କାଡ଼ାନାଳ ପୁନରୁଦ୍ଧାର ନ ହେଲେ ଆନ୍ଦୋଳନ

ବନ୍ତ/ଗଣିଜାଙ୍ଗ: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ଧାନଚାଷ ପାଇଁ ପାଣିର ଆବଶ୍ୟକ ଥିବା ବେଳେ ଠିକ୍ ସମୟରେ ପାଣି ଯୋଗାଇ ପାଇଁ ସରକାର କେନାଲ୍‌ ଓ କାଡ଼ାନାଳର ବ୍ୟବସ୍ଥା କରିଛନ୍ତି। ମାତ୍ର ବିଭାଗୀୟ ପ୍ରାଶାସନିକ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁ ଚାଷୀ ଉପକାର ପାଉ ନାହାନ୍ତି। ଏହିପରି ଏକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବନ୍ତ ବ୍ଲକ୍ ବସନ୍ତିଆ ପଞ୍ଚାୟତ ମନୋହରପୁର ଓ ରାମଚନ୍ଦ୍ରପୁର ପଞ୍ଚାୟତ ଗୋବିନ୍ଦପୁର ମୌଜାର ଚାଷୀମାନେ।

ଏହି ଅଅଞ୍ଚଳର ଚାଷଜମିକୁ ଆବଶ୍ୟକ ସମୟରେ ପାଣି ଯୋଗାଇ ଦେବା ନିମନ୍ତେ ଜଳସେଚନ ବିଭାଗ ପକ୍ଷରୁ ମନୋହରପୁର ଡିଷ୍ଟ୍ରିବ୍ୟୁଟାରି କେନାଲ୍‌ ଖୋଳା ଯାଇଛି। ସେହିପରି ଜଳସେଚନ ବ୍ୟବସ୍ଥାର ସୁପରିଚାଳନା ପାଇଁ ହାଟଡ଼ିହି ବ୍ଲକ୍‌ ମୁଣ୍ତକାଟି ଠାରୁ ମନୋହରପୁର ଦେଇ ଗୋବିନ୍ଦପୁର ପର୍ଯ୍ୟନ୍ତ ପ୍ରାୟ ୩ କିମି ଲମ୍ବର ଏକ କାଡାନାଳ ପ୍ରାୟ ୩୦ ବର୍ଷ ତଳେ ଖୋଳାଯାଇଥିଲା। ଫଳରେ ଏହି ଅ‌ଞ୍ଚଳର ପ୍ରାୟ ୩୦୦ ହେକ୍ଟରରୁ ଅଧିକ ଚାଷଜମିକୁ ସୁରୁଖୁରୁରେ ଚାଷୀମାନେ ପାଣି ମଡ଼ାଇ ପାରୁଥିଲେ। କାଡ଼ାନାଳ ଖୋଳା ହେବାର ପ୍ରାୟ ୧୫ ବର୍ଷ ପରେ ଏହା ପୋତି ହୋଇଯିବା ସହ ବିଲାତି ଦଳ ଓ ଅମରି ବୁଦାରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ଜଳସେଚନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି।

କାଡ଼ାନାଳାର ପୁନରୁଦ୍ଧାର ପାଇଁ ଉଭୟ ମନୋହରପୁର ଓ ଗୋବିନ୍ଦପୁର ଗ୍ରାମର ଚାଷୀମାନେ ବିଭିନ୍ନ ସମୟରେ ଭଦ୍ରକ କାଡ଼ା ବିଭାଗୀୟ ଏକଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ମାତ୍ର ସମ୍ପୃକ୍ତ ଅଧିକାରୀ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି। ଫଳରେ ଉପରୋକ୍ତ ଗ୍ରାମର ଚାଷୀମାନେ ଗତ ୩୧ ତାରିଖ ଦିନ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଚାଷୀମାନଙ୍କ ଦାବିପତ୍ର ପାଇବା ପରେ ବିଧାୟକ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ମାତ୍ର ସମ୍ପୃକ୍ତ ଅଧିକାରୀ ସବୁ ଜାଣି ନ ଜାଣିଲା ପରି ବସିଯାଇଥିବା ବେଳେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଯଦି ତୁରନ୍ତ ଉକ୍ତ ସମସ୍ୟାର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର