ଭୁ‌ବନେଶ୍ବର: ଓଡ଼ିଶା ଏଜୁକେଶନ କନକ୍ଲେଭ ‘ଉତ୍କର୍ଷ’ ୨୦୨୩ରେ ଯୋଗ ଦେଇଛନ୍ତି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା କସ୍ତୁରୀ ପଣ୍ଡା। ଏହି ସମାରୋହରେ ସେ ନିଜ ସଫଳତାର କାହାଣୀ କହିଛନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା କସ୍ତୁରୀ ପଣ୍ଡା କହିଛନ୍ତି, ଛୋଟବେଳୁ ଆଇଏଏସ ହେବାକୁ ସ୍ୱପ୍ନ ଥିଲା। ଯେତେବେଳେ ଆଇଏଏସଙ୍କ କାର୍ଯ୍ୟଶୈଳୀ ବାବଦରେ ଜାଣିଲି, ସେତେବେଳେ ଏହି ଇଚ୍ଛା ଦ୍ୱିଗୁଣିତ ହୋଇଥିଲା। ୪ ବର୍ଷର ପ୍ରସ୍ତୁତି ପରେ ସଫଳତା ମିଳିଛି।

Advertisment

ଏନଆଇଟିରେ ପାଠ ପଢ଼ିବା ପରେ ଆଇଏଏସ ହେବାକୁ ଥିବା ଇଚ୍ଛା ଆହୁରି ବଢିଥିଲା। ସେଠାରେ ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ପ୍ରତିଯୋଗିତାମୂଳକ ଭାବନା ଥାଏ। ସମସ୍ତେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଚାହିଁଥାନ୍ତି। ମୋ ବାପା ପ୍ରଶାସକ। ଲୋକଙ୍କ ମଧ୍ୟରେ ବଢ଼ିବାର ମୁଁ ସୁଯୋଗ ପାଇଛି। ଲୋକଙ୍କୁ ସାହାଯ୍ୟ କଲେ ଯେଉଁ ଆଶୀର୍ବାଦ ମିଳେ ତାହା ମୋତେ ବହୁତ ଖୁସି ଦିଏ। ତେଣୁ ମୁଁ ମଧ୍ୟ ସେହି ଖୁସି ସାଉଁଟିବାକୁ ଚେଷ୍ଟା କରିଛି। ଆଶୀର୍ବାଦ ପାଇଁ ଆଇଏଏସ ହୋଇଛି। ୟୁପିଏସସି କହୁଛି ପ୍ରତିି ଗ୍ରାଜୁଏଟ ଛାତ୍ରଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୋଗ୍ୟ। ଯଦି ଆପଣଙ୍କ ପାଖରେ ପ୍ରତିଭା ଓ ଇଚ୍ଛାଶକ୍ତି ଅଛି ତେବେ ଆଇଏଏସ ପାଇବା କଷ୍ଟ ନୁହେଁ। ଓଡ଼ିଆ ମିଡ଼ିୟମରେ ପଢିଥିବା ପିଲାଙ୍କ ପାଇଁ କଷ୍ଟ ହୋଇପାରେ କିନ୍ତୁ ପିଲାଙ୍କ ଭିତରେ ପ୍ରତିଭା ଅଛି। ଆମ ଶିକ୍ଷା ବ୍ୟବସ୍ଥାରେ ହିଁ ପରିବର୍ତ୍ତନ ଆବଶ୍ୟକ।

ଗ୍ରାଉଣ୍ଡରେ କାମ କରିବାକୁ ୨ଟି ଜିନିଷ ଆବଶ୍ୟକ। ଗୋଟିଏ ହେଲା ଭାଷା ଏବଂ ଅନ୍ୟଟି ହେଲା ଲୋକଙ୍କ ସହ ସମ୍ପର୍କ। ଲୋକଙ୍କ ପାଇଁ କାମ କରିବାକୁ ଏହି ୨ଟି ଜିନିଷ ଯଥେଷ୍ଟ। ଏଥିପାଇଁ ଏସି ରୁମର ଆବଶ୍ୟକତା ନଥାଏ। ଆମେ ସାର୍ କିମ୍ବା ମ୍ୟାଡାମ ମଣିଷକୁ କହୁନା ବରଂ ପୋଷ୍ଟକୁ କହୁ। ଆମ ସମ୍ବିଧାନରେ ହିଁ ଏମିତି ବ୍ୟବସ୍ଥା ରହିଛି। ଯେଉଁଠି ସମ୍ବିଧାନ ଜଣଙ୍କୁ କ୍ଷମତା ଦେଇଛି ସେଠାରେ ସମ୍ବିଧାନକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ପ୍ରଶାସକ ହୁଅନ୍ତୁ କି ରାଜନେତା, ସମସ୍ତଙ୍କର ପ୍ରୟାସ ଥାଏ କିଭଳି ନିଜ ପଦବି ଓ ବିଭାଗ ପାଇଁ ଭଲ କାମ କରିପାରିବି। ଯଦି କେହି କାମ କରି ଆଗକୁ ବଢିଛନ୍ତି ତାହା ସେମାନଙ୍କର କଠିନ ପରିଶ୍ରମର ଫଳ।

ସବୁ ଜିନିଷ କରି ସାରିବା ପରେ ହିଁ ପାଠ ପଢ଼ିବ। କାରଣ ସେତେବେଳେ ହିଁ କୌଣସି ବିଷୟକୁ ସହଜରେ ଆମେ ବୁଝିପାରିଥାଉ। ସବୁ କିଛି କରିବାକୁ ଭଲ ଲାଗେ, ଆଇଏଏସ ଚାକିରି ମଧ୍ୟ କିଛି ସେଭଳି ବିବିଧତାରେ ପରିପୂର୍ଣ୍ଣ। ଯଦି ସଫଳତାର ଭୋକ ଛାତ୍ରଛାତ୍ରୀଙ୍କ ମନରେ ଆସିଛି ତାହା ଯେତେ କଷ୍ଟ ଆସିଲେ ମଧ୍ୟ ପୂରା ହେବ। ଅନ୍ୟ କେହି କହିଛି ବୋଲି ନୁହେଁ ବରଂ ନିଜର ଇଚ୍ଛାଶକ୍ତି ଥିବା ଆବଶ୍ୟକ। ଏଭଳି ମନୋବୃତ୍ତି ହିଁ ମୋତେ ସଫଳତା ଆଣି ଦେଇଥିଲା।