ଭୁବନେଶ୍ବର: ସାଂପ୍ରତିକ ପରିସ୍ଥିତିରେ ବିଶ୍ବ ଜଳବାୟୁ ପରିବର୍ତ୍ତନ କାରଣରୁ ପରିବେଶ ଅସନ୍ତୁଳନ ସହ ଜୈବ ବିବିଧତା ହ୍ରାସ ଘଟୁଛି। ଏଥିପ୍ରତି ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ। ବୃକ୍ଷରୋପଣ ସହିତ ବୃକ୍ଷର ସୁରକ୍ଷା ଲାଗି ଆମକୁ ଚେଷ୍ଟିତ ହେବାକୁ ପଡ଼ିବ। ୨୦୨୪ ମସିହାରେ ‘ସମ୍ବାଦ ସାହିତ୍ୟଘର’ ଦ୍ବାରା ହୋଇଥିବା ସମସ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମର ଫଟୋ ଓ ତଥ୍ୟ ସମ୍ବଳିତ ‘ଗଛ ବଞ୍ଚିଲେ ଆମେ ବଞ୍ଚିବା’ କଫିଟେବୁଲ୍ ପୁସ୍ତକ ଉନ୍ମୋଚନ ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
ଆଜି ସମ୍ବାଦ ଭବନ ପରିସରରେ ଶ୍ରୀ ପଟ୍ଟନାୟକ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଚିନ୍ତାବ୍ୟକ୍ତ କରି କହିଲେ, ପ୍ରତ୍ୟେକ ବ୍ୟକ୍ତି ନିଜ ଘର ପରିସରରେ ଗୋଟିଏ ଲେଖାଏଁ ଗଛ ଲଗାଇବା ଆବଶ୍ୟକ। ‘ସମ୍ବାଦ’ କେବଳ ଖବର ପରିବେଷଣରେ ସୀମିତ ନରହି ରକ୍ତଦାନ, ବୃକ୍ଷରୋପଣ, ନିଶା ନିବାରଣ ଭଳି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ଲୋକଙ୍କ ସହିତ ଯୋଡ଼ିହୋଇ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ପୁସ୍ତକ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପ୍ରତିଦିନ ସମଗ୍ର ବିଶ୍ବରେ କିଭଳି ଭୟଙ୍କର ଘଟଣା ଘଟୁଛି ସେ ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଥିଲେ। ‘ସମ୍ବାଦ’ର ସିଓଓ ଓ ପ୍ରକାଶକ କମଳାକାନ୍ତ ମହାପାତ୍ର, ‘କନକ ନ୍ୟୁଜ୍’ର ସିଓଓ ରତିକାନ୍ତ ଶତପଥୀ, ‘ସମ୍ବାଦ’ର ଫିଚର୍ ସମ୍ପାଦକ ଧୃତିକାମ ମହାନ୍ତି, ମାନବ ସମ୍ବଳ ମୁଖ୍ୟ ବୈଜୟନ୍ତୀ କର ଓ ‘ସମ୍ବାଦ’ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/03/fshffhf-2025-09-03-04-42-15.jpg)