ସମ୍ବଲପୁର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ୁଥିବା ମହତ୍ତ୍ବାକାଂକ୍ଷୀ ସମ୍ବଲପୁର-ବ୍ରହ୍ମପୁର ରେଳପଥର ଡିପିଆର୍ ଚୂଡ଼ାନ୍ତ କରିବାରେ ଅହେତୁକ ବିଳମ୍ବ ପଛରେ ଏକ ଭିନ୍ନ କାରଣ ଥିବା ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଏହି ରେଳପଥ ନିର୍ମାଣ ଦାୟିତ୍ବରେ ଥିବା ଓରିଡିଲ୍ କମ୍ପାନି ରେଳପଥର ମୂଳ ନକ୍ସାରେ ପରିବର୍ତ୍ତନ ଉପରେ ବିଚାର କରୁଛି। ମୂଳ ଢାଞ୍ଚାରେ ଭଞ୍ଜନଗରରୁ ବୌଦ୍ଧ ମଧ୍ୟରେ ଘଞ୍ଚ ଜଙ୍ଗଲ, ପାହାଡ଼, ପର୍ବତ ଦେଇ ଏହି ରେଳପଥ ଆସିବାକୁ ଥିବାରୁ ପ୍ରକଳ୍ପ ଖର୍ଚ୍ଚ ଅଧିକ ହେଉଛି। ଏଥି ସହ ଜଙ୍ଗଲ ଜମି ଅଧିଗ୍ରହଣ, ବନ ବିଭାଗର ସ୍ବୀକୃତି ଆଦି ଜଟିଳ ପ୍ରକ୍ରିୟା ରହିଛି। ତେଣୁ ଓରିଡିଲ୍ ମୂଳ ନକ୍ସାରୁ ଫୁଲବାଣୀ ସହରକୁ ବାଦ ଦେଇ ଚକାପାଦ ନିକଟରୁ ଏହି ଲାଇନ୍ର ଦିଗ ମୋଡ଼ି ବୌଦ୍ଧ ଜିଲ୍ଲାର ମାଧପୁରଠାରେ ଏହାକୁ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳପଥରେ ମିଶାଇ ଦେବା ଉପରେ ବିଚାର କରୁଛି।
ମାଧପୁରରୁ ବୌଦ୍ଧ ପର୍ଯ୍ୟନ୍ତ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ଲାଇନ୍ରେ ବ୍ରହ୍ମପୁର-ସମ୍ବଲପୁର ରେଳପଥ ବିଲୟ ହୋଇଯିବ ଓ କୌଣସି ନୂଆ ଲାଇନ୍ ବା ଷ୍ଟେସନ୍ ତିଆରି କରିବାକୁ ପଡ଼ିବ ନାହିଁ। ଏହାପରେ ପୁଣି ଏହା ନିଜ ମୂଳ ନକ୍ସା ଅନୁଯାୟୀ ବୌଦ୍ଧରୁ ବାହାରି କଦଳୀଗଡ଼ ଦେଇ ରେଢ଼ାଖୋଲ ଓ ବାମୁରକୁ ଛୁଇଁବ। ଏହାର ମୁଖ୍ୟ କାରଣ ହେଉଛି ଭଞ୍ଜନଗର ଓ ବୌଦ୍ଧ ସମୁଦ୍ର ପତ୍ତନଠାରୁ ପ୍ରାୟ ସମାନ ଉଚ୍ଚତାରେ ଥିଲାବେଳେ ଏହାର ମଧ୍ୟ ଭାଗରେ ପାର୍ବତ୍ୟ ଅଞ୍ଚଳ ରହିଛି। ସମୁଦ୍ର ପତ୍ତନରୁ ଭଞ୍ଜନଗରର ଉଚ୍ଚତା ୭୭ ମିଟର୍ ଥିବାବେଳେ ସେହି ଲାଇନ୍ରେ ଆଗକୁ ପଡ଼ୁଥିବା ଚକାପାଦର ଉଚ୍ଚତା ୨୮୦ ମିଟର୍। କିନ୍ତୁ ଲାଇନ୍ ଆଗକୁ ବଢ଼ିଲେ ଫୁଲବାଣୀର ଉଚ୍ଚତା ରହିଛି ୪୭୯ ମିଟର୍। ପରେ ତାହା ପୁଣି ତଳକୁ ଖସି ବୌଦ୍ଧଠାରେ ଉଚ୍ଚତା ୭୮ ମିଟର୍ ହୋଇଯିବ। ବ୍ରହ୍ମପୁର-ସମ୍ବଲପୁର ନୂଆ ଲାଇନ୍ର ମୂଳ ନକ୍ସାରେ ଭଞ୍ଜନଗରରୁ ବୌଦ୍ଧ ମଧ୍ୟରେ ମୁଜାଗଡ଼, ବୋଡ଼ାଙ୍ଗି, ଚକାପାଦ, ଜାଗରପେଟା, ଫୁଲବାଣୀ, ଲଖରପାଜୁ, ସୁନାମୁଣ୍ଡି ଓ ମୁଣ୍ଡାପଡ଼ା ଷ୍ଟେସନ୍ ରହିଥିଲା। ଏହି ଲାଇନ୍ରେ ମୋଟ ୧୬ କିଲୋମିଟର୍ ୪୩ ମିଟର୍ ଲମ୍ବର ୫ଟି ସୁଡ଼ଙ୍ଗ ନିର୍ମାଣ ହେବାକୁ ଥିବାବେଳେ ସବୁଗୁଡ଼ିକ ଏହି ସେକ୍ସନ୍ରେ ହିଁ ପଡ଼ୁଥିଲା।
/sambad/media/post_attachments/wp-content/uploads/2023/02/rail-line-p2-750x430.jpg)
ଚକାପାଦ ଓ ଜାଗରପେଟା ଷ୍ଟେସନ୍ ମଧ୍ୟରେ ୬ କିଲୋମିଟର୍ ଲମ୍ବା ଓଡ଼ିଶାର ଦୀର୍ଘତମ ଓ ଦେଶର ଅନ୍ୟତମ ଲମ୍ବା ସୁଡ଼ଙ୍ଗ ନିର୍ମାଣ ହୋଇଥାଆନ୍ତା। ଏଥି ପାଇଁ ବ୍ୟାପକ ଜଙ୍ଗଲ ଜମି ଅଧିଗ୍ରହଣ ସହ ବହୁ ପାହାଡ଼ କାଟିବାକୁ ପଡ଼ିଥାଆନ୍ତା। ତେଣୁ ଏହି ଲାଇନ୍କୁ ଚକାପାଦ ବା ସେହି ନିକଟସ୍ଥ କୌଣସି ସ୍ଥାନରୁ ପୂର୍ବ ଦିଗରୁ ମୋଡ଼ି ମାଧପୁରଠାରେ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳପଥ ସହ ମିଶାଇ ଦେବା ନେଇ ଯୋଜନା କରାଯାଉଛି। ଯେହେତୁ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ପ୍ରକଳ୍ପରେ ପୂର୍ବତଟ ରେଳବାଇ ମାଧପୁରରୁ ବୌଦ୍ଧ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରୁଛି ଓ ତାହା ଶୀଘ୍ର ଶେଷ ହେବ, ତେଣୁ ନୂଆ ପ୍ରକଳ୍ପରେ ସେତିକି କାମ କମିଯିବ। ମାଧପୁରରୁ ବୌଦ୍ଧ ମଧ୍ୟରେ ଜଙ୍ଗଲ ଓ ଜମି ଅଧିଗ୍ରହଣ ସହ ସୁଡ଼ଙ୍ଗ ନିର୍ମାଣ ଆଦି କାମ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ପ୍ରକଳ୍ପରେ କରାଯାଉ ଥିବାରୁ ସମ୍ବଲପୁର-ବ୍ରହ୍ମପୁର ପ୍ରକଳ୍ପ ଖର୍ଚ୍ଚରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ପାଇବ। ବୌଦ୍ଧଠାରୁ ପୁଣି ବ୍ରହ୍ମପୁର-ସମ୍ବଲପୁର ରେଳପଥ ବାହାରି କଦଳୀଗଡ଼ ଦେଇ ରେଢ଼ାଖୋଲଠାରେ ମିଶିବ। କଦଳୀଗଡ଼ରୁ ଆଉ ଏକ ୱାଇ-ଲିଙ୍କ୍ ଯାଇ ଅନୁଗୁଳ ଜିଲ୍ଲାର ବାମୁରଠାରେ ସମ୍ବଲପୁର-ତାଳଚେର ରେଳପଥକୁ ସଂଯୋଗ କରିବ।
ଓରିଡିଲ୍ କିନ୍ତୁ ଏଭଳି ପରିବର୍ତ୍ତନ ସଂପର୍କରେ କୌଣସି ସୂଚନା ଦେବାକୁ ମନା କରି ଦେଇଛି। ସୂଚନା ଅଧିକାର ଆଇନ୍ ବଳରେ ଏ ସଂପର୍କିତ ପ୍ରଶ୍ନର ଉତ୍ତରରେ ଓରିଡିଲ୍ କହିଛି ଯେ ପ୍ରକଳ୍ପ ଡିପିଆର୍ର ପରୀକ୍ଷାନିରୀକ୍ଷା ଓ ଯାଞ୍ଚ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଯୁକ୍ତିଯୁକ୍ତ ନିଷ୍କର୍ସ ହୋଇପାରି ନଥିବାରୁ ଏ ସଂପର୍କରେ ତଥ୍ୟ ଦିଆଯାଇ ପାରିବ ନାହିଁ। ଓଡ଼ିଶା ସରକାର ଓ ଭାରତୀୟ ରେଳବାଇର ମିଳିତ ସହଭାଗିତାରେ ଗଠିତ ଓରିଡିଲ୍ ପକ୍ଷରୁ ସମ୍ବଲପୁର-ବ୍ରହ୍ମପୁର ରେଳପଥର ଏହି ନକ୍ସା ପରିବର୍ତ୍ତନ ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟର ଅନ୍ୟତମ କେନ୍ଦ୍ରବିନ୍ଦୁ ତଥା ପୁରୁଣା ଜିଲ୍ଲା ସଦର ମହକୁମା ଫୁଲବାଣୀ ପୁଣିଥରେ ରେଳପଥରୁ ବଞ୍ଚିତ ହେବ। ଏହାକୁ ଫୁଲବାଣୀବାସୀ ସହଜରେ ଗ୍ରହଣ କରି ନପାରନ୍ତି। ଯଦିଓ ଖର୍ଚ୍ଚକାଟ, ଜଙ୍ଗଲ ରକ୍ଷା ଓ ଅଧିକ କଠିନ କାମରୁ ବର୍ତ୍ତିବା ପାଇଁ ଏଭଳି ପଦକ୍ଷେପ ନିଆଯାଇପାରେ, ତେବେ ଏହାଦ୍ବାରା ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ିବାର ଉଦ୍ଦେଶ୍ୟ ପୂର୍ଣ୍ଣରୂପେ ସାଧିତ ହୋଇପାରିବ ନାହିଁ।