ସୁନ୍ଦରଗଡ଼: ପୂର୍ବପୁରୁଷ ଆମ ପାଇଁ ଯେଉଁ ସବୁଜ, ସୁନ୍ଦର ପରିବେଶ ଛାଡ଼ି ଯାଇଥିଲେ, ତାକୁ ଆମେ ଆଧୁନିକ ତଥା ସୌଖିନ ଜୀବନ ଜିଇବା ନାଁରେ ଅବିଚାରିତ ଭାବେ ନଷ୍ଟ କରିଚାଲିଛୁ। ଆଗେ ଆମ ପୂର୍ବପିଢ଼ି ଶହେବର୍ଷରୁ ଅଧିକ ବଞ୍ଚୁଥିଲେ। ଏବେ ଧୀରେ ଧୀରେ ଆୟୁଷ କମୁଛି, ଷାଠିଏ ବର୍ଷ ବଞ୍ଚିଲେ ବଡ଼କଥା। ଏହା ମଣିଷ ସମାଜ ପାଇଁ ସତର୍କବାଣୀ। ଗଛଲତା ଯାହା ନଷ୍ଟ କରିଛୁ, ତାକୁ ଭରଣା କରି ଆମକୁ ପରପିଢ଼ିକୁ ଫେରାଇବାକୁ ପଡ଼ିବ। ଏବେଠୁ ସତର୍କ, ସଚେତନ ନ ହେଲେ ପରପିଢ଼ି ସର୍ବୋପରି ଜୀବଜଗତ ଧ୍ବଂସ ପାଇଯିବ ବୋଲି ମଙ୍ଗଳବାର ‘ସମ୍ବାଦ’ ପକ୍ଷରୁ ସୁନ୍ଦରଗଡ଼ ବିଧାନସଭାକ୍ଷେତ୍ର ଅନ୍ତର୍ଗତ ଟାଙ୍ଗରପାଲି ବ୍ଲକ୍ ସାଗରପାଲି କୁର୍ଲାଡୁଙ୍ଗୁରି ପାହାଡ଼ ତଳେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ। ସେ କହିଥିଲେ ଯେ ହେମଗିର ଅଞ୍ଚଳରେ କୋଇଲା ଖଣି ପାଇଁ ହଜାର ହଜାର ସଂଖ୍ୟାରେ ଗଛକଟା ଚାଲିଥିବାବେଳେ ତା’ର କ୍ଷତିପୂରକ ବନୀକରଣ ସୁନ୍ଦରଗଡ଼ରେ ନ ହୋଇ କେଉଁ କମ୍ପାନି ବଲାଙ୍ଗୀର ଗନ୍ଧମାର୍ଦ୍ଦନ ତ କିଏ ଦେବଗଡ଼ରେ କରିବାକୁ ଯୋଜନା କରିଛନ୍ତି। ସୁନ୍ଦରଗଡ଼ର ପରିବେଶ ସୁରକ୍ଷା ପାଇଁ ଏହାକୁ ସବୁସ୍ତରରେ ବିରୋଧ କରାଯିବ ବୋଲି ସେ କହିବା ସହ ‘ସମ୍ବାଦ’ର ଅଭିଯାନରେ ସମସ୍ତେ ସାମିଲ ହେବାକୁ ଆହ୍ବାନ ଜଣାଇଥିଲେ।
ସମ୍ମାନିତ ଅତିଥି ସୁନ୍ଦରଗଡ଼ର ବନଖଣ୍ଡ ଅତିରିକ୍ତ ବନସଂରକ୍ଷକ ରାଜକୁମାର ସେଠୀ ଅଭିଯାନକୁ ସ୍ବାଗତ କରି କହିଥିଲେ, ଜଙ୍ଗଲ ଓ ପରିବେଶ ସୁରକ୍ଷା ଆଜିର ଦିନରେ ସବୁଠୁ ବଡ଼ ଆହ୍ବାନ। ବିଶେଷ କରି ଯୁବପିଢ଼ି ଏଥିପାଇଁ ଆଗେଇ ଆସିବାକୁ ପଡ଼ିବ। ସୁନ୍ଦରଗଡ଼ରେ ବନୀକରଣକୁ ଏକ ଅଭିଯାନ ଭାବେ ଗ୍ରହଣ କରାଯାଉଛି। ଜଙ୍ଗଲସୁରକ୍ଷା ସହ ରାସ୍ତାକଡ଼ ଚାରାରୋପଣକୁ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ସ୍ବେଚ୍ଛାସେବୀ ସଂଗଠନ ‘ସେବକ’ର ଅଧ୍ୟକ୍ଷ ଅମୀୟକାନ୍ତ ନାଏକ, ପରିବେଶବିତ୍ ଦିଗମ୍ବର ଉପାଧ୍ୟାୟ ପରିବେଶ ସୁରକ୍ଷାର ବିଭିନ୍ନଦିଗ ଉପରେ ଆଲୋଚନା କରିଥିଲେ। କୁର୍ଲାଡୁଙ୍ଗୁରି ସବୁଜ ଅଭିଯାନର ପ୍ରମୁଖ ସଦସ୍ୟ ଦେବାନନ୍ଦ ମହାଲିଙ୍ଗ ସାଗରପାଲି ଗାଁଲୋକଙ୍କ ଜଙ୍ଗଲ ସୁରକ୍ଷାର ଐତିହାସିକ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ। ‘କନକ ନ୍ୟୁଜ୍’ର ଜିଲ୍ଲା ପ୍ରତିନିଧି ଦେବାଶିଷ କବି ରାସ୍ତା ପାଇଁ ବିଶାଳକାୟ ଗଛକୁ କାଟି ଦିଆଯାଉଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମୁକ୍ତେଶ୍ବର ପଟେଲ, ମଙ୍ଗସପୁର ନାଏବ ସରପଞ୍ଚ ଦେବାନନ୍ଦ ରୋହିଦାସ ଯୋଗ ଦେଇଥିଲେ। ସୁନ୍ଦରଗଡ଼ ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଟାଙ୍ଗରପାଲି ବ୍ଲକ୍ ପ୍ରତିନିଧି ସଚ୍ଚିଦାନନ୍ଦ ନାଏକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ପାରମ୍ପରିକ ଧାନବିହନ ଓ କ୍ଷୁଦ୍ର ପୁଷ୍ଟିଶସ୍ୟ ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିବା ସହ ପାହାଡ଼ତଳେ ବିଧାୟକ ଶ୍ରୀ ସିଂହ ଓ ଅନ୍ୟମାନେ ଚାରାରୋପଣ କରିଥିଲେ। ସବୁଜସ୍ମୃତି ଅଭିଯାନ, ସେବକର କର୍ମକର୍ତ୍ତାଙ୍କ ସହ ସାଗରପାଲି ବନସୁରକ୍ଷା ସମିତି ଓ ସାଗର ଯୁବକସଂଘ ସହଯୋଗ କରିଥିଲେ। ଗ୍ରାମବାସୀ ପାହାଡ଼ର ୧୦ କିମି ପରିଧିକୁ ସବୁଜମୟ କରିବାକୁ ସଂକଳ୍ପ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/06/dgjgjdgjdcbn-2025-08-06-00-32-58.jpg)