ନୟାଗଡ଼: ପୂର୍ବର ପୃଥିବୀ ଓ ବର୍ତ୍ତମାନର ପୃଥିବୀ ମଧ୍ୟରେ ଆକାଶ ପାତାଳ ଫରକ। ପାଣି, ପବନ ଓ ପରିବେଶରେ ଦିନକୁ ଦିନ ବ୍ୟାପକ ପରିବର୍ତ୍ତନ ହେଉଛି। ଜମି କମିକମି ଚାଲିଛି। ସୁଉଚ୍ଚ ଅଟ୍ଟାଳିକା ଓ ବଡ଼ବଡ଼ କାରଖାନା ବଢ଼ୁଛି। ବର୍ତ୍ତମାନ ସମାଜରେ ପ୍ରଗତି ଓ ଉନ୍ନତିର ଆବଶ୍ୟକତା ନିହାତି ରହିଛି। ନଚେତ୍‌ ଜୀବସମାଜ ଆଗକୁ ଯାଇପାରିବ ନାହିଁ ସତ। ମାତ୍ର ପ୍ରଗତି ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରି କାର୍ଯ୍ୟ କଲେ ହିଁ ପୁନଶ୍ଚ ପୃଥିବୀର ପରିକଳ୍ପନା କରାଯାଇପାରିବ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।

Advertisment

ସ୍ଥାନୀୟ କୃଷ୍ଣପ୍ରିୟା ଦେବୀ (କେପିଡି) ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବେହେରା ଆହୁରି କହିଲେ ଯେ, ମଣିଷ ନିଜର ଜୀବନଚର୍ଯ୍ୟା ଓ ବିଳାସବ୍ୟସନ ପାଇଁ ପରିବେଶକୁ ଧ୍ବଂସ କରିଚାଲିଛି। ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବଡ଼ ବଡ଼ ନଦୀ ଓ କେନାଲ ସଫେଇ ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରୁଛନ୍ତି। ମାତ୍ର ଯଦି ଏହି ଜଳଉତ୍ସଗୁଡ଼ିକରେ ଆବର୍ଜନା ପକାଇ ଏହାକୁ ଦୂଷିତ କରାଯାଇ ନଥାନ୍ତା, ତେବେ ବୋଧହୁଏ ସରକାରଙ୍କୁ ଏହି ଯୋଜନା କରିବାକୁ ପଡ଼ନ୍ତା ନାହିଁ। ସେହିପରି ପ୍ରତ୍ୟେକ ବର୍ଷ ଶହ ଶହ ହେକ୍ଟର ଜଙ୍ଗଲ ଜଳିଯିବା ଯୋଗୁ ବହୁ ଔଷଧୀୟ ବୃକ୍ଷ ଓ ଜୀବଜନ୍ତୁ ପୋଡ଼ି ଯାଉଛନ୍ତି। ସରକାର ଜଙ୍ଗଲ ଲିଭାଇବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିବା ସହ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଗ୍ରୀଷ୍ମରେ ନିଆଁ ଲାଗିବା ପୂର୍ବରୁ ଯଦି ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଯାଆନ୍ତା, ତେବେ ଏହି ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ।

ବର୍ତ୍ତମାନ ଆମେ ନେଉଥିବା ଅମ୍ଳଜାନ ବି ବିଶୁଦ୍ଧ ନୁହେଁ। ଏଣୁ ବେଳ ଥାଉଣୁ ନ ସୁଧୁରିଲେ ଭବିଷ୍ୟତ ନିଶ୍ଚିତ ଭାବେ ଅନ୍ଧକାର ହୋଇପଡ଼ିବ। ଦଶପଲ୍ଲା ବ୍ଲକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ କହିଲେ, ପରିବେଶକୁ ସୁଧାରିବା ପାଇଁ ପ୍ରତ୍ୟେକ ମଣିଷ ମଧ୍ୟରେ ଆନ୍ଦୋଳନ ଭାବ ରହିବା ଉଚିତ। ନଚେତ୍‌ ଏହି ପରିକଳ୍ପନା କେବଳ ସଭାସମିତିରେ ସୀମିତ ହୋଇ ରହିଯିବ। ଏନ୍‌ଏସି ଅଧ୍ୟକ୍ଷା ପୁନମ୍‌ ପ୍ରିୟଦର୍ଶିନୀ କହିଲେ ଯେ ପରିବେଶକୁ ସୁଧାରିବା ପାଇଁ କେବଳ ସରକାର, ପ୍ରଶାସନ କିମ୍ବା ଜନପ୍ରତିନିଧି ଚାହିଲେ ହେବନି। ସେଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ। କେପିଡି ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପୂର୍ଣ୍ଣମାସୀ ଦେବୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲ, ବୃକ୍ଷରୋପଣ ଓ ଏହାକୁ ବଞ୍ଚାଇ ରଖିବା ଉପରେ ଜୋର୍‌ ଦେଇଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ସନ୍ଦୀପ କୁମାର ଲେଙ୍କା ସ୍ବାଗତ ଭାଷଣ ଦେଇଥିବା ବେଳେ ସାଂସଦଙ୍କ ଦଶପଲ୍ଲା ବ୍ଲକ୍ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କନକ ନ୍ୟୁଜ୍ ଜିଲ୍ଲା ପ୍ରତିନିଧି ପ୍ରଦୀପ୍ତ ରଥ ମଞ୍ଚ ପରିଚାଳନା ଏବଂ ଦଶପଲ୍ଲା ବ୍ଲକ୍ ପ୍ରତିନିଧି ପ୍ରଫୁଲ୍ଲ ପଣ୍ଡା ସମସ୍ତ ସହଯୋଗ କରିଥିଲେ।