ମାଲକାନଗିରି: ପୂର୍ବରୁ ମାଲକାନଗିରି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଗାଁଗୁଡ଼ିକରେ ବଡ଼ ବଡ଼ ଗଛ ଦେଖିବାକୁ ମିଳୁଥିଲା। ଏବେ ଗାଁଗୁଡ଼ିକ ବୃକ୍ଷଶୂନ୍ୟ। ଗଛର ସୁରକ୍ଷା ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ମାଲକାନଗିରି ଜଙ୍ଗଲ ଶୂନ୍ୟ ହୋଇଯିବ। ଶବଦାହ ପାଇଁ କାଠ ଖଣ୍ଡିଏ ମିଳିବନି। ‘ସମ୍ବାଦ’ ପକ୍ଷରୁ ଖଇରପୁଟ ବ୍ଲକ୍ ଗୋବିନ୍ଦପାଲ୍ଲୀ ଡିଗ୍ରି ମହାବିଦ୍ୟାଳୟରେ ଆୟୋଜିତ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିଧାୟକ ମଙ୍ଗୁ ଖିଲ।
ବିଧାୟକ କହିଛନ୍ତି, ଆମକୁ ପରିବେଶର ସୁରକ୍ଷା ଲାଗି ଜାଗ୍ରତ ହେବାକୁ ପଡ଼ିବ। ନିଜ ଘର ଆଖପାଖରେ ଥିବା ବୃକ୍ଷର ସୁରକ୍ଷା ନେବାକୁ ପଡ଼ିବ। ପ୍ରତିବର୍ଷ ମୁଁ ୧୦ଟି ଗଛ ଲଗାଉଛି। ଅନ୍ୟମାନେ ଏମିତି ପଣ କରନ୍ତୁ। ସମ୍ମାନିତ ଅତିଥି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ନାୟକ କହିଲେ, ଜଙ୍ଗଲ ନଷ୍ଟ କାରଣରୁ ମାଲକାନଗିରି ପରିବେଶ ପ୍ରଦୂଷିତ ହୋଇ ପଡ଼ିଲାଣି। ଖରା, ବର୍ଷା, ଶୀତ ବିଶେଷ ଭାବେ ଅନୁଭୂତ ହେଉନି। ଗାଁ ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାକୁ ଲାଗିଲାଣି। ଲଘୁଚାପ ନ ହେଲେ ବର୍ଷା ହେଉନି। ଏଥିରୁ ସ୍ପଷ୍ଟ ଜଙ୍ଗଲ ନଷ୍ଟର ପ୍ରଭାବ ଜଳବାୟୁ ପରିବର୍ତ୍ତନ ଉପରେ ପଡ଼ିଲାଣି। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଭୟ କୁମାର ପାତ୍ର, ହରିଶ୍ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀନିବାସ ରାଓ, ଅଲେଖ ପାତ୍ର ଉପସ୍ଥିତ ଥିଲେ। ‘ସମ୍ବାଦ’ ମାଲକାନଗିରି ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଚ୍ଛା ସ୍ବାଗତ ଭାଷଣ ଦେଇଥିଲେ। ‘ସମ୍ବାଦ’ ଗୋବିନ୍ଦପାଲ୍ଲୀ ପ୍ରତିନିଧି କୈଳାସ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।