଟକ-ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଞ୍ଚଳରେ ଭିଡ଼ ନକରିବା ପାଇଁ ଆଉ ଏକ ନୂତନ ଗାଇଡ୍ ଲାଇନ୍ ଜାରି କରିଛି କମିଶନରେଟ୍ ପୁଲିସ୍। ଏଣିକି ବଜାରଘାଟରେ ପରସ୍ପର ମଧ୍ୟରେ ସାମାଜିକ ଦୁରତ୍ୱ ନରଖିଲେ ଜରିମାନା ଗଣିବାକୁ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ମେ ୧ ତାରଖ, ଅର୍ଥାତ୍‌ ଆସନ୍ତାକାଲି ଠାରୁ ଲାଗୁ ହେବ ଏହି ନୂଆ ନିୟମ।

ନୂଆ ନିୟମ ଅନୁଯାୟୀ
• ଯେ କୌଣସି ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତା ଦୁଇ ମିଟର ବା ୬ ଫୁଟ୍ ରହିବା ଆବଶ୍ୟକ
• ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ନିଜ ପରିସର ମଧ୍ୟରେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେବେ
• ଟ୍ୱିନସିଟିର ପୌର ଅଞ୍ଚଳ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଦୋକାନ ଖୋଲିବା ମନା
• ଅନୁମତି ନମଳିଥିବା ଦୋକାନ ଖୋଲିବା ଉପରେ କଡ଼ା କଟକଣା
• ଗ୍ରାହକମାନେ ଦୋକାନରୁ କିଣାକିଣି କଲାବେଳେ ସାମାଜିକ ଦୂରତ୍ୱ ପାଳନ କରିବେ
• କୌଣସି ଗ୍ରାହକ ଏହାର ଉଲ୍ଲଂଘନ କଲେ ଜରିମାନା ଦେବେ
• ଯଦି ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକଙ୍କ କଥା ମାନି ଗ୍ରାହକମାନେ ସାମାଜିକ ଦୂରତ୍ୱ ନରଖନ୍ତି, ତେବେ ସେମାନେ ପୁଲିସଙ୍କୁ ୧୦୦ ନମ୍ବରରେ ଜଣାଇପାରିବେ
• ସାମାଜିକ ଦୂରତ୍ୱ ଭାଙ୍ଗୁଥିବା ଗ୍ରାହକମାନଙ୍କୁ ଦୋକାନି ବୁଝାଇବେ
• ସବୁ ଦୋକାନି ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଏବଂ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
• ମାସ୍କ ପିନ୍ଧି ନଥିବା ଗ୍ରାହକଙ୍କୁ ଦୋକାନ ମନା
• ଦୋକାନ ପରିସରରେ ଥିଲେ ବି ଗ୍ରାହକଙ୍କୁ ମୁହଁରୁ ମାସ୍କ ଖୋଲିବା ମନା
• ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ହାତ ଧୋଇବା ପାଇଁ ସାନିଟାଇଜରର ବ୍ୟବସ୍ଥା କରିବେ
• କୌଣସି ବ୍ୟକ୍ତି ବଜାର ଅଞ୍ଚଳରେ ଗୁଟୁଖା, ପାନ ଇତ୍ୟାଦି ପାଟିରେ ରଖି ଯିବେ ନାହିଁ ଏବଂ ବାହାରେ ଛେପ ପକାଇବେ ନାହିଁ

କୋଭିଡ୍-୧୯ ଅଧିନିୟମ ଅନୁସାରେ କମିଶନରେଟ୍ ପୁଲିସ ଏଏସଆଇ ଓ ଉପରିସ୍ଥ କର୍ମଚାରୀମାନଙ୍କୁ ଜରିମାନା ଆଦାୟ ପାଇଁ କ୍ଷମତା ଦେଇଛନ୍ତି। ଆସନ୍ତା କାଲିଠାରୁ
ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର