ବାଇ-ଲ’ ପ୍ରତ୍ୟାହାର ନହେଲେ ଗଣବିକ୍ଷୋଭ, ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ବର : ବାଇ-ଲ’ ବିରୋଧୀ ଅସନ୍ତୋଷରେ ଭୁବନେଶ୍ବର ଜିଲ୍ଲା ଯୁବ କଂଗ୍ରେସ ସାମିଲ ହୋଇ ଶୁକ୍ରବାର ଦିନ ରାସ୍ତାକୁ ଓହ୍ଲାଇଛି। ପ୍ରସ୍ତାବିତ ଏହି ଅଧିନିୟମ ପ୍ରତ୍ୟାହାର ଦାବିରେ କଂଗ୍ରେସ ଭବନରୁ ଏକ ରାଲି ମାଷ୍ଟରକ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପଟେଲ୍‌ଙ୍କ କୁଶ ପୁତ୍ତଲିକା ଦାହ କରାଯାଇଥିଲା।

ଜିଲ୍ଲା ଯୁବ କଂଗ୍ରେସ ଅଧ୍ୟକ୍ଷ ରଂଜିତ ପାତ୍ର କହିଥିଲେ ଯେ ବାଇ-ଲ’ରୁ କେନ୍ଦ୍ର ସରକାର ମୁକ୍ତ କରି ଶ୍ରୀଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଏବଂ ବ୍ରହ୍ମେଶ୍ବର ମନ୍ଦିର ଚାରିପଟ ପୁନରୁଦ୍ଧାର କରିବା ସହିତ ଏହାର ମରାମତି ଏବଂ ବିକାଶମୂଳକ କାର୍ଯ୍ୟ କରନ୍ତୁ। ବାଇ-ଲ’ ବଳବତ୍ତର ରହିଲେ ବିକାଶ ବାଧାପ୍ରାପ୍ତ ହେବ। ଉଭୟ ରାଜ୍ୟ ଓ କେନ୍ଦ୍ର କୁମ୍ଭୀର କାନ୍ଦଣା କରୁଛନ୍ତି। ବିଜେଡି-ବିଜେପି କଳିରେ ଲିଙ୍ଗରାଜ କ୍ଷେତ୍ର ବଳି ପଡ଼ୁଛି। କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିରକୁ ଜୀବନ୍ତ ଐତିହ୍ୟ କହି ବାଇ-ଲ’ ପ୍ରତ୍ୟାହାର କରିଛନ୍ତି। ସେହିଭଳି ଏହି ମନ୍ଦିରସବୁ ବି ଜୀବନ୍ତ ଐତିହ୍ୟ। ସ୍ମାରକୀ ନୁହେଁ। ଯଦି ତୁରନ୍ତ ଏହି ଅଧିନିୟମ ପ୍ରତ୍ୟାହାର ନହେବ, ଗଣ ବିକ୍ଷୋଭ କରାଯିବ। ବିଜେପିର କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶା ମାଟିରେ ବିରୋଧ କରାଯିବ।

ଆସନ୍ତାକାଲି କଂଗ୍ରେସ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଡକାଯାଇଥିବା ଜଣାପଡିଛି। ଓଡିଶାର ପ୍ରମୁଖ ଐତିହସ୍ଥଳ ଏକାମ୍ରକ୍ଷେତ୍ର ଉପରେ ପ୍ରସ୍ତାବିତ୍ ବାଇ-ଲ କୁ ପ୍ରତ୍ୟାହାର ପାଇଁ ଆସନ୍ତାକାଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେବ। ପିସିସି ସଭାପତି ଏଥିରେ ଯୋଗଦେଇପାରନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ରାଜୀବ ପଟ୍ଟନାୟକ, ଅଜୟ କୁମାର ସାହୁ, ମନୋରଂଜନ ଦାଶ, ବିଶ୍ବଜିତ୍ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର