ବ୍ରହ୍ମପୁରରେ ପାଠକ ଲିଙ୍କ୍ : ୫ ବ୍ୟାଙ୍କ୍‌, ୨ ବୀମା ଅଫିସ୍‌ରେ ଏସ୍ଆଇଟି ଖୋଳତାଡ଼

ଆଜି ହୋଇପାରେ ବଡ଼ମୁଣ୍ଡଙ୍କୁ ପଚରାଉଚରା

ବ୍ରହ୍ମପୁର : ବିପୁଳ ସମ୍ପତ୍ତିର ମାଲିକ ତଥା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ଗଞ୍ଜାମ ଲିଙ୍କ୍‌ର ଖୋଳତାଡ଼ ଦ୍ବିତୀୟ ଦିନ ଜାରି ରଖିଛି ଭିଜିଲାନ୍ସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି)। ଏସ୍‌ଆଇଟିର ୫ଜଣିଆ ଟିମ୍‌ ଦୁଇ ଭାଗରେ ବିଭକ୍ତ ହୋଇ ବ୍ରହ୍ମପୁର ସହରର ବିଭିନ୍ନ ବ୍ୟାଙ୍କ୍‌ ଓ ବୀମା ସଂସ୍ଥାକୁ ଯାଇ ପାଠକଙ୍କ ଆକାଉଣ୍ଟ୍‌ ସମ୍ପର୍କରେ ସବିଶେଷ ତଥ୍ୟ ମାଗିବା ସହ ହିସାବ ଖୋଳତାଡ଼ କରିଛନ୍ତି। ପାଞ୍ଚଟି ବ୍ୟାଙ୍କ୍‌ ଓ ୨ଟି ବୀମା କାର୍ଯ୍ୟାଳୟକୁ ପାଠକଙ୍କ ଆକାଉଣ୍ଟ୍‌ ଡିଟେଲ୍‌ ଦେବାକୁ ଏସ୍‌ଆଇଟି ରିକ୍ୟୁଜିସନ୍‌ ଦେଇଛି। ଆସନ୍ତାକାଲି ଏହା ଭିତରକୁ ପଶିବ। ଏହାଛଡ଼ା ବ୍ରହ୍ମପୁରରେ ରହି ଅନ୍ୟାନ୍ୟ ଆୟ ସୂତ୍ରଗୁଡ଼ିକ ସଂପର୍କରେ ଏସ୍‌ଆଇଟି ଖୋଳତାଡ଼ ଜାରି‌ ରଖିବ ବୋଲି ଜଣାପଡ଼ିଛି।

ଭିଜିଲାନ୍ସର ସିନିୟର୍‌ ଡିଏସ୍‌ପି ରଂଜନ କୁମାର ଦାସ ଓ ଡିଏସ୍‌ପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଏସ୍‌ଆଇଟିର ଏକ ଟିମ୍‌ ଆଜି ପୂର୍ବାହ୍ନ ୧୦ଟା ବେଳେ ବ୍ରହ୍ମପୁର ତହସିଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଏବଂ ବଜାଜ୍‌ ଆଲିଏଞ୍ଜ୍‌ ଇନସ୍ୟୁରାନ୍ସ କାର୍ଯ୍ୟାଳୟକୁ ଯାଇ ପାଠ‌କଙ୍କ ବୀମା ପଲିସି ସଂକ୍ରାନ୍ତରେ ତଥ୍ୟ ମାଗିଥିଲେ। ପାଠକ‌ଙ୍କ କେତୋଟି ପଲିସି ରହିଛି, କେତେ ମ୍ୟାଚ୍ୟୁରିଟି ମୂଲ୍ୟର ପଲିସି ଆଦି ଉପରେ ଛାନ୍‌ଭିନ୍‌ କରିଥିଲେ। ଏହା ପରେ ସିଣ୍ଡିକେଟ୍‌ ଓ ଏଚ୍‌‌ଡିଏଫ୍‌ସି ବ୍ୟାଙ୍କ୍‌ ଯାଇଥିଲେ। ଏଥି ସହ ଗତକାଲି ଯାଇଥିବା ଏସ୍‌ବିଆଇ ବ୍ରହ୍ମପୁର ବଡ଼ ମେଡିକାଲ ଶାଖା, ଆ‌କ୍ସିସ୍‌, ଦେନା ବ୍ୟାଙ୍କ୍‌କୁ ଏସ୍‌ଆଇଟି ଆଜି ପୁଣି ଯାଇ ପାଠକଙ୍କ ଆକାଉଣ୍ଟ୍‌ ଡିଟେଲ୍‌‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ର ଅତିରିକ୍ତ ଏସ୍‌‌ପି ଶାନ୍ତନୁ ପାଢ଼ୀଙ୍କ ନେତୃତ୍ବରେ ଟିମ୍‌ ଖୋଳତାଡ଼ ଆରମ୍ଭ କରିଥିଲା।

ସୂଚନାଯୋଗ୍ୟ, ଆଇଏଫ୍‌‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ୨୦୦୪ ଜୁନ୍‌ ୨୮ତାରିଖ ଠାରୁ ୨୦୦୬ ଜୁନ୍‌ ୨୧ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଡିଏଫ୍‌ଓ ଭାବେ ଅବସ୍ଥାପିତ ଥିଲେ। ବ୍ରହ୍ମପୁର ଠାରେ ଓଏଫ୍‌ଡିସିର ଡିଭିଜନ୍‌ କାର୍ଯ୍ୟାଳୟ ରହିଛି। ଏହି ଡିଭିଜନ୍ ଅଧୀନରେ ବୌଦ୍ଧ, ଭଞ୍ଜନଗର, ମୁନିଗୁଡ଼ା ଓ ବ୍ରହ୍ମପୁର କାର୍ଯ୍ୟାଳୟ ରହିଛି। ବ୍ରହ୍ମପୁର ଡିଭିଜନ୍‌ରେ ଓଏଫ୍‌ଡିସିର ଜେନେରାଲ୍‌ ମ୍ୟାନେଜର୍‌ ଭାବେ ଆଇଏଫ୍‌ଏସ୍‌ ପାଠକ ଦୁଇ ଥର ନିଯୁକ୍ତି ପାଇଥିଲେ। ୨୦୦୮ ଜୁନ୍‌ ୧୦ ତାରିଖରୁ ୨୦୧୩ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ବ ନେଇଥିଲେ। ଏହାପରେ ୨୦୧୩ ସେପ୍ଟେମ୍ବର ୩୦ ତାରିଖରୁ ୨୦୧୪ ଜାନୁଆରି ୩୧ ପର୍ଯ୍ୟନ୍ତ ପୁଣି ସେହି ପଦବିରେ କାର୍ଯ୍ୟ କରିଥିଲେ। ପାଠକ ବ୍ରହ୍ମପୁରର ଦୁଇଟି କାର୍ଯ୍ୟାଳୟରେ ସମୁଦାୟ ପ୍ରାୟ ୮ବର୍ଷ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର