ଦାବି ପୂରଣ ନ ହେଲେ ଆଗକୁ ଜନ ଆନ୍ଦୋଳନ: ନରସିଂହ

କେବିକେ ଜିଲ୍ଲାରେ ଡାକ୍ତର ପଦବି ପୂରଣ ପାଇଁ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟର ୮ଟି କେବିକେ ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ୍ବ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବି ଖାଲି ପଡ଼ିଛି। ଏବେ କରୋନା ସଂକ୍ରମଣ ସମୟରେ ଏସବୁ ଜିଲ୍ଲାଗୁଡ଼ିକରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ତୁରନ୍ତ ଡାକ୍ତର ପଦବି ପୂରଣ ଦାବିରେ ଆଜି ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହିତ ଡାକ୍ତର ପଦବି ଶୀଘ୍ର ପୂରଣ ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲ୍ଲୀପ ବେହେରାଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳି ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛି। ଯଦି ଦାବି ପୂରଣ ନ ହୁଏ, ତାହେଲେ ଆଗକୁ ଜନ ଆନ୍ଦୋଳନ ହେବ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଚେତାବନୀ ଦେଇଛନ୍ତି।

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଅନୁଯାୟୀ, କେବିକେ ପଛୁଆ ଜିଲ୍ଲା ଯଥା, ବଲାଙ୍ଗୀର, ସୋନପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବରୁ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବିରେ ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଅନୁରୋଧ କରାଗଲେ ବି ସରକାର ଶୁଣୁନାହାନ୍ତି। ଓଲଟା କରୋନା ମହାମାରୀ ସମୟରେ ଏ ଅଞ୍ଚଳରୁ ଡାକ୍ତର ତଥା ପାରା ମେଡିକାଲ କର୍ମଚାରୀମାନଙ୍କୁ ଅନ୍ୟ ଅଞ୍ଚଳକୁ ପଠାଯାଇଛି। ବିଶେଷକରି ଗଞ୍ଜାମ ଜିଲ୍ଲାକୁ ଡାକ୍ତରମାନଙ୍କୁ ଡେପୁଟେସନରେ ପଠାଇ ଏସବୁ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଖରାପ ସ୍ଥିତିକୁ ଠେଲି ଦିଆଯାଇଛି।

ଖାଲିପଡ଼ିଥିବା ଡାକ୍ତର ପଦବି ଶୀଘ୍ର ପୂରଣ କରିବା ଦାବିରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, କେବିକେ ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବିଗୁଡ଼ିକ ଶୀଘ୍ର ପୂରଣ ହେବା ଦରକାର। ସେ ଆହୁରି ମଧ୍ୟ କହିଛନ୍ତି, ସରକାରଙ୍କ ନିୟମ ମୁତାବକ କୌଣସି ସରକାରୀ କର୍ମଚାରୀଙ୍କୁ ଅନ୍ୟତ୍ର ନିଯୁକ୍ତ କରାଗଲେ ତାଙ୍କ ସ୍ଥାନରେ ଆଉ ଜଣେ ସମାନ ପଦବିର କର୍ମଚାରୀଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। କିନ୍ତୁ କେବିକେ ଜିଲ୍ଲାରୁ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ବିନା ରିଲିଭରରେ ଅନ୍ୟତ୍ର ଯୋଗଦାନ କରିବାକୁ ଆଦେଶ ଦିଆଯାଉଛି। ସରକାର ନିଜେ ତିଆରି କରିଥିବା ନିୟମକୁ ନିଜେ ହିଁ ଭାଙ୍ଗୁଛନ୍ତି। ଯେଉଁଥିପାଇଁ ମଙ୍ଗଳବାର ସମଗ୍ର କେବିକେ ଅଞ୍ଚଳର ୮ଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହିତ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏପରିକି ବଲାଙ୍ଗୀର ସରକାରୀ ମେଡିକାଲ୍‌ କଲେଜ୍‌ରେ ମଞ୍ଜୁରିପ୍ରାପ୍ତ ପଦବିରେ ନିଯୁକ୍ତି ପାଇଥିବା ବିଶେଷଜ୍ଞ ଡାକ୍ତର କେବଳ କାଗଜପତ୍ରରେ ଉପସ୍ଥିତ ରହୁଛନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମିଶ୍ର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। କେବିକେର ଅନ୍ୟ ମେଡିକାଲ କଲେଜରେ ନିଯୁକ୍ତି ପାଇଥିବା ଡାକ୍ତର ଚକିତ୍ସା ବେଳେ ଅନୁପସ୍ଥିତ ରହୁଥିବା ମଧ୍ୟ ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନବେଳେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ, ଜିଲ୍ଲା କୋଭିଡ୍‌ ପରିଚାଳନା ସଂଯୋଜକ ଅସୀମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର