ବାଲିଆପାଳ: ଆବଶ୍ୟକତାର ସଙ୍କୋଚନ କରିବାରେ ମଣିଷ ବିଫଳ ହେଉଛି। ଅନ୍ୟ ପକ୍ଷରେ ଅଧିକ ଆୟ ପାଇଁ ସତ୍ ଉପାୟରେ ଅଧିକ ଉପାର୍ଜନର ବାଟ ବାହାର କରିବାରେ ବିଫଳ ହେବା ଫଳରେ ମଣିଷକୁ ଲୋଭୀ ପାଲଟୁଛି। ମାତ୍ରାଧିକ ଲୋଭରୁ ସବୁ ହରାଇବାର ଭୟଭାବ ଗ୍ରାସ କରୁଛି। ଲୋକେ ଭୟାଳୁ ହୋଇ ଅସ୍ତିତ୍ୱ ହରାଉଛନ୍ତି। ତେବେ ସତ୍ୟକୁ ସଙ୍ଗାତ କଲେ ଭୟ ରହିବ ନାହିଁ। ନିଜ ପରି ସତ ସହିତ ରହୁଥିବା ବହୁତ ଲୋକ ଅଛନ୍ତି ବୋଲି ନିଶ୍ଚିତ ହେଲେ ଭୟଭାବକୁ ଦୂରେଇ ହେବ ବୋଲି ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଆବିର୍ଭାବ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଲଙ୍ଗଳେଶ୍ୱର କାଳୀଝାଟି ପଡ଼ିଆରେ ଲଙ୍ଗଳେଶ୍ୱର ସତ୍ସଙ୍ଗ ବିହାର ପକ୍ଷରୁ ସତ୍ସଙ୍ଗ କମିଟିର ସଭାପତି ଋତ୍ବିକ ଡ.ଅଜିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କାର୍ଯ୍ୟକାରୀ ସଭାପତି ଋତ୍ବିକ କେଦାରନାଥ ମହାନ୍ତି ଯୋଗ ଦେଇ ଈଶ୍ୱରଙ୍କୁ ସମର୍ପିତ ମଣିଷର ମୁଣ୍ଡ କେବେ ପ୍ରଲୋଭନ ଓ ଭୟରେ ନଇଁଯାଏ ନାହିଁ ବୋଲି କହିଥିଲେ।
ସତ୍ସଙ୍ଗ ବିହାରର ସମ୍ପାଦକ ସମାଜସେବୀ ସଞ୍ଜୟ କୁମାର ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ, ଋତ୍ବିକ ଡ.ବିନାୟକ ମହାପାତ୍ର, କେନ୍ଦ୍ରୀୟ ସତ୍ସଙ୍ଗର ସହସମ୍ପାଦକ ଶ୍ରୀଧର ସୁନ୍ଦର ମିଶ୍ର, ଋତ୍ବିକ ରତ୍ନାକର ପଣ୍ଡା, ଚିତ୍ତରଞ୍ଜନ ତ୍ରିପାଠୀ, ଚକ୍ରଧର ଜେନା, ହୃଦୟ ରଞ୍ଜନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅପରାହ୍ନରେ ଅନୁଷ୍ଠିତ ମାତୃ ସମ୍ମିଳନୀରେ ‘ସମ୍ବାଦ-ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ମୁଖ୍ୟଅତିଥି ଭାବେ ଯୋଗ ଦେଇ ମା’ମାନେ ଠାକୁରଙ୍କ ଭାବନାରେ ସନ୍ତାନମାନଙ୍କୁ ଗଢ଼ି ତୋଳିଲେ ପ୍ରତିଟି ଘର ମନ୍ଦିର ହୋଇଯିବ ବୋଲି କହିଥିଲେ। ବିଶିଷ୍ଟ ସମାଜସେବୀ ତଥା ମହିଳା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା, ମୁଖ୍ୟବକ୍ତା ସୁପ୍ରୀତି ମିଶ୍ର ଶ୍ରଦ୍ଧାଳୁମାନଙ୍କୁ ସମ୍ବାଧିତ କରିଥିବା ବେଳେ ସରସ୍ୱତୀ ଦାସ ମାତୃ ସମ୍ମିଳନୀକୁ ପରିଚାଳନା କରିଥିଲେ।
ଏହି ଅବସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀଙ୍କ ଉପସ୍ଥିତି ସମସ୍ତଙ୍କ ପ୍ରାଣରେ ଉତ୍ସାହ ଭରିଦେଇଥିଲା। ବାଲିଆପାଳ ସମେତ ଆଖପାଖ ବ୍ଲକ୍ର ପ୍ରାୟ ୨୨ ହଜାର ଶ୍ରଦ୍ଧାଳୁ ଦିବସବ୍ୟାପୀ ଚାଲିଥିବା ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/gdjgjgjdgjdgdjg.jpg)