କଟକ: ଦୁଇ ଜଣ ଶ୍ରମିକଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖିବା ସହିତ ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କା ମାଗିବା ଭଳି ଘଟଣା ଘଟିଛି ମଙ୍ଗଳାବାଗ ଥାନା ଅଞ୍ଚଳରେ। ଅଭିଯୋଗ ପାଇବା ପରେ ମଙ୍ଗଳାବାଗ ଥାନା ପୁଲିସ ତୁରନ୍ତ ପଦକ୍ଷେପ ନେଇ ଅପହୃତ ଶ୍ରମିକଙ୍କୁ ଉଦ୍ଧାର କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଯୋବ୍ରା ସାମଲ ସାହିର ବିନୋଦ ସାମଲ(୨୬) ଓ ମଙ୍ଗଳାବାଗ ଘାସିଆ ସାହିର ଦେବୁନ ସାମଲ(୨୪)। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
୨ ଶ୍ରମିକଙ୍କୁ ମୁଣ୍ଡ ଜାମିନ ରଖି ଲକ୍ଷେ ଟଙ୍କା ଦାବି
ଯୋବ୍ରାର ପରିତ୍ୟକ୍ତ ଘରୁ ଉଦ୍ଧାର, ୨ ଗିରଫ
ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ଗିରିଢ଼ି ଜିଲ୍ଲାର ନନ୍ଦକିଶୋର ମାଝୀ ବଢ଼େଇ କାମ କରନ୍ତି। ବର୍ତ୍ତମାନ ସେ ଏକ ଠିକା ସଂସ୍ଥା ଦ୍ୱାରା କଟକ ବଡ଼ଡାକ୍ତରଖାନା ବିଶ୍ବସ୍ତରୀୟ ପ୍ରକଳ୍ପରେ କାମ କରୁଛନ୍ତି। ତାଙ୍କ ସହିତ ଗାଁର ସାଗର ଟୁଡ଼ୁ ଓ ରବୀନ୍ଦ୍ର ଟୁଡ଼ୁ ମଧ୍ୟ ଶ୍ରମିକ ଭାବେ କାମ କରୁଛନ୍ତି। ସମସ୍ତେ ମଙ୍ଗଳାବାଗ ଅଞ୍ଚଳରେ ଭଡ଼ାରେ ଘର ନେଇ ରହୁଛନ୍ତି। ତେବେ ଗଲା ରବିବାର ଅପରାହ୍ଣରୁ ସାଗର ଓ ରବୀନ୍ଦ୍ରଙ୍କ ପତ୍ତା ମିଳିନଥିଲା। ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ନନ୍ଦକିଶୋର ନିର୍ମାଣସ୍ଥଳକୁ ଯାଇ ଖୋଜାଖୋଜି କରିଥିଲେ। ଉଭୟଙ୍କ ଫୋନ୍ ନ ଲାଗିବାରୁ ନନ୍ଦକିଶୋରଙ୍କ ମନରେ ସନ୍ଦେହ ହୋଇଥିଲା। ସୋମବାର ରାତିରେ ହଠାତ୍ ସାଗର ତା’ଘର ଲୋକଙ୍କୁ ଫୋନ୍ କରି ତୁରନ୍ତ ୧ଲକ୍ଷ ଟଙ୍କା ଅନ୍ଲାଇନ୍ରେ ଦେବାକୁ କହିଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ହାତରୁ ମୋବାଇଲ୍ ଛଡ଼ାଇ ନେଇ ଟଙ୍କା ନଦେଲେ ପୁଅକୁ ହତ୍ୟା କରି ମହାନଦୀରେ ଫିଙ୍ଗି ଦିଆଯିବ ବୋଲି ଧମକ ଦେଇଥିଲା। ସାଗରର ପରିବାର ଘଟଣା ସମ୍ପର୍କରେ ତୁରନ୍ତ ନନ୍ଦକିଶୋରଙ୍କୁ ଜଣାଇଥିଲେ। ଏହାପରେ ନନ୍ଦକିଶୋର ମଙ୍ଗଳାବାଗ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ସାଗରର ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ପୁଲିସ ଯୋବ୍ରା ଅଞ୍ଚଳରେ ଚଢ଼ଉ କରି ଏକ ପରିତ୍ୟକ୍ତ ଘରୁ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ଅପହରଣ କରିଥିବା ବିନୋଦ ଓ ଦେବୁନକୁ ମଧ୍ୟ ଗିରଫ କରାଯାଇଥିଲା।
ସେମାନଙ୍କୁ ଜେରା ବେଳେ ସବୁ କଥା ସ୍ବୀକାର କରିଥିଲେ। ଅଭିଯୁକ୍ତଙ୍କ କହିବା ଅନୁଯାୟୀ ସେମାନେ ରବିବାର ଅପରାହ୍ଣରେ ହାଡ଼ିଆପଠାରେ ବସି ମଦ ପିଉଥିଲେ। ଛୁଟି ଥିବାରୁ ସାଗର ଓ ରବୀନ୍ଦ୍ର ମଧ୍ୟ ସେଠାରେ ବୁଲାବୁଲି କରୁଥିଲେ। ଏହି ସମୟରେ ଅଜାଣତରେ ସାଗରର ହାତ ବାଜି ବିନୋଦର ବାଇକ୍ ପଡ଼ିଯାଇଥିଲା। ଏହାପରେ ବିନୋଦ ଓ ଦେବୁନ ତାକୁ ନିସ୍ତୁକ ମାଡ଼ ମାରିଥିଲେ। ଦୁହିଁଙ୍କୁ ସେଠାରୁ ଜବରଦସ୍ତ ଗାଡ଼ିରେ ବସାଇ ଯୋବ୍ରା ନେଇଆସିଥିଲେ। ସେଠାରେ ଏକ ଅର୍ଦ୍ଧନିର୍ମିତ ଘରେ ଦୁହିଁଙ୍କୁ ବନ୍ଧକ ରଖି ଲକ୍ଷେ ଟଙ୍କା ଆଣିବା ପାଇଁ ତାଙ୍କ ପରିବାରକୁ ଫୋନ୍ କରିଥିଲେ। ୨୪ ଘଣ୍ଟା ଧରି ଦୁହିଁଙ୍କୁ ମାରପିଟ୍ କରିଥିଲେ।