ଭୁବନେଶ୍ୱର : ସ୍କୁଲ ଶିକ୍ଷାକୁ ମଜଭୁତ କରିବା ପାଇଁ ଆଜିଠାରୁ ଭୁବନେଶ୍ୱରରେ ଦୁଇଦିନିଆ ଷ୍ଟାର୍ସ(ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ)ର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ସ୍କୁଲ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ଶିକ୍ଷକମାନେ ଅଭିନବ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ସହ ପାଠପଢାରେ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦିଅନ୍ତୁ। ଏଦିଗରେ ଶିକ୍ଷା ବିଭାଗ ଓ ଅଧିକାରୀମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ) ହେଉଛି ଜାତୀୟ ଶିକ୍ଷା ନୀତିର ଅସ୍ମିତା। ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଶିକ୍ଷାରେ କ୍ରୀଡ଼ା ଆଧାରିତ ପାଠପଢା ଉପରେ ଗୁରୁତ୍ୱ ଦିଆଯାଇଛି। ଜାତୀୟ ଶିକ୍ଷା ନୀତି ଲାଗୁ କରିବା ଏବଂ ପିଏମ ଶ୍ରୀ ଯୋଜନାରେ ଯୋଡ଼ି ହେବା ପାଇଁ ରାଜ୍ୟଗୁଡ଼ିକୁ ସେ ଆହ୍ୱାନ ଦେଇଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶରେ ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିବାରେ ‘ଷ୍ଟାର୍ସ’ କାର୍ଯ୍ୟକ୍ରମର ବଡ଼ ଭୂମିକା ରହିଛି। ସମଗ୍ର ଶିକ୍ଷା ଅଭିଯାନ ସହ ‘ଷ୍ଟାର୍ସ’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟ ଯଥା ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ପ୍ରାୟ ୫ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଏହା କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନା ହୋଇଥିବାରୁ ବିଶ୍ବବ୍ୟାଙ୍କର ୬୫% ଯୋଗଦାନ ଥିବାବେଳେ ସମ୍ପୃକ୍ତ ରାଜ୍ୟର ୩୫% ଅର୍ଥ ରହିଛି। ବିଶେଷଭାବେ ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ‘ଷ୍ଟାର୍ସ’ ପ୍ରକଳ୍ପର ଉଦ୍ଦେଶ୍ୟ। ଚଳିତ ବଜେଟରେ କେନ୍ଦ୍ର ସରକାର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡିଆଇଇଟି)କୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଜି ବିଶ୍ୱର ଉଭା ହେଉଥିବା ଅର୍ଥନୀତି ପାଇଁ ମଡେଲ ହୋଇଛି। ବିଶେଷକରି ଭାରତ ଯେତେବେଳେ ଜି-୨୦ର ଅଧ୍ୟକ୍ଷତାର ଦାୟିତ୍ୱରେ ଅଛି, ସେହି ସମୟରେ ‘ଷ୍ଟାର୍ସ’ ମଡେଲ ସ୍କୁଲ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଉପାଦେୟ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ୬ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ରୂପରେଖ ଓ ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ବିଶ୍ବବ୍ୟାଙ୍କ ଅଧିକାରୀଙ୍କ ସହ ଆଗାମୀ ଦିନରେ ଶିକ୍ଷକଙ୍କ ଦକ୍ଷତା ବିକାଶରେ କ’ଣ ସବୁ ଦିଗ ରହିବା ଦରକାର ସେନେଇ ଆଲୋଚନା ହୋଇଥିଲା। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କେନ୍ଦ୍ର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ, ରାଜ୍ୟ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ବରିଷ୍ଠ ଅଧିକାରୀ, ଏନ୍ସିଇଆରଟି ଓ ବିଶ୍ବବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ।