ଭୁବନେଶ୍ବର : ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଲଗାତର ଟାର୍ଗେଟ୍ କରି ଚାଲିଛି ବିଜେଡି। ଗତ ୨୨ରୁ ୨୪ ତାରିଖ ଯାଏ ବିଜେଡିର ଯୁବ ଓ ଛାତ୍ର ଶାଖା ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଥିଲା। ଏହା ପରେ ଆଜି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛି। ନଭେମ୍ବର ୩୦ତାରିଖ ସୁଦ୍ଧା ଯଦି ଗ୍ୟାସ୍ ଦର ନ କମେ ତେବେ ସାରା ରାଜ୍ୟରେ ଆନ୍ଦୋଳନ ଜୋରଦାର ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ନେତ୍ରୀ ଏଲିନା ଦାସ ଓ ଇପ୍ସିତା ସାହୁ କହିଛନ୍ତି ଯେ, ବିଶ୍ୱର କୌଣସି ଦେଶରେ କେବେବି ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ପରିମାଣରେ ବଢ଼ି ନାହିଁ। ୨୦୧୪ରେ ଯେତେବେଳେ ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ ସେତେବେଳେ ଗ୍ୟାସ ସିଲିଣ୍ଡରର ଦର ଥିଲା ୪୧୪ ଟଙ୍କା। ଗତ ୭ ବର୍ଷ ଭିତରେ ଦର ଦୁଇଗୁଣରୁ ଅଧିକ ବଢି ୯୩୦ ଟଙ୍କା ଛୁଇଁଲାଣି। କରୋନା ଭଳି ମହାମାରୀ ସଙ୍କଟ ବେଳେ ପ୍ରତି ମାସରେ ୨୫,୫୦, ୭୫ ଟଙ୍କା ପର୍ଯ୍ୟନ୍ତ ବଢାଯାଇ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରାଯାଉଛି। ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି କରି କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଲେଣି। ଲୋକେ ତ୍ରାହି ତ୍ରାହି ଡାକିଲେଣି। କିନ୍ତୁ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ଓଲଟା ବିଜେପିର ରାଜ୍ୟ ନେତୃବୃନ୍ଦ ସରକାରକୁ ବଞ୍ଚାଇବା ଲାଗି ମିଛର ସାହାରା ନେଉଛନ୍ତି ଏବଂ ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି ବାଢୁଛନ୍ତି। ଲୋକଙ୍କୁ ଭୁଆଁ ବୁଲାଇବାକୁ ଯାଇ କହୁଛନ୍ତି, ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍ ଦର ବଢୁଛି। ହେଲେ ବାସ୍ତବତା ହେଲା; ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସର ଦର ୬ ଡଲାର/ବିଟିୟୁ ( ବ୍ରିଟିଶ୍ ଥର୍ମାଲ ୟୁନିଟ୍) ଥିଲାବେଳେ ଏବେ ତାହା ୫.୮ ଡଲାରକୁ କମିଯାଇଛି। ଠିକ୍ ସେମିତି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିଲାବେଳେ ଏବେ ଏହା ୭୮ ଡଲାର ରହିଛି। ଉଭୟ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳର ଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲାବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ % ବଢିବାର ଯଥାର୍ଥତା କେଉଁଠି ବୋଲି ବିଜେଡି ନେତାମାନେ ପ୍ରଶ୍ନ କରିଛନ୍ତି।
ବିଜେଡି ପକ୍ଷରୁ ଆହୁରି କୁହାଯାଇଛି ଯେ ଉଜ୍ଜ୍ୱଳା ଯୋଜନା ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଲୋକଙ୍କୁ ମିଛ ସଫଳତାର କାହାଣୀ ଶୁଣାଇ ଚାଲିଛନ୍ତି। ଏହି ଯୋଜନାକୁ ବହୁ ଆଡ଼ମ୍ବରରେ ଆରମ୍ଭ କଲାବେଳେ ସରକାର କେତେ ସ୍ୱପ୍ନ ଦେଖାଇଥିଲେ। ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲିମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କହିଥଲେ। ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଉଜ୍ଜ୍ୱଳା ଯୋଜନାର ଅଧିକାଂଶ ହିତାଧିକାରୀ ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରି ନପାରି ପୁଣି ଚୁଲି ମୁଣ୍ଡକୁ ଫେରି ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ସବୁ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ତାହା ସେମାନେ ବୁଝି ସାରିଲେଣି। ତେଣୁ ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି। ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ ଜବାବ ଦେବେ। ଗତ ୨୨ରୁ ୨୪ତାରିଖ ପର୍ଯ୍ୟନ୍ତ ହୋଇଥିବା ଆନ୍ଦୋଳନରେ ବହୁ ଲୋକ ସାମିଲ୍ ହୋଇଥିବାରୁ ଦଳ ପକ୍ଷରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଯାଇଛି।