କଣ୍ଟାମାଳ/ ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଘଣ୍ଟାପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ହାତୀପଲ ଆସି ଖଳାରେ ଥିବା ଧାନ ଖାଇ ଦେଇଥିବା ଜଣାପଡ଼ିଛି। ସୂଚନାନୁସାରେ ଘଣ୍ଟାପଡ଼ା ଗ୍ରାମର ଚୈତନ୍ୟ ରଣା ୨ ଏକର ଓ ଜିତେନ୍ଦ୍ର ପ୍ରସାଦ ଦେହୁରୀଙ୍କ ଗୋଟିଏ ଏକରର ଧାନ ଅମଳ ହେବା ସହ ଖଲାରେ ବସ୍ତାରେ ରଖାଯାଇଥିଲା।
ଶୁକ୍ରବାର ରାତିରେ ହାତୀପଲ ତେଲ ନଦୀ ପାର ହୋଇ ଚୈତନ୍ୟ ଓ ଜିତେନ୍ଦ୍ର ଅମଳ ଧାନ ଖାଇ ନିକଟସ୍ଥ ସୁନାଦେଇ ପାହାଡ଼କୁ ଚାଲିଯାଇଥିବା ଫରେଷ୍ଟର ଚନ୍ଦ୍ରଶେଖର ଦାସ ପ୍ରକାଶ କରିଛନ୍ତି। ଖବର ପାଇ କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନ ଓ ସ୍ଥାନୀୟ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ହାତୀପଲରେ ୧୦ଟି ହାତୀ ଥିବା ବେଳେ ଏମାନଙ୍କୁ ଘଉଡ଼ାଇବା ପାଇଁ ସମସ୍ତ ପଦ୍ଧତି ଅବଲମ୍ବନ କରାଯିବ ବୋଲି ରେଞ୍ଜର ସୁଶ୍ରୀ ପ୍ରଧାନ କହିଛନ୍ତି।