ନର୍ସିଂ ଛାତ୍ରୀ ଲିପ୍ସାଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ବାଲେଶ୍ବର: ବାଲେଶ୍ବର ଜ୍ୟୋତି ହହସ୍‌ପିଟାଳ ପ୍ରଥମ ବର୍ଷର ନର୍ସିଂ ଛାତ୍ରୀ ଲିପ୍ସା ବେହେରାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ମୃତ ଛାତ୍ରୀଙ୍କ ମା’ ଗାୟତ୍ରୀ ନିର୍ଦ୍ଦିଷ୍ଟ ଦୁଇ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଚୁପ୍‌ହୋଇ ବସିଛି। ଏହାର ପ୍ରତିବାଦରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସର ନିରବଦ୍ରଷ୍ଟାକୁ ନେଇ ଦୃଢ଼ ନିନ୍ଦା କରାଯାଇଥିଲା। ଗତ ତିନି ତାରିଖ ସନ୍ଧ୍ୟାରେ ଲିପ୍ସା ବାପାମା’ଙ୍କ ସହ ଫୋନରେ କଥା ହୋଇ ସେ ଫାଦରଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇଥିବା ଏବଂ ରାତିରେ ମାଂସ ମୁଢି ଖାଇବ ବୋଲି କହିଥିଲେ। ମାତ୍ର ରାତି ୯ ଟାରେ ଝିଅର ଅବସ୍ଥା ଗୁରୁତର ଏବଂ ବାପାମା’ ହସ୍‌ପିଟାଲରେ ପହଂଚିଲା ପରେ ଛାତ୍ରୀ ନିବାସରେ ତାର ରୁମ୍‌କୁ ଛାଡ଼ିନଥିଲେ। ଏମିତିକି ରୁମ୍‌ରେ ରହୁଥିବା ସାଙ୍ଗମାନଙ୍କୁ ସାକ୍ଷାତ କରିବାକୁ ଦେଇନଥିଲେ।

ଅବସ୍ଥା ଗୁରୁତର ବୋଲି କହି କଟକକୁ ସ୍ଥାନାନ୍ତର କରିଦିଆଗଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି କୁହାଗଲା। ନର୍ସିଂ କଲେଜ କର୍ତ୍ତୃପକ୍ଷ ଝିଅ ନିଜ ରୁମ୍‌ରେ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ପୁଲିସ କାହିଁକି ନିରବ ରହିଛି? ଏତଲାରେ ଲିପ୍ସାଙ୍କ ମା’ ସବିରା ଓ ଦାଣ୍ତପଳସା ଗ୍ରାମର ଦୁଇ ଯୁବକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବେଳେ ପୁଲିସ ସେମାନଙ୍କୁ ଜେରା ନ କରିବା ଓ ଗିରଫ ନ କରିବା ପଛରେ କାହାର ହାତ ରହିଛି। ଏହି ମୃତ୍ୟୁର ରହସ୍ୟ ପୁଲିସ୍‌ କାହିଁକି ଚାପି ଦେବାକୁ ଚେଷ୍ଟା କରୁଛି ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିଲେ। ଆଗାମୀ ସାତ ଦିନ ମଧ୍ୟରେ ପୁଲିସ ଯଦି ଅଭିଯୁକ୍ତକୁ ଗିରଫ ନ କରେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ଶେଖ ରେହେମତୁଲ୍ଲା, ଛାତ୍ର କଂଗ୍ରେସ କର୍ମକର୍ତ୍ତା ଜୀବନ ମହାପାତ୍ର, ଲିପ୍ସା ବେହେରାଙ୍କ ମାମୁଁ ଅଜୟ ରାଉତ, ସୌରଭ ବେହେରା, ଜିଲ୍ଲା ଛାତ୍ର କଂଗ୍ରେସର ସୋସିଆଲ ମିଡିଆ ସମ୍ପାଦକ ରଣଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର