କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବିସ୍ତୀର୍ଣ୍ଣ ସମୁଦ୍ର ତଟ, ହେନ୍ତାଳ ବଣ ଓ ନଦୀ ନାଳ ରହିଛି। ଜିଲ୍ଲାର ଅଧିକାଂଶ ଲୋକ ସମୁଦ୍ର ଓ ନଦୀରୁ ମାଛ ମାରି ଓ କୃଷି କାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି। ହେଲେ ଜଳବାୟୁ ପରିବର୍ତ୍ତନ ଓ ପରିବେଶର ଦ୍ରୁତ ଅବନତି ଯୋଗୁଁ ଲୋକମାନଙ୍କର ଜୀବନ ଜୀବିକା ପ୍ରଭାବିତ ହେବାରେ ଲାଗିଛି। ଆଜି ଇଲିସି ମାଛ ଦେଖିବା ସ୍ୱପ୍ନ ହୋଇପଡ଼ିଛି, ଯାହାକି ଦିନେ ମହାକାଳପଡ଼ା ଅଞ୍ଚଳକୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ବାଇ ଚଢ଼େଇ, ଭଦଭଦିଆ, ଶାଗୁଣା, ଘୁକାଳିକା ଆଦି ଅନେକ ପକ୍ଷୀ ଏବେ ଅଦୃଶ୍ୟ ହୋଇ ଯାଇଥିବା ବେଳେ ବଣି, କୁଣ୍ଡାଖିଆ ଓ ହଳଦୀବସନ୍ତ ଆଦି ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଚିଙ୍ଗୁଡ଼ି ଚାଷ ବଢ଼ିବା ଫଳରେ ଏଥିରୁ ନିର୍ଗତ ବର୍ଜ୍ୟ ଅଞ୍ଚଳର ମୃତ୍ତିକା ଓ ଜଳଉତ୍ସଗୁଡ଼ିକୁ ବିଷାକ୍ତ କରିଦେଲାଣି। ପଡ଼ୋଶୀ
ଜଗତସିଂହପୁର ଜିଲ୍ଲାର ପାରାଦୀପ ଠାରେ ଗଢ଼ି ଉଠିଥିବା ବିଭିନ୍ନ ଶିଳ୍ପ ସଂସ୍ଥାରୁ ନିର୍ଗତ ଦୂଷିତ ବାଷ୍ପ ମହାକାଳପଡ଼ା ଓ କେନ୍ଦ୍ରାପଡ଼ା ଅଞ୍ଚଳର ବାୟୁମଣ୍ଡଳକୁ ବିଶେଷଭାବେ ପ୍ରଭାବିତ କରୁଛି। ଶିଳ୍ପାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ ନଦୀ ନାଳ ଓ ସମୁଦ୍ରରେ ମିଶିବା ଯୋଗୁଁ ଏହା ମଧ୍ୟ ଦୂଷିତ ହେବାରେ ଲାଗିଛି। ବ୍ୟାପକ ମାତ୍ରାରେ ଗଛ କଟାଯାଉଛି। ବେଳ ଥାଉଣୁ ସଜାଗ ନ ହେଲେ ପ୍ରକୃତିର କୋପ ଭୋଗିବାକୁ ପଡ଼ିବ ବୋଲି ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଗୋଗୁଆ ପଞ୍ଚାୟତର ବାବର ରାହାମାସ୍ଥିତ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ମହାବିଦ୍ୟାଳୟଠାରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ମତ ଦେଇଛନ୍ତି।
କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଥିଲେ ଯେ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ବୃକ୍ଷରୋପଣ କରିବା ଉଚିତ। ଯଦି ସମସ୍ତେ ପରିବେଶ ସୁରକ୍ଷା ଦିଗରେ ଏବେ ଠୁ ସଜାଗ ନ ହେବା ତାହାହେଲେ ଭବିଷ୍ୟତରେ ଚରମ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ ବୋଲି ବିଧାୟକ ଶ୍ରୀ ନାୟକ ଚେତାଇ ଦେଇଥିଲେ। ଅନ୍ୟତମ ଅତିଥି +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ର କହିଛନ୍ତି ଯେ ପରିବେଶ ସୁରକ୍ଷା ଦିଗରେ ‘ସମ୍ବାଦ’ର ପଦକ୍ଷେପ ଅତ୍ୟନ୍ତ ପ୍ରଶଂସାଯୋଗ୍ୟ। ପରିବେଶ ବିପର୍ଯ୍ୟୟର ଧାରା ଜାରି ରହିଲେ, ମଣିଷ ସମାଜ ଲୋପ ପାଇଯିବ। ବ୍ୟାପକ ମାତ୍ରାରେ ବୃକ୍ଷରୋପଣ କରିବା ସହିତ ଏହାର ସୁରକ୍ଷା ଦିଗରେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ। +୨ କଲେଜର ଅଧ୍ୟକ୍ଷ ମନ୍ମଥ କୁମାର ପାତ୍ର କହିଥିଲେ ଯେ ପରିବେଶ ଓ ବିକାଶ ମୁଦ୍ରାର ଦୁଇଟି ପାର୍ଶ୍ୱ। ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ସରୋଜକାନ୍ତ ସାହୁ ସରକାରୀ ସ୍ତରରେ ଚାଲିଥିବା ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ସହିତ ‘ସମ୍ବାଦ’ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ।