ଲକ୍ଷ୍ମୀପୁର/କୋରାପୁଟ: ଜଳ,ବାୟୁ ଓ ମାଟିର ବିକଳ୍ପ ନାହିଁ। ଏହି ୩ ଉପାଦାନ ପରବର୍ତ୍ତୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ପାଇଁ ସଚେତନ ହେବାର ସମୟ ଆସିଛି। ପ୍ରତ୍ୟେକ ନାଗରିକ ଗଛର ମହତ୍ତ୍ବକୁ ବୁଝି ନିଜ ଚାରିପାର୍ଶ୍ବରେ ଗଛ ଲଗାଇବାର ଆବଶ୍ୟକତା ରହିଛି। ବର୍ଷକୁ ପ୍ରତି ଲୋକ ଗୋଟିଏ ଗଛ ଲଗାଇଲେ ତାହା ସମାଜ ପାଇଁ ବରଦାନ ସଦୃଶ୍ୟ ହେବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଉପହାର ବଦଳରେ ଗଛକୁ ଉପହାର ଦେଲେ ସବୁଜିମା କ୍ଷେତ୍ରରେ ନୂଆ ପ୍ରେରଣା ସୃଷ୍ଟି ହେବ।
‘ସମ୍ବାଦ’ ପକ୍ଷରୁ ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା। ଶ୍ରୀ ସାଉନ୍ତା କହିଥିଲେ, ଗଛକୁ ମଣିଷର ଆବଶ୍ୟକତା ନାହିଁ। ମଣିଷ ଓ ଜୀବ ଜଗତକୁ ଗଛର ଆବଶ୍ୟକତା ଅଛି। ଅଥଚ ଆବଶ୍ୟକତା ମେଣ୍ଟାଇବା ପାଇଁ ମଣିଷ ଜଙ୍ଗଲ ଧ୍ବଂସ କରି ଚାଲିଛି। ଯାହାର ପ୍ରଭାବ ପରିବେଶ ଉପରେ ପଡ଼ିବା ସହ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏଥି ପ୍ରତି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। ନଚେତ୍ ସବୁଜିମା ମରୁଭୂମିରେ ପରିଣତ ହେବା ସହିତ ଆଗାମୀ ୧୦ ବର୍ଷରେ ଜଙ୍ଗଲରୁ ପକ୍ଷୀ ଓ ଜୀବଜନ୍ତୁ ଲୋପ ପାଇବେ। ଗୋଟିଏ ଗଛ ପରିବାର ଓ ପରବର୍ତ୍ତୀ ପିଢ଼ି ପାଇଁ ଲଗାଇବାକୁ ସମସ୍ତେ ସଂକଳ୍ପ ନେବାକୁ ବିଧାୟକ ଆହ୍ବାନ୍ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଝିନ ହିକକା ଯୋଗଦେଇ କହିଥିଲେ, ବିକାଶ ନାମରେ ବିନାଶ ଚାଲିଛି। ପ୍ରକୃତିକୁ ଯେଉଁ ଭଳି ଭାବେ ମଣିଷ ନଷ୍ଟ କରୁଛି ତାକୁ ରୋକିବା ପାଇଁ ପୁନଃ ବନୀକରଣର ଆବଶ୍ୟକତା ରହିଛି। ଗୋଟିଏ ଗଛ ତାର ଜୀବନ କାଳ ମଧ୍ୟରେ ୩୩ ଲକ୍ଷ ଟଙ୍କାର ଉପକାର ଦେଉଛି। ଜଙ୍ଗଲ ନଷ୍ଟ ଯୋଗୁଁ ଏବେ ଅମ୍ଳଜାନ କିଣିବାକୁ ପଡୁଛି। ପ୍ରତି ଛାତ୍ରଛାତ୍ରୀ ସଚେତନ ହୋଇ ବ୍ୟାପକ ବୃକ୍ଷରୋପଣ କଲେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ। ଅନ୍ୟତମ ଅତିଥି ପୂର୍ବତନ ବିଧାୟକ କୈଳାସ କୁଲେସିକା ନିଜ ବକ୍ତବ୍ୟରେ କୋରାପୁଟରେ ୬ ଋତୁ ବଦଳରେ ଏବେ ଖରା, ବର୍ଷା, ଶୀତ ହିଁ ଅନୁଭୂତ ହେଉଛି ବୋଲି କହିଥିଲେ। ପରିବେଶ ପ୍ରଦୂଷଣ ରୋକିବାକୁ ପ୍ରତି ବର୍ଷ ଜଣେ ୧୦ଟି ଲେଖାଁଏ ଗଛ ଲଗାଇବାକୁ ଶ୍ରୀ କୁଲେସିକା ପରାମର୍ଶ ଦେଇଥିଲେ। ଗଛ ମଣିଷ ଗୋପେଶ୍ବର ଗରଡ଼ା କହିଥିଲେ, ପୋଡ଼ୁ ଚାଷ ଦ୍ବାରା ଜଙ୍ଗଲ ନଷ୍ଟ ହେଉଛି। ମନୁଷ୍ୟକୃତ ନିଆଁକୁ ରୋକିବାକୁ ପଦକ୍ଷେପ ନେବାକୁ ପଡ଼ିବ। ଚାରା ବଣ୍ଟନ ସରଳୀକରଣ କରିବା ସହ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଚାରା ଯୋଗାଇଲେ ବୃକ୍ଷରୋପଣ ପରିମାଣ ବଢ଼ିପାରିବ ବୋଲି ଶ୍ରୀ ଗରଡ଼ା କହିଥିଲେ। ସମାଜସେବୀ ସଂଗୀତା ମିଶ୍ର କହିଥିଲେ, ବ୍ୟାପକ ଗଛ କଟା ଯୋଗୁଁ ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି।
ମା’ ମାଟିର ସୁରକ୍ଷା ପାଇଁ ପରିବେଶର ରକ୍ଷା କରିବାକୁ ପଡ଼ିବ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସିଏସ୍ଓ ଇନ୍ଦ୍ରଜିତ ସାହୁ, ବଣିକ ସଂଘ ସମ୍ପାଦକ ମନୋଜ କୁମାର ସାହୁ, ସାଂସଦ ପ୍ରତିନିଧି କୈଳାଶ ଖସଲା, ବରିଷ୍ଠ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ସାହିତ୍ୟଘର ସମ୍ପାଦକ ଅରୁଣ ମିଶ୍ର ବୃକ୍ଷରୋପଣର ମହତ୍ତ୍ବ ଉପରେ ମତ ରଖିଥିଲେ। ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ୨ ଅଧ୍ୟକ୍ଷ ଗିରିଜା ଚୌଧୁରୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବାଦ ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର ପାଢ଼ୀ ପରିଚାଳନା କରିଥିଲେ। ଲକ୍ଷ୍ମୀପୁର ପ୍ରତିନିଧି ପରମେଶ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।