ଭଦ୍ରକ: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ପ୍ରୟାସକାନ୍ତି(ଲୁଲୁ) ଆଜି ବିଜେଡି ଛାଡ଼ିଛନ୍ତି। ବିଜେଡି ରାଜ୍ୟ ସଂପାଦକ ଥିବା ପ୍ରୟାସକାନ୍ତି ଆଜି ତାଙ୍କର ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାପରେ ଗଣମାଧ୍ୟମକୁ ପ୍ରୟାସକାନ୍ତି କହିଛନ୍ତି, କୌଣସି ରାଜନୈତିକ ଚାପ କିମ୍ବା ବାଧ୍ୟବାଧକତା ନୁହେଁ, ବ୍ୟକ୍ତିଗତ କାରଣ ପାଇଁ ଦଳରୁ ଇସ୍ତଫା ଦେଇଛି। କିନ୍ତୁ ପୂର୍ବଭଳି ଜନସେବା ଜାରି ରହିବ। ଲୋକଙ୍କ ସହ ରହି ସେମାନଙ୍କ ସୁଖଦୁଃଖରେ ସାଥୀ ହେବି। ବିଜେଡି ତାଙ୍କୁ ପରିଚୟ ଓ ସମ୍ମାନ ଦେଇଛି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ପରିଚାଳନା କମିଟି ସଭାପତି ଭାବେ ସେ କାର୍ଯ୍ୟରତ ଅଛନ୍ତି। ଦଳ ଛାଡ଼ିବା ପରେ ତାଙ୍କୁ ଅଧିକ ସମୟ ମିଳିବ।
ରାଜ୍ୟ ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଲେ
ଏବେ କୌଣସି ଦଳରେ ମିଶିବେନି
ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ଉପରେ ନଜର
ଫଳରେ ସଂପୃକ୍ତ କଲେଜକୁ ସୂଚାରୁ ରୂପେ ପରିଚାଳନା ଓ ଉନ୍ନତ ଶିକ୍ଷାଦାନ ନେଇ ଅଧିକ ଧ୍ୟାନକେନ୍ଦ୍ରିତ କରିପାରିବେ। ବରପଦା ଇଞ୍ଜିନିୟରିଂ କଲେଜ ପରିସରରେ ପର୍ଯ୍ୟାପ୍ତ ଜାଗା ରହିଛି। ସେଠାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଗଲେ, ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବେ ବୋଲି ସେ କହିଛନ୍ତି। ବିଜେପିରେ ମିଶିବେ କି ବୋଲି ପଚାରିବାରୁ ସେ ଏହାକୁ ଖଣ୍ଡନ କରିଥିଲେ। ଏବେ କୌଣସି ଦଳରେ ସାମିଲ ହେବାର ନାହିଁ। କେବଳ ସାମାଜିକ କାମରେ ନିଜକୁ ନିୟୋଜିତ କରିବି ବୋଲି ସେ ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ, ପ୍ରୟାସକାନ୍ତିଙ୍କ ଇସ୍ତଫା ପରେ ଭଦ୍ରକ ରାଜନୀତି ସରଗରମ ହୋଇଛି। ବାପା ପ୍ରଫୁଲ୍ଲ ସାମଲ ବିଜେଡିର ଜଣେ ବରିଷ୍ଠ ତଥା ଆଗଧାଡ଼ିର ନେତା ହୋଇଥିବା ବେଳେ ପ୍ରୟାସକାନ୍ତିଙ୍କ ଇସ୍ତଫାକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୩ ପୌର ନିର୍ବାଚନରେ ବିଜେଡିରୁ ବିଜୟୀ ହୋଇ ପ୍ରୟାସକାନ୍ତି ଭଦ୍ରକ ପୌରାଧ୍ୟକ୍ଷ ହୋଇଥିଲେ।