ପାରଳାଖେମୁଣ୍ଡି: ଆଜି ବି ଗଜପତି ଭଳି ଦୁର୍ଗମ ଓ ଅପହଞ୍ଚ ଇଲାକାରେ ଏମିତି ଅଞ୍ଚଳ ରହିଛି, ଯେଉଁଠି ଲୋକେ ବିକାଶ କ’ଣ ଜାଣନ୍ତିନି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ ନାରଙ୍ଗିଝୁଲା ଗାଁ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ଆଜି ବି ଏଠାରେ ବିଜୁଳି ଆଲୁଅ, ପାଣି କିମ୍ବା ରାସ୍ତା ନାହିଁ। କୌଣସି ଅଧିକାରୀଙ୍କ ପାଦ ଏଠାରେ ପଡ଼ିନି। ଯଦିବା ପଞ୍ଚାୟତ ମୁଖ୍ୟାଳୟରେ ପଡ଼େ, କୌଣସି ଉନ୍ନୟନମୂଳକ ଯୋଜନାର ସୁଫଳ ପହଞ୍ଚିବା ବେଳକୁ ସମୟ ଗଡ଼ିଯାଏ ସିନା, ଲୋକେ ତା’ର ଲାଭ ଉଠାଇ ପାରନ୍ତି ନାହିଁ। ଗଲା ଦୁଇବର୍ଷ ହେଲା ଏଠାରେ ବିଦ୍ୟୁତ ଯୋଗାଣ ବନ୍ଦ ଥିଲେ ମଧ୍ୟ ଏହାକୁ ସଜାଡ଼ିବାରେ ବିଫଳ ହୋଇଛି ପ୍ରଶାସନ।
ଗଜପତି ଜିଲ୍ଲାର ଅନେକ ବ୍ଳକ୍ ପାହାଡ଼ିଆ ଅଞ୍ଚଳରେ ଅବସ୍ଥାପିତ। ନାରଙ୍ଗିଝୁଲା ଗ୍ରାମରେ ରହନ୍ତି ୧୨ଟି ଆଦିବାସୀ ପରିବାରର ୧୧୦ ଜଣ ସଦସ୍ୟ। ଗ୍ରାମର ଅଧିକାଂଶ ଚାଷ ଉପରେ ନିର୍ଭରଶୀଳ। ଏଠାରେ ସପୁରୀ, ତେନ୍ତୁଳି, ଦେଶୀଆଳୁ, କଦଳୀ, ବୋଇତାଳୁ ଏବଂ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ଉତ୍ପାଦନ ହୋଇଥାଏ। ତେବେ ଘାଟି ଉପରେ ଗ୍ରାମର ଅବସ୍ଥିତି ଯୋଗୁଁ ଏଠାରେ ସଡ଼କ ଯୋଗାଯୋଗ ସୁବିଧା ନାହିଁ। କୌଣସି ଗାଡ଼ି ଯା’ଆସ କରୁନଥିବାରୁ ଗ୍ରାମବାସୀ ଏଠାକୁ ଆସୁଥିବା ବେପାରୀଙ୍କୁ ଅତି କମ୍ ଦରରେ ବନଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି। ଦୀର୍ଘ ବର୍ଷର ଦାବି ପରେ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରାସ୍ତା ନିର୍ମାଣ ଜାରି ରହିଥିବା ବେଳେ ୨୦୨୨ ଫେବ୍ରୁଆରି ୨୦ ତାରିଖ ଦିନ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ବିଦ୍ୟୁତ ଖୁଣ୍ଟଗୁଡ଼ିକ ଟଳି ପଡ଼ିଲା ଏବଂ ତାର ଛିଣ୍ଡି ଯାଇଥିଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ଗ୍ରାମବାସୀ ବିଦ୍ୟୁତ ବିଭାଗର ସମସ୍ତ ଅଧିକାରୀ, ବ୍ଳକ୍ ପ୍ରଶାସନ, ଏପରିକି ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଗ୍ରାମର ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ ବୋଲି ସରପଞ୍ଚ ଲାବଣ୍ୟ ଶବର ଅଭିଯୋଗ କରିଛନ୍ତି। ପ୍ରଶାସନ ତରଫରୁ ସୌରଚାଳିତ ଲାଇଟ୍ ଦିଆଯାଇଛି ସତ, କିନ୍ତୁ ମାସେ ଜଳିବା ପରେ ବନ୍ଦ ହୋଇଯାଇଛି। ଏହାକୁ ମରାମତି ମଧ୍ୟ କରାଯାଉନାହିଁ।
ଗ୍ରାମରେ ଯେ କେବଳ ବିଦ୍ୟୁତ ସମସ୍ୟା ରହିଛି ତା’ ନୁହେଁ; ପାନୀୟ ଜଳ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଆଦି ଅନେକ ସରକାରୀ ସୁବିଧାରୁ ମଧ୍ୟ ସେମାନେ ବଞ୍ଚିତ। ଏ ସବୁ ସମସ୍ୟା ସମ୍ପର୍କରେ ରାୟଗଡ଼ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ଗ୍ରାମର ଏଭଳି କୌଣସି ସମସ୍ୟା ତାଙ୍କ ନଜରକୁ କେହି ଆଣିନାହିଁ। ପାନୀୟ ଜଳର ସମସ୍ୟା ଅତିଶୀଘ୍ର ସମାଧାନ କରାଯିବ। ସେହିଭଳି ଯେଉଁ ବିଦ୍ୟୁତ ସମସ୍ୟା ରହିଛି, ତାକୁ ମଧ୍ୟ ବିଦ୍ୟୁତ ବିଭାଗ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/24/1DhHAgOAjGLD4fc8eUBF.jpg)