ବାଲେଶ୍ବର: କଂଗ୍ରେସ ଦଳର ନେତା ଓ କର୍ମୀମାନେ କୌଣସି ଆଶା ଓ ଆକାଂକ୍ଷା ନରଖି ଏକଜୁଟ୍ ହେବା ସହ ଲୋକଙ୍କ ପାଇଁ କାମ କଲେ ନିଶ୍ଚିତ ଭାବେ କଂଗ୍ରେସ ଆଗାମୀ ଦିନରେ ଫେରିବ। ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରାଜୀବ ଭବନ ପରିସରରେ ନବନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା କରାଯିବା ଅବସରରେ ଦଳର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ ଏକଥା କହିଛନ୍ତି।

Advertisment

ବାଲିଆପାଳ ବ୍ଲକର ପୂର୍ବତନ ଚେୟାରମ୍ୟାନ୍ ବିଜନ ନାୟକଙ୍କ ଦୃଢ଼ ନେତୃତ୍ବ ଯୋଗୁଁ ଦଳ ବ୍ଲକକୁ ଅଧିକାର କରିବା ସହ ଅଧିକାଂଶ ସମିତିସଭ୍ୟ, ସରପଞ୍ଚ, ୱାର୍ଡସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବା ସମ୍ଭବପର ହୋଇପାରିଲା। ତେଣୁ ପ୍ରତ୍ୟେକ ବ୍ଲକରେ ଦଳ ତୃଣମୂଳସ୍ତରରୁ ଲୋକଙ୍କ ସହ ରହି ସେମାନଙ୍କ ଦୁଃଖସୁଖରେ ସାମିଲ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଦଳର ଅନ୍ୟତମ ଯୁବନେତା ସତ୍ୟଶିବ ଦାସ କହିଥିଲେ, କଂଗ୍ରେସ ଦଳ ପ୍ରତି ମହିଳାମାନଙ୍କ ଆକର୍ଷଣ କମି ଯାଉଥିବାରୁ ଆମେ ସବୁ ନିର୍ବାଚନ ମଣ୍ତଳୀରେ ଅପେକ୍ଷକୃତ କମ୍ ଭୋଟ୍ ପାଉଛୁ। ତେଣୁ ଆମେ ମହିଳାମାନଙ୍କୁ ଦଳରେ ସାମିଲ କରିବା ସହ ସେମାନଙ୍କ ସମସ୍ୟା ବୁଝିବାର ବେଳ ଆସିଛି। ଜିଲ୍ଲା ସଭାପତି ସଂଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ଦାଶ, ସତ୍ୟଶିବ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା ଓ ବାବାଜୀ ଦେହୁରି ପ୍ରମୁଖ ଉଦ୍‌ବୋଧନ ଦେଇ ଲୋକଙ୍କ ସହ ରହିଲେ ନିଶ୍ଚିତ ଭାବେ ଦଳ ଜିତିବ ବୋଲି କହିଥିଲେ। ଏହି ଅବସରରେ ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ସମିତିସଭ୍ୟ, ସମିତିସଭ୍ୟା, ୱାର୍ଡସଭ୍ୟ, ସଭ୍ୟା, ବ୍ଲକ ଚେୟାରମ୍ୟାନ୍ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ରଞ୍ଜିତା ନାୟକ, କୃଷ୍ଣଗୋପାଳ ପଣ୍ତା, ଗୋପୀନାଥ ପାଢ଼ୀ, ଦେବଦତ୍ତ ଦାସ, ପ୍ରଜ୍ଞାପାରମିତା ମହାନ୍ତି, ଗୌତମ ସାହୁ, ରଞ୍ଜନ ଦାସ, ରାଜେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା, ସେଖ ଅଜଗର ଅଲ୍ଲୀ, ଆଶିଷ ପାତ୍ର, ସୁମତି ପାତ୍ର ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ସୁଧାଂଶୁ ଶେଖର ଜେନା ଧନ୍ୟବାଦ ଦେଇଥିଲେ।