ଭୁବନେଶ୍ବର: ଶିଳ୍ପ ପାଇଁ ବିସ୍ଥାପନ ଓ ବିସ୍ଥାପିତଙ୍କ ସଂଘର୍ଷର କାହାଣୀକୁ ନେଇ ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ସ୍ବର୍ଗତ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ପ୍ରଥମ ଫିଲ୍ମ ‘ହାକିମବାବୁ’। ଏହା ପରବର୍ଷ ଏହି ‘ହାକିମବାବୁ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଥିଲା। ୩୮ ବର୍ଷ ପରେ ଇତିହାସର ପୁନରାବୃତ୍ତି ଘଟିଛି। ଅମୀୟଙ୍କ ପୁଅ ଅନୁପମ ପଟ୍ଟନାୟକ ମଧ୍ୟ ନିଜର ପ୍ରଥମ ଫିଲ୍ମ ‘ପ୍ରତୀକ୍ଷା’ ପାଇଁ ସମାନ ବିଭାଗରେ ଚଳିତ ବର୍ଷ ଜାତୀୟ ପୁରସ୍କାର ପାଇଛନ୍ତି। ଏକ ମଧ୍ୟବିତ୍ତ ପରିବାରର ଅପେକ୍ଷା ଓ ସଂଘର୍ଷର କାହାଣୀ ବୟାନ କରୁଥିବା ‘ପ୍ରତୀକ୍ଷା’ ଗତବର୍ଷ ଲମ୍ବା ପ୍ରତୀକ୍ଷା ପରେ ଏକ ମୌଳିକ ଓଡ଼ିଆ କାହାଣୀ ଜରିଆରେ ଓଡ଼ିଆ ଦର୍ଶକଙ୍କର ମନୋରଞ୍ଜନ କରିବା ସହିତ ଓଡ଼ିଆ ଫିଲ୍ମ ପ୍ରତି ସାଧାରଣରେ ଏକ ଉତ୍ସାହ ସୃଷ୍ଟି କରିବାରେ ସଫଳ ହୋଇଥିଲା। ଆଗକୁ ତାଙ୍କର ‘ତ୍ରିକନ୍ୟା’ ଓ ‘କାହାଣୀ’ ଫିଲ୍ମ ରିଲିଜ୍‌ ଅପେକ୍ଷାରେ ରହିଛି। ଆଜି ନୂଆଦିଲ୍ଲୀ‌ରେ ଆୟୋଜିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପୁରସ୍କାର ଗ୍ରହଣ କରିବା ଅବସରରେ ‘ପ୍ରତୀକ୍ଷା’ର ପ୍ରତିଭାବାନ ପ୍ରଯୋଜକ ଓ ନିର୍ଦ୍ଦେଶକ ଅନୁପମଙ୍କ ସହ ଏକ ସଂକ୍ଷିପ୍ତ ଆଳାପରୁ କିଛି ଅଂଶ:

Advertisment

ଓଡ଼ିଆ ଫିଲ୍ମ ଏବେ ଏକ ଆହ୍ବାନପୂର୍ଣ୍ଣ ସମୟ ଦେଇ ଗତି କରୁଛି, ଏହାକୁ କିଭଳି ଅତିକ୍ରାନ୍ତ କରିବେ ବୋଲି ଯୋଜନା ରଖିଛନ୍ତି?
ଓଡ଼ିଆ ଦର୍ଶକ ସବୁବେଳେ ପାରିବାରିକ କାହାଣୀକୁ ଭଲ ପାଇବା ଦେଇ ଆସିଛନ୍ତି। ଏଣୁ ‘ପ୍ରତୀକ୍ଷା’ ଭଳି ଏକ ପାରିବାରିକ କାହାଣୀ ନିର୍ମାଣ ମୋର ପ୍ରଥମ ଯୋଜନା ଥିଲା। ଦର୍ଶକଙ୍କ ପ୍ରଚୁର ଭଲ ପାଇବାରେ ଏହାର ଖୁବ୍‌ ସଫଳ ବି ହେଲା। ଏହା ସୁପରହିଟ୍‌ ହେଲା ଓ ଜାତୀୟସ୍ତରରେ ବି ଚର୍ଚ୍ଚିତ ହେଲା। ଆଜି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଜିତିପାରିଲା। ପ୍ରତିବର୍ଷ ଏହିଭଳି ଭଲ କାହାଣୀକୁ ନେଇ ଚଳଚ୍ଚିତ୍ରର ରୂପ ଦେବାକୁ ଚାହିବି, ଯାହାକି ଓଡ଼ିଆ ଦର୍ଶକଙ୍କୁ ଓଡ଼ିଆ ଫିଲ୍ମ ପାଇଁ ସିନେମା ହଲ୍‌କୁ ଟାଣିଆଣିବ। ଅତିକମ୍‌ରେ ଉଚ୍ଚମାନର ଫିଲ୍ମ କରିବାକୁ ଚେଷ୍ଟା କରିବି, ଯାହାକି ଅନ୍ୟ ଭାଷାର ଫିଲ୍ମ ସହ ତାଳ ଦେଇ ପାରୁଥିବ।

ପୂର୍ବରୁ ପୂଜା ବଜାରରେ ଅମୀୟ ପଟ୍ଟନାୟକଙ୍କ ଫିଲ୍ମର ରାଜ୍‌ ଚାଲୁଥିଲା। ଆପଣଙ୍କର କ’ଣ ଯୋଜନା ରହିବ?
ପୁରୁଣା ସିନେମା ସବୁ ରଜ କିମ୍ବା ଦଶହରା ସମୟରେ ଚାହିଦା ଥିବାରୁ ରିଲିଜ୍ ହେଉଥିଲା। କିନ୍ତୁ ବର୍ତ୍ତମାନ ଲୋକମାନେ ମନୋରଞ୍ଜନପ୍ରିୟ, ଯେକୌଣସି ସମୟରେ ସିନେମା ମୁକ୍ତିଲାଭ କଲେ ଦେଖିବାକୁ ପସନ୍ଦ କରୁଛନ୍ତି। ଏଣୁ ମୁଁ ନିଜକୁ କୌଣସି ସମୟସୀମା ଭିତରେ ନ ବାନ୍ଧି ସିନେମା ପ୍ରସ୍ତୁତ କରିବାକୁ ଚାହେ।

ବଲିଉଡ୍‌ ଓ ଟଲିଉଡ୍‌ ଭଳି ଓଡ଼ିଶାରେ ବଜେଟ୍‌ ନାହିଁ, କେବଳ କାହାଣୀକୁ ନେଇ ଦର୍ଶକଙ୍କୁ ଟାଣି ହେବ କି?
ହଁ, କାହାଣୀ ଦମ୍‌ରେ ଫିଲ୍ମ ଭଲ ଚାଲିପାରିବ। ଏହାର ଉଦାହରଣ ହେଉଛି ‘ପ୍ରତୀକ୍ଷା’। ‘ଆର୍‌ଆର୍‌ଆର୍‌’, ‘ପୁଷ୍ପା’, ‘କାନ୍ତାରା’ ଆଦି ଦକ୍ଷିଣ ଭାରତୀୟ ଫିଲ୍ମର ବଜେଟ୍‌ ଖୁବ୍‌ ଅଧିକ। କିନ୍ତୁ ଗୋଆରେ ହୋଇଥିବା ଇଣ୍ଡିଆନ୍‌ ପାନାରୋମା ଚଳଚ୍ଚିତ୍ର ମହୋତ୍ସବରେ ଏହିସବୁ ସିନେମା ସହ ‘ପ୍ରତୀକ୍ଷା’ ମଧ୍ୟ ମନୋନୀତ ‌ହୋଇଥିଲା। ଏଣୁ ଆମକୁ ଆମ ଶକ୍ତି ଓ ସାମର୍ଥ୍ୟକୁ ଜାଣିବାକୁ ପଡ଼ିବ। ଆମ ପାଖରେ କ’ଣ ଅଛି ଓ କ’ଣ ନ ଅଛି ସେ କଥାକୁ ବୁଝିବାକୁ ପଡ଼ିବ। ଆମ ହିସାବରେ, ଆମ ବଜେଟ୍‌ରେ ନିଜସ୍ବ ଓଡ଼ିଆ କାହାଣୀକୁ ନେଇ ସିନେମା ପ୍ରସ୍ତୁତ ହେଲେ ଲୋକଙ୍କୁ ଭଲ ଲାଗିବ, ଯାହା ସହିତ ଓଡ଼ିଆମାନେ ଭାବଗତ ସ୍ତରରେ ନିଜକୁ ଯୋଡ଼ି ପାରିବେ। ଆମର ଏକ ସୀମିତ ବଜେଟ ଓ ସିନେମା ହଲ୍‌ ରହିଛି। ତା’ ହିସାବରେ ଆମକୁ ମାପିଚୁପି ପାଦ ବଢ଼ାଇବାକୁ ହେବ।

ଓଡ଼ିଶାରେ ଦିନକୁ ଦିନ ସିନେମା ହଲ୍‌ ସଂଖ୍ୟା କମୁଛି। ଏଥିପାଇଁ ଦର୍ଶକ, ନିର୍ମାତା ଓ ସରକାରଙ୍କର କ’ଣ ସବୁ ଉତ୍ତରଦାୟିତ୍ବ ରହିଛି?
ଫିଲ୍ମ ଏକ ସମୟର କଥା, କାହାଣୀ ଓ ଚାଲିଚଳଣୀକୁ ଅନ୍ୟ ଏକ ସମୟ ପର୍ଯ୍ୟନ୍ତ ସାଇତି ରଖେ। ଏଣୁ ଓଡ଼ିଆ ଫିଲ୍ମ ଅଧିକରୁ ଅଧିକ ନିର୍ମାଣ ହେବା ସହିତ ଏହାର ଅଧିକରୁ ଅଧିକ ପ୍ରଚାରପ୍ରସାର ହେବାର ଆବଶ୍ୟକତା ରହିଛି। ଏଥିପାଇଁ ସର୍ବପ୍ରଥମ ଦାୟିତ୍ବ ହେଉଛି ଫିଲ୍ମ ନିର୍ମାତାମାନଙ୍କର। ନିର୍ମାତାମା‌ନେ ଏମିତି ଫିଲ୍ମ କରିବା ଉଚିତ, ଯେଉଁଥିରେ ଓଡ଼ିଶାରେ ଯେତିକି ବି ସଂଖ୍ୟକ ହଲ୍‌ ରହିଛି, ତାହା ଭର୍ତ୍ତି ହେବା ଆବଶ୍ୟକ। ଆବଶ୍ୟକତା ବଢ଼ିଲେ, ଆପେ ହଲ୍‌ ସଂଖ୍ୟା ବଢ଼ିବ। ଏଥିସହ ସରକ‌ାର ଓ କିଛି ବଡ଼ କ୍ଷମତାଶାଳୀ ବ୍ୟବସାୟୀ ମଧ୍ୟ ଆଗକୁ ଆସି ଅଧିକ ସିନେମା ହଲ୍‌ ନିର୍ମାଣ କରିବା ଉଚିତ। ବ୍ୟବସାୟୀମାନେ ଓଡ଼ିଆ ସିନେ ଜଗତରେ ମଧ୍ୟ କିଛି ପୁଞ୍ଜି ନିବେଶ କରିବାର ଆବଶ୍ୟକତା ରହିଛି। ଭଲ ସିନେମା କଲେ, ଆବଶ୍ୟକତାକୁ ଦେଖି ହଲ୍‌ ସଂଖ୍ୟା ବଢ଼ିବ। ହଲ୍‌ ବଢ଼ିଲେ, ଆପେ ଓଡ଼ିଆ ସିନେମାର ବଜେଟ୍‌ ମଧ୍ୟ ବଢ଼ିଯିବ।

ଅନେକ ସମୟରେ ଓଡ଼ିଆ ସିନେମାକୁ ହଲ୍‌ ମିଳୁନାହିଁ ବୋଲି ଅଭି‌ଯୋଗ ହୁଏ। ସମାଧାନ କ’ଣ ହୋଇପାରେ?
ହିନ୍ଦୀ ଫିଲ୍ମ ‘ଜବାନ’ ପଡ଼ିଥିବାରୁ ନିକଟରେ ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ‌ହଲ୍‌ ମିଳିବା କଷ୍ଟ ହୋଇଥିଲା। ସେହିଭଳି ‘ପ୍ରତୀକ୍ଷା’ ରିଲିଜ୍ ହେବାର ଦୁଇମାସ ପରେ ‘ପଠାନ୍‌’ ରିଲିଜ୍ ହେଲା। ‘ପଠାନ୍‌’ ପରଦାକୁ ଆସିବାରୁ ଆମକୁ ‘ପ୍ରତୀକ୍ଷା’କୁ ହଲ୍‌ଗୁଡ଼ିକରୁ ଉଠାଇବାକୁ ପଡ଼ିଲା। କାରଣ ହଲ୍‌ ମାଲିକମାନେ ‘ପଠାନ୍‌’ ପାଇଁ ବିତରକ ସଂସ୍ଥା ସହ ଚୁକ୍ତି କରିସାରିଥିଲେ। ଏଭଳି ହେଲେ ଓଡ଼ିଆ ଫିଲ୍ମ ଚାଲିବ କେମିତି? ଗତ ଗଣେଶ ପୂଜାରେ ଅନେକ ଓଡ଼ିଆ ଫିଲ୍ମ ରିଲିଜ୍‌ ହେବ ବୋଲି ନିର୍ମାତାମାନେ ଘୋ‌ଷଣା କରିଥିଲେ। କିନ୍ତୁ ହଲ୍ ନ ମିଳିବା କାରଣରୁ ଗୋଟିଏ ବା ଦୁଇଟି ହିଁ ଆସି ପାରିଲା। ଏଣୁ ସରକାରୀ ସ୍ତରରେ ଏକ ନିୟମ ଆସିବା ଆବଶ୍ୟକ, ଓଡ଼ିଆ ଫିଲ୍ମ ପାଇଁ କିଛି ହଲ୍‌କୁ ସଂରକ୍ଷିତ କରିବା ଆବଶ୍ୟକ। ଓଡ଼ିଆ ସିନେମା ଦେଖିଲେ ତ ଲୋକ ଏହାକୁ ଭଲ କି ମନ୍ଦ କହିବେ! ‌ଓଡ଼ିଆ ସିନେମା ବିକାଶ ତେବେ ଯାଇ ହୋଇପାରିବ ଯେବେ, ଲୋକଙ୍କୁ ସିନେମା ଦେଖିବାର ସୁଯୋଗ ମିଳିବ।

ଏବେ ଗ୍ରାଫିକ୍ସ ଓ ଭିଏଫ୍‌ଏକ୍ସର ସମୟ। ଓଡ଼ିଶାରେ ଏଭଳି ଫିଲ୍ମ ନିର୍ମାଣ ବର୍ତ୍ତମାନ ସମୟରେ ସମ୍ଭବ କି?
ଓଡ଼ିଶାରେ ସିନେମା ହଲ୍‌ ନାହିଁ। ପୁଣି ଓଟିଟିରେ ଓଡ଼ିଆ ଫିଲ୍ମର ଲୋକପ୍ରିୟତା ବଢ଼ିନାହିଁ। ଫଳରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ଗ୍ରାଫିକ୍ସ ଓ ଭିଏଫ୍‌ଏକ୍ସରେ ଟଙ୍କା ଖର୍ଚ୍ଚ କରିବା ଅବସ୍ଥାରେ ଏବେ ନାହିଁ। ଏତେ ଟଙ୍କା ନିବେଶ କଲେ, ଏହାର ରିଟର୍ଣ୍ଣ ମିଳିପାରିବ ନାହିଁ। ଏଣୁ ମାଟି ଓ ଓଡ଼ିଆ ଭାବନା ସହ ଲୋକଙ୍କୁ ଯୋଡ଼ି ସିନେମା କରିବା ଆମର ସବୁଠାରୁ ରାମବାଣ ‌ଯୋଜନା ହେବା ଉଚିତ।

ଓଡ଼ିଶାର କେଉଁ ପ୍ରଖ୍ୟାତ କାହାଣୀ ଓ ଉପନ୍ୟାସକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାର ପରବର୍ତ୍ତୀ ଯୋଜନା ରହିଛି?
ମୋତେ କଥାକାର ଗୌରହରି ଦାସଙ୍କ ଗଳ୍ପସବୁ ଭଲ ଲାଗେ। ଏଣୁ ତାଙ୍କର ହିଁ କ୍ଷୁଦ୍ର ଗଳ୍ପ ଆଧାରରେ ମୋର ପ୍ରଥମ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ନିର୍ମାଣ କରିଛି। ସୁଯୋଗ ମିଳିଲେ ‌ଶ୍ରୀ ଦାସଙ୍କ ପ୍ରତିଟି ଗଳ୍ପକୁ ନେଇ ସିନେମା କରିବାକୁ ଇଚ୍ଛା। ସେହିଭଳି ଲେଖକ ମନୋଜ ଦାସ, ପ୍ରତିଭା ରାୟ ଓ ବିଭୂତି ପଟ୍ଟନାୟକଙ୍କ ଗଳ୍ପ, ଉପନ୍ୟାସକୁ ନେଇ ବି ସିନେମା ରୂପ ଦେବାକୁ ଇଚ୍ଛା ରଖିଛି।

ଆପଣ ନିଜକୁ ‘ପ୍ରତୀକ୍ଷା’ ଫିଲ୍ମର ଚରିତ୍ରମାନଙ୍କ ସହ ବା ମୁଖ୍ୟ ଚରିତ୍ର ସହ କିଭଳି ଯୋଡ଼ି ପାରୁଛନ୍ତି?
‘ପ୍ରତୀକ୍ଷା’ କେଉଁଠି ନା କେଉଁଠି ମୋ’ ନିଜ ଜୀବନର କାହାଣୀ। ‘ପ୍ରତୀକ୍ଷା’ରେ ମୁଖ୍ୟ ଚରିତ୍ରର ବାପା ପାନ୍‌କ୍ରିୟାଜ୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। ଦୁର୍ଭାଗ୍ୟବଶତଃ ମୋ’ ବାପା ଅମୀୟ ପଟ୍ଟନାୟକ ମଧ୍ୟ ୨୦୧୮ ମସିହାରେ ପାନ୍‌କ୍ରିୟାଜ୍‌ କ୍ୟାନ୍‌ସରରେ ହିଁ ଚାଲିଯାଇଥିଲେ। ସିନେମାରେ ଦର୍ଶକ ଯାହା ସବୁ ଦେଖିଛନ୍ତି, ବାସ୍ତବ ଜୀବନରେ ସେ ସବୁ ମୋ’ ସହ ଘଟିଛି।