ଭୁବନେଶ୍ୱର: ଗତକାଲିର ପ୍ରବଳ ବର୍ଷା ସତ୍ତ୍ବେ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ରାତିରେ ରାଜରାସ୍ତାରେ ଶୋଇଥିଲେ। କିଏ ଜରି ପାଲ ତଳେ ତ ଆଉ କିଏ ଗଛ ମୂଳରେ ବର୍ଷା ପ୍ରକୋପରୁ ରକ୍ଷା ପାଇବାକୁ ପ୍ରୟାସ କରିଥିଲେ। ଆଉ କିଛି ଜଣ କୌଣସି ଉପାୟ ନପାଇ ବର୍ଷାରେ ଭିଜିଥିଲେ। ଏଭଳି ଦୃଶ୍ୟ ପରେ ମଧ୍ୟ ରାଜ୍ୟ ସରକାର ଚୁପ୍ ରହିବା ସମ୍ବେଦନହୀନତାର ସମସ୍ତ ସୀମା ଅତିକ୍ରମ କରି ଯାଇଛନ୍ତି ବୋଲି ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ସରକାର ହେୟଜ୍ଞାନ କରୁଛନ୍ତି। ଆଲୋଚନା ନ କରି ଗଣମାଧ୍ୟମକୁ ଆଲୋଚନା କରିଛନ୍ତି ବୋଲି ବିବୃତ୍ତି ଦେଇ ଜନସାଧାରଣଙ୍କ ଭିତରେ ଶିକ୍ଷକମାନଙ୍କ ପ୍ରତି ଖରାପ ମନୋଭାବ ସୃଷ୍ଟି କରିବାକୁ ଚାହୁଁଛନ୍ତି। ରାଜ୍ୟ ସରକାର ଏଥିରେ ଆଦୌ ସଫଳ ହେବେ ନାହିଁ। ବରଂ ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକୁ ସମାଧାନ ନକରି ଯେପରି ଭାବେ ଶିକ୍ଷକମାନଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରୁଛନ୍ତି ସେଥିପାଇଁ ଯେଉଁ ନକରାତ୍ମକ ମନୋଭାବ ସୃଷ୍ଟି ହେବାକୁ ଯାଉଛି ତାହା ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ମହଙ୍ଗା ପଡ଼ିବ। ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତି ରାଜ୍ୟରେ ଏକ ଲୋକପ୍ରିୟ ସରକାର ଚାଲିଛି ବୋଲି କୁହାଯାଉଛି। ଅଥଚ ଶିକ୍ଷକମାନଙ୍କୁ ରାଜରାସ୍ତାରେ ନିଜର ଅଧିକାର ହାସଲ କରିବା ପାଇଁ ଦିନରାତି ବସିବାକୁ ପଡ଼ୁଛି। ୨୫/୩୦ ବର୍ଷ ଧରି ଶିକ୍ଷକଙ୍କୁ କୌଣସି ଅନୁଦାନ ନଦେବା, ଅବସରକାଳୀନ ସୁବିଧା ସୁଯୋଗ ଲାଗୁ ନକରି ଶିକ୍ଷକଙ୍କୁ ଘରକୁ ବିଦା କରିବା କେଉଁ ଲୋକପ୍ରିୟତାର ନମୁନା? ବିଦ୍ୟାଳୟ ରୂପାନ୍ତରଣ ହେଉଛି, ‌ମାତ୍ର ଶିକ୍ଷକ ନିଯୁକ୍ତି ନଦେଇ ବିଦ୍ୟାଳୟ ଭାଙ୍ଗିବାକୁ ଚକ୍ରାନ୍ତ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେପଟେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନକୁ ବିଭିନ୍ନ ଗଣସଙ୍ଗଠନ, ରାଜନୈତିକ ଦଳର ନେତୃବୃନ୍ଦ ସମର୍ଥନ କରିବା ସହ ଯୋଗଦେଇଛନ୍ତି। କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବିଜେପିର ତେଜେଶ୍ବର ପରିଡ଼ା, ସିପିଏମ୍‌ର ସନ୍ତୋଷ ଦାସ, ସିପିଆଇର ଅଭୟ ସାହୁ, ଆମ୍ ଆଦମୀ ପାର୍ଟିର ନିଶିକାନ୍ତ ସାହୁ, ସମାଜବାଦୀ ପାର୍ଟିର ରବି ବେହେରା, ସମୃଦ୍ଧ ଓଡ଼ିଶାର ଜ୍ୟୋତିଷ ମହାନ୍ତି, ଅଭିଭାବକ ମହାସଂଘର ବାସୁଦେବ ଭଟ୍ଟ, ସାମାଜିକ କର୍ମୀ ପ୍ରଦୀପ୍ତ ନାୟକ, ଓଲ୍‌ଷ୍ଟା ସଭାପତି ବିକ୍ରମ ଦାଶ, ସାଧାରଣ ସମ୍ପାଦକ ସୁକାନ୍ତ ବେହେରା, ଛାତ୍ରନେତା ଷ୍ଟାଲିନ୍ ଲେଙ୍କା, ବିକ୍ରମ ମହାନ୍ତି, ସିଦ୍ଧାର୍ଥ ରଥ, ସଂଘମିତ୍ରା ଜେନା, ସର୍ବଭାରତୀୟ ଶିକ୍ଷକ ମହାସଂଘର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାନ୍ତି, ଉପସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ବିଶ୍ୱ ଶିକ୍ଷକ ସଂଗଠନର ନେତା ଅମୀୟ ମହାନ୍ତି ପ୍ରମୁଖ ସାମିଲ ହୋଇ ବକ୍ତବ୍ୟ ରଖିଛନ୍ତି।