ପ୍ରାର୍ଥୀ ନ ଥିଲେ ପୁଣି ପ୍ରାର୍ଥିପତ୍ର ଦାଖଲ: ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ବାରା ପୁନଃବିଜ୍ଞପ୍ତି ପ୍ରକାଶ

ଏଥର କେହି ନାମାଙ୍କନ ଦାଖଲ ନକଲେ ପ୍ରାର୍ଥୀ ମନୋନୀତ ହେବେ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ଯାଞ୍ଚ, ପ୍ରତ୍ୟାହାର ଆଜି ଶେଷ ହୋଇଥିବାବେଳେ କିଛି ସ୍ଥାନରେ ସବୁ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ ହୋଇଯାଇଛି କିମ୍ବା କେହି ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇନାହାନ୍ତି। ତେଣୁ ଏଠାରେ ଲୋକଙ୍କୁ ନିର୍ବାଚନରେ ଭାଗ ନେବା ପାଇଁ ରାଜ୍ୟ ନିର୍ବାଚନ କମିସନର ପୁଣି ସୁଯୋଗ ଦେଇଛନ୍ତି। ଭାରତୀୟ ସମ୍ବିଧାନ ଧାରା ୨୪୩(କ) ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ଆଇନ-୧୯୬୫ ଅଧିନିୟମ ୧୧(୧୧), ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ଆଇନ-୧୯୯୧ ଅଧିନିୟମ ୩୫ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ଆଇନ-୧୯୯୪ ଅଧିନିୟମ ୧୩ ଓ ୪୨ ଅନୁସାରେ ରାଜ୍ୟ ନିର୍ବାଚନ କମିସନର ଏହି ନିଷ୍ପତ୍ତି ନେଇଛନ୍ତି। ହେଲେ ନିର୍ବାଚନ ଦିବସ, ଭୋଟ୍‌ ଗଣତି ଓ ଫଳାଫଳ ଘୋଷଣାରେ କୌଣସି ପରିବର୍ତ୍ତନ ହେବନି।

ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ୱାର୍ଡମେମ୍ବର ଏବଂ ସରପଞ୍ଚ ପଦବି ନିମନ୍ତେ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଜାନୁଆରି ୨୭ତାରିଖ ପୂର୍ବାହ୍ନ ୧୦ଟାରେ ସଂପୃକ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ/ୱାର୍ଡରେ ନୋଟିସ୍ ଜାରି ହେବ। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜାନୁଆରି ୨୯ରୁ ୩୧ତାରିଖ ପର୍ଯ୍ୟନ୍ତତ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ। ଫେବ୍ରୁଆରି ୧ତାରିଖ ଦିନ ୧୧ଟା ବେଳେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଫେବ୍ରୁଆରି ୨ତାରିଖ ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କର ତାଲିକା ପ୍ରକାଶ ପାଇବ। ଫେବ୍ରୁଆରି ୪ତାରିଖ ଅପରାହ୍ନ ୩ଟା ସୁଦ୍ଧା ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ସେହିପରି ଉପରୋକ୍ତ କାର୍ଯ୍ୟ ସୂଚୀ ଅନୁଯାୟୀ ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ବ୍ଲକ କାର୍ଯ୍ୟାଳୟରେ ସମସ୍ତ ପ୍ରକ୍ରିୟା ହେବ। ଜିଲ୍ଲା ପରିଷଦ ସଭ୍ୟ ପଦବି ପାଇଁ ଉପଜିଲ୍ଲାପାଳ/ବ୍ଲକ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ସମସ୍ତ ପ୍ରକ୍ରିୟା ଉପରୋକ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେବ। ପୂର୍ବ ଘୋଷଣା ଅନୁଯାୟୀ ବାକି ସମସ୍ତ ପ୍ରକ୍ରିୟା ହେବ।

ଏହାପରେ ବି ଯଦି କୌଣସି ନିର୍ବାଚନ କ୍ଷେତ୍ରରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ନକରନ୍ତି ତେବେ ସରପଞ୍ଚ ଓ ୱାର୍ଡମେମ୍ବର ପଦବି ନିମନ୍ତେ ସଂପୃକ୍ତ ଉପଜିଲ୍ଲାପାଳ ଖାଲି ରହିଥିବା ପଦବି ନିମନ୍ତେ ପ୍ରାର୍ଥୀଙ୍କୁ ମନୋନୀତ କରିବେ। ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ କ୍ଷେତ୍ରରେ ଖାଲି ରହିଥିବା ପଦବି ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରାର୍ଥୀ ମନୋନୟନ କରାଯିବ। ସୂଚନାଯୋଗ୍ୟ ଯେ, ଜାନୁଆରି ୩୦ତାରିଖ ସରକାରୀ ଛୁଟି ଦିବସ ସତ୍ତ୍ବେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ରହିବ ଓ ନାମାଙ୍କନପତ୍ର ଦାଖଲ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର