ଖୋର୍ଦ୍ଧା: ଖିଲାପୀ ଖଣି ଲିଜ୍‌ଧାରୀଙ୍କ ବିରୋଧରେ ଅଣ୍ଟା ଭିଡ଼ିଛି ଖୋର୍ଦ୍ଧା ଜିଲ୍ଲା ଖଣି ଉପନିର୍ଦ୍ଦେଶାଳୟ। ଯେଉଁମାନେ ଖଣି ଲିଜ୍‌ ନେଇ ସରକାରଙ୍କ ଟଙ୍କା ଗଲା ତିନି ବର୍ଷ ହେଲା ଦେଇନାହାନ୍ତି, ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ବିଭାଗୀୟ ତଥ୍ୟ ମୁତାବକ, ଏ ଖିଲାପୀ ତାଲିକାରେ ଜିଲ୍ଲାର ମୋଟ୍ ନଅ ଜଣ ଖଣି ମାଲିକଙ୍କ ନାଁ ଥିବା ବେଳେ ଦୁଇ ଜଣଙ୍କ ନାଁରେ ଓପିଡିଆର୍‌ ସାର୍ଟିଫିକେଟ୍ ମାମଲା ରୁଜୁ ହୋଇସାରିଛି। ଅନ୍ୟ ଚାରି ଜଣଙ୍କ ବିରୋଧରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ବିରୋଧରେ କାଗଜପତ୍ର ପ୍ରସ୍ତୁତି ଚାଲିଛି।

Advertisment

ଖୋର୍ଦ୍ଧା ଜିଲ୍ଲାର ୧୦ଟି ତହସିଲ୍ ଅଧୀନରେ ମୋଟ୍ ୧୬୨ଟି ଖଣି ଉତ୍ସ ରହିଥିବା ବେଳେ ସେଥିରୁ ମାତ୍ର ୩୭ଟି ଖଣି ଥିଲା ଅପରେସନାଲ୍। ଯାହାର କାଗଜପତ୍ର ସବୁ ଠିକ୍‌ ଥିଲା ଏବଂ ଚାଲିବାକୁ ଯୋଗ୍ୟ ବୋଲି ବିଭାଗ ଜାଣିବାକୁ ପାଇଥିଲା। କିନ୍ତୁ, ମୋଟ୍ ୩୭ଟି ଅପରେସନାଲ୍‌ ଖଣି ମଧ୍ୟରୁ ଅନେକ ଗୁଡ଼ିଏ ଖଣିକୁ ନିଲାମ ଦିଆଯାଇ ନଥିଲା। ଅବଶିଷ୍ଟ ଯେଉଁ ଖଣି ନିଲାମ ଦିଆଯାଇଥିଲା, ସେଥିରୁ ନଅ ଗୋଟି ଖଣି ସରକାରଙ୍କ ନିଲାମ ଟଙ୍କା ଖିଲାପ କରି ଚାଲିଛନ୍ତି। ଏହି ନଅଟି ଖଣି ମଧ୍ୟରେ ମାଙ୍କଡ଼ା, ମୋରମ, କଳା ପଥର ସହିତ ବାଲି ଉତ୍ସ ରହିଛି। ଖଣି ବିଭାଗର ସୂଚନା ମୁତାବକ, ଖୋର୍ଦ୍ଧା ତହସିଲ୍‌ ଅଧୀନସ୍ଥ ଲହଙ୍ଗା ସ୍ଥିତ ପ୍ରାୟ ଚାରି ହେକ୍ଟର ବିଶିଷ୍ଟ ମାଙ୍କଡ଼ା ଖଣିକୁ ଗଲା ତିନି ବର୍ଷ ତଳେ ନିଲାମ ଦିଆଯାଇଥିଲା। ନିଲାମ ବାବଦକୁ ପ୍ରତ୍ୟେକ ବର୍ଷକୁ ବର୍ଷ ଟଙ୍କା ସରକାରୀ ରାଜକୋଷକୁ ପୈଠ କରିବା କଥା। ଗୋଟିଏ ବର୍ଷ ଖିଲାପି କଲେ, ବିଭାଗ ସେଥିରେ ୨୪% ସୁଧ ଯୋଡୁଛି। ଏହି କ୍ରମରେ ତିନିବର୍ଷ ମଧ୍ୟରେ ଏ ଖଣି ଲିଜ୍‌ଧାରୀଙ୍କ ନାଁରେ ମୋଟ୍ ୧ କୋଟି ୨୩ଲକ୍ଷ ଟଙ୍କାର ବକେୟା ପଡ଼ିଛି। ବିଭାଗ କହିକହି ଥକିବା ପରେ ତାଙ୍କ ନାଁରେ ଓପିଡିଆର୍‌ ମାମଲା ରୁଜୁ ହୋଇଛି। ନରସିଂହପ୍ରସାଦ ସ୍ଥିତ ଚାରି ହେକ୍ଟର ଖଣିର ଅବସ୍ଥା ସେୟା। ସେ ଖଣି ମାଲିକଙ୍କ ଉପରେ ମୋଟ୍‌ ୯୯ଲକ୍ଷ ଟଙ୍କା ବାକି ରହିଲାଣି। କିନ୍ତୁ, ଖଣି ମାଲିକ କିଛି ନ ଶୁଣିବାରୁ ବାଧ୍ୟ ହୋଇ ତାଙ୍କର ସମ୍ପତ୍ତି ନିଲାମ କରି ଟଙ୍କା ଆଦାୟ କରିବାକୁ ମାମଲା ରୁଜୁ ହୋଇ ସାରିଛି।

ଉପରୋକ୍ତ ଦୁଇ ଖଣି ଲିଜ୍‌ଧାରୀଙ୍କ ବାଦ୍‌ ଆହୁରି ସାତ ଜଣ ଅଛନ୍ତି। ସେମାନେ ହେଲେ, ବାଲିପାଟଣା ବ୍ଲକ୍‌ ମାର୍ଥାପୁର ବାଲି ଉତ୍ସର ଲିଜ୍‌ଧାରୀ। ତାଙ୍କ ନାଁରେ ତିନି ବର୍ଷ ହେଲା ଟଙ୍କା ଗଡ଼ିଲାଣି। ପେନାଲ୍‌ଟି ସହିତ ହିସାବ କଲେ, ତାଙ୍କଠାରୁ ସରକାର ପ୍ରାୟ ତିନି କୋଟି ଟଙ୍କା ପାଇବାକୁ ବାକି ଅଛି। ଚତୁର୍ଥରେ ଟାଙ୍ଗୀ ବ୍ଳକ୍‌ ରସୁଲ୍‌ପୁର ସ୍ଥିତ ମୋରମ ଖଣି ଉପରେ ପ୍ରାୟ ୨୪ଲକ୍ଷ ଟଙ୍କା ବାକି ପଡ଼ିଲାଣି। ଟାଙ୍ଗୀ ବ୍ଲକ୍‌ ନୟାକୋଟ୍‌ ସ୍ଥିତ କଳାପଥର ଖଣି ଲିଜ୍‌ଧାରୀଙ୍କ ଉପରେ ପ୍ରାୟ ୫୯ଲକ୍ଷ, ବଳରାମପୁର ପଥର ଖଣିର ଲିଜ୍‌ଧାରୀଙ୍କ ଉପରେ ପ୍ରାୟ ୭୦ଲକ୍ଷ ଟଙ୍କା ବାକି ଅଛି। ମାର୍ଥାପୁର, ରସୁଲପୁର, ନୟାକୋଟ୍‌ ଏବଂ ବଳରାମପୁର ଲିଜ୍‌ଧାରୀଙ୍କ ବିରୋଧରେ ଓପିଡିଆର୍‌ ମାମଲା ରୁଜୁ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଚିଠି ଲେଖାଯାଉଛି। ତାଙ୍କ ନାଁରେ ଥିବା ବକେୟା ଟଙ୍କା ତାଙ୍କ ସମ୍ପତ୍ତିରୁ ଆଦାୟ କରିବାକୁ ଯୋଜନା କରାଯାଉଛି ବୋଲି ଜିଲ୍ଲା ମାଇନିଂ ଅଫିସର ଜଗନ ବେହେରା ପ୍ରକାଶ କରିଛନ୍ତି। ଏହା ବାଦ୍‌ ଟାଙ୍ଗୀ ବ୍ଳକ୍‌ ଗୋପାଳପ୍ରସାଦର ମୋରମ ଖଣି ଓ ବେଗୁନିଆ ବ୍ଲକ୍‌ ପରିଛଳ ସ୍ଥିତ ପଥର ଖଣି ସମେତ ମୋଟ୍ ତିନି ଗୋଟି ଖଣି ଲିଜ୍‌ଧାରୀଙ୍କ ଉପରେ ବି ଟଙ୍କା ବାକି ଅଛି। ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।