ଭଦ୍ରକ/ରାଣୀତାଲ: ପୃଥିବୀ ଆମର ମାଆ। ଏହାର ସୁରକ୍ଷା ଆମ ଦାୟିତ୍ବ। ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା। ଭଦ୍ରକ ନିର୍ବାଚନମଣ୍ଡଳୀ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଏହା କହିଛନ୍ତି। ଭଦ୍ରକ ବ୍ଲକ୍ ରାଣୀତାଲ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ର କହିଥିଲେ, ପରିବେଶକୁ ରକ୍ଷା କରିବାକୁ ହେଲେ, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆବଶ୍ୟକ। ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜନ କରି ଆମ ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ ଯେଉଁ ଉଦ୍ୟମ ଜାରି ରଖିଛି ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ଉଦ୍ୟମ ପୃଥିବୀକୁ ଆଉ ଥରେ ନୂଆ କରି ଗଢ଼ି ତୋଳିବାରେ ସହାୟକ ହେଉ ବୋଲି ବିଧାୟକ ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଥିଲେ।
ପରିବେଶ ପାଇଁ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକ: ଉର୍ମିଳା
‘ପୁନଶ୍ଚ ପୃଥିବୀ’ ହେଉଛି ଏକ ସୁନ୍ଦର ପରିକଳ୍ପନା: ଗୁଲମକ୍କୀ
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଊର୍ମିଳା ନାୟକ କହିଥିଲେ, ପରିବେଶ ସୁରକ୍ଷଶ ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ଆମ ପରିବେଶ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ। ନହେଲେ ଆଗାମୀ ପିଢ଼ି ଅସୁବିଧାରେ ପଡ଼ିବେ। ଅନ୍ୟତମ ସମ୍ମାନିତ ଅତିଥି ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ୍ କହିଥିଲେ, ପୃଥିବୀ ତ ରହିଛି, ପୁନଶ୍ଚ ପୃଥିବୀ କାହିଁକି? ଏଭଳି ଏକ ନୂଆ ପରିକଳ୍ପନା କରିବା ପଛରେ ଉଦ୍ଦେଶ୍ୟ ହେଉଛି, ଆମେ ଆମ ନିଜ ହାତରେ ଆମ ପୃଥିବୀକୁ ଧ୍ବସ୍ତବିଧ୍ବସ୍ତ କରି ଦେଉଛନ୍ତି। ପରିବେଶ ଉଜୁଡ଼ିଗଲେ, ପୃଥିବୀ ବି ଉଜୁଡ଼ିଯିବ। ପଲିଥିନର ବହୁଳ ବ୍ୟବହାର ପରିବେଶ ପାଇଁ ଶୁଭଙ୍କର ନୁହେଁ। ବୃକ୍ଷରୋପଣ କରି ପରିବେଶକୁ ସୁସ୍ଥ, ସୁନ୍ଦର କରି ଗଢ଼ି ତୋଳିବାକୁ ‘ସମ୍ବାଦ’ ପକ୍ଷରୁ ଚାଲିଥିବା ପ୍ରୟାସ ନିଶ୍ଚିତ ଭାବେ ସଫଳ ହେବ ବୋଲି ସେ କହିଥିଲେ।
ଅନ୍ୟତମ ଅତିଥି ଭାବେ ଜଗଦଳପୁର ସରପଞ୍ଚ ତିଳୋତ୍ତମା ମହାପାତ୍ର, କୃଷି ବୈଜ୍ଞାନିକ ଅରୁଣ ପାତ୍ର, ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ମଲ୍ଲିକ, ପଞ୍ଚସଖା ଗୋଦାବରୀଶ ସେତୁର ସଭାପତି ଗଣେଶ ପ୍ରସାଦ ଦାଶ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବୀନ୍ଦ୍ର ସାହୁ, ମହିଳା ସ୍ୱୟଂ ସହାୟକ ସଂଘ ସଭାନେତ୍ରୀ ମାଳତୀ ବେହେରା, ଛାତ୍ରୀ ପାୟଲ ପ୍ରିୟଦର୍ଶନୀ ନାୟକ ପରିବେଶ ସଚେତନତା ସଂପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ‘ରାଣୀତାଲ ସମ୍ବାଦ-ସାହିତ୍ୟଘର’ ସଭାପତି ଭାଗୀରଥି ନାୟକ ସଭାପତିତ୍ବ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ଜିଲ୍ଲା ପ୍ରତିନିଧି ଡ. ହରିହର ନାୟକ ପରିବେଶ ପଞ୍ଚାୟତର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ରାଣୀତାଲ ‘ସମ୍ବାଦ’ ପ୍ରତିନିଧି ତପନ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବା ବେଳେ ଅନନ୍ୟା ପଣ୍ଡା ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଅତିଥିଙ୍କୁ ସ୍ବାଗତ କରିଥିଲେ। ଶେଷରେ କୃଷ୍ଣଚନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ।