ତିଆରି ହେଲା ଏସ୍ଆଇଟି, ରିମାଣ୍ଡରେ ଆଣିପାରେ ଭିଜିଲାନ୍ସ
ଭୁବନେଶ୍ୱର : ରାଜ୍ୟ ଭିଜିଲାନ୍ସ ଇତିହାସର ସବୁଠୁ ବଡ଼ ଚଢ଼ଉ ୫୦ ଘଣ୍ଟା ପରେ ଶେଷ ହୋଇଛି। କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିବା ପରେ ଅତିରିକ୍ତ ପିସିସିଏଫ୍ ତଥା ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରିଛି ଭିଜିଲାନ୍ସ। ଜାମିନ ନାମଞ୍ଜୁର ହେବାରୁ ବାପ ପୁଅଙ୍କୁ ୧୪ ଦିନ ପାଇଁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସେମାନେ ବିଚାର ବିଭାଗୀୟ ହାଜତରେ ରହିବେ ବୋଲି ଜଣାପଡ଼ିଛି। ଏହା ପରେ ଅଭୟକାନ୍ତଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷରେ ଅଭୟଙ୍କ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ସାମନାକୁ ଆସିବା ପରେ ଏହି ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିପାରେ ବୋଲି ସୂଚନା ମିଳିଛି।
/sambad/media/post_attachments/wp-content/uploads/2020/11/abhya-m26-300x215.jpg)
ଭୁବନେଶ୍ବରରେ ଫ୍ଲାଟ୍, ପୁଅ ଆକାଶ ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୪୦ ଲକ୍ଷ ଟଙ୍କା ଜମା, ମୁମ୍ବାଇରେ ଆପାର୍ଟମେଣ୍ଟରେ ଭଡ଼ା ଫ୍ଲାଟ୍, ୩ ଦାମୀ କାର, ୮୦୦ ଗ୍ରାମର ସୁନା ଅଳଙ୍କାର, ତାଜ ପ୍ୟାଲସରେ ୯୦ ଲକ୍ଷ ଟଙ୍କାର ବିଲ୍, ବିବାହ ପାଇଁ ରାଜସ୍ଥାନ ଉଦୟପୁରରେ ବୁକିଂ ହୋଇଥିବା ପ୍ୟାଲେସ ସବୁ ମିଳିବା ପରେ ମୋଟ ସମ୍ପତ୍ତିର ହିସାବ କରା ଯାଇଥିଲା। ବିପୁଳ ପରିମାଣର କଳା ଟଙ୍କା ମିଳିଥିବା ବେଳେ ଏ ସମ୍ପର୍କରେ କିଛି ସନ୍ତୋଷଜନକ ଉତ୍ତର ପାଇ ପାରି ନ ଥିଲା ତଦନ୍ତକାରୀ ଟିମ୍। ଅଭୟକାନ୍ତଙ୍କ ଆୟ ବ୍ୟୟ ହିସାବ ପରେ ଏବେ ସୁଦ୍ଧା ୯ କୋଟି ୩୫ ଲକ୍ଷ ୪୨ ହଜାର ୫୯୪ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ବାହାରିଛି। ଯାହା ତାଙ୍କ ଆୟର ୪୩୫ ପ୍ରତିଶତ ବୋଲି ଜଣାପଡ଼ିଛି। କିନ୍ତୁ ଆହୁରି ଅଧିକ ସମ୍ପତ୍ତି ରହିଥିବା ଭିଜିଲାନ୍ସ ସନ୍ଦେହ କରିଛି। ଦେଶ ବାହାରେ ମଧ୍ୟ ସମ୍ପତ୍ତି ରହିଥିବା ସନ୍ଦେହ କରିଛି ଭିଜିଲାନ୍ସ। ପାଠକ ଓ ତାଙ୍କ ପରିବାର ବୁଲିଥିବା ଚାର୍ଟର ବିମାନ ରାଜଧାନୀ ଭୁବନେଶ୍ବରର ଏକ ଟ୍ରାଭେଲ ଏଜେନ୍ସିରୁ ବୁକିଂ ହୋଇଥିବା ଜଣାପଡ଼ିଛି। ଉକ୍ତ ଟ୍ରାଭେଲ୍ସ ଏଜେନ୍ସିକୁ ତଦନ୍ତ ପରିସରକୁ ନିଆଯାଇଛି। ବିଭିନ୍ନ ରାଜ୍ୟରେ ସମ୍ପତ୍ତି ଥିବା ବେଳେ ଆହୁରି କଳାଧନ ବାହାରିବାର ସମ୍ଭାବନା ଥିବାରୁ ଅଧିକ ତଦନ୍ତ ଲାଗି ଏସଆଇଟି(ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ଗଠନ କରା ଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅତିରିକ୍ତ ଏସପି ହରିନାରାୟଣଙ୍କ ପତିଙ୍କ ନେତୃତ୍ବରେ ୨୦ ଜଣିଆ ଏସଆଇଟି ଟିମ୍ ମାମଲାର ତଦନ୍ତ କରିବ। ଭିଜିଲାନ୍ସ ସେଲ୍ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରାଯିବା ସହ ଡିଆଇଜି ଏହାକୁ ତଦାରଖ କରିବେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2020/11/abhaya-son-akash-m25-277x300.jpg)
ଗତକାଲି ଅଭୟକାନ୍ତଙ୍କୁ ଗିରଫ ପରେ ରାତିରେ ମୁମ୍ବାଇରୁ ଆକାଶଙ୍କୁ ଭୁବନେଶ୍ବର ଆଣିଥିଲା ଭିଜିଲାନ୍ସ। ଉଭୟ ବାପ ପୁଅଙ୍କୁ କଳାଟଙ୍କା ସମ୍ପର୍କରେ ମାରାଥନ୍ ଜେରା କରିଥିଲେ ଭିଜିଲାନ୍ସ ଅଧିକାରୀ। ଭିଜିଲାନ୍ସ ଡିଆଇଜି ସଞ୍ଜୟ କୌଶଲ ଓ ଏସପି ଉଭୟଙ୍କୁ ଜେରା କରିଥିଲେ। ଅଭୟକାନ୍ତଙ୍କର ଆୟର ସୂତ୍ର କଣ ଥିଲା? ଭୁବନେଶ୍ବର, ପୁନେ, ମୁମ୍ବାଇ, ପାଟଣା ବ୍ୟତୀତ ଆଉ କେଉଁଠି କଳାଧନ ବିନିଯୋଗ ହୋଇଛି? ବିଦେଶରେ କେତେ ଟଙ୍କା ବିନିଯୋଗ ହେଉଛି? ବିଦେଶରେ ସମ୍ପତ୍ତି ରହିଛି କି? ଆକାଶ ନାଁରେ କେତେ ସମ୍ପତ୍ତି ରହିଛି? କଳାଧନକୁ କେମିତି ଆକାଶ ପାଖକୁ ଯାଉଥିଲା? ସେ ସମ୍ପର୍କରେ ଡିଆଇଜି ଓ ଏସପି ଜେରା କରିଛଥିଲେ। କିନ୍ତୁ ସେମାନେ ସବୁ ପ୍ରଶ୍ନକୁ ଫାଙ୍କି ଦେଇଥିଲେ। ଅଧିକ ପଚରାଉଚରା ଲାଗି ଉଭୟଙ୍କୁ ରିମାଣ୍ଡରେ ଅଣାଯାଇ ପାରେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଦୁଇ ଦିନର ଚଢଉ ପରେ ଗତକାଲି ଅଭୟକାନ୍ତଙ୍କ ସରକାରୀ ବାସଭବନରୁ ନଗଦ ୧୦ ଲକ୍ଷ ଟଙ୍କା, ୮୦୦ ଗ୍ରାମର ସୁନା ଅଳଙ୍କାର, ୩ଟି ଦାମୀ କାର, ୩ଟି ଦାମୀ ବାଇକ୍, ଘାଟିକିଆ ବିପୁଲ ଗାର୍ଡେନରେ ଦାନ୍ତ ଡାକ୍ତର ଥିବା ତାଙ୍କ ପୁତୁରା ହର୍ଷ ପାଠକଙ୍କର ଆଲିସାନ୍ ଫ୍ଲାଟ୍, ସେଠାରୁ ମିଳିଥିବା ନଗଦ ୫୦ ଲକ୍ଷ ଟଙ୍କା, ବିବେକାନନ୍ଦ ମାର୍ଗରେ ଥିବା ଫ୍ଲାଟ୍, ପୁନେରେ ଲକ୍ଷାଧିକ ଟଙ୍କା ଭଡ଼ାରେ ଥିବା ଫ୍ଲାଟ୍, ଫାର୍ମ ହାଉସ୍, ଜୁହୁରେ ଥିବା ରେଷ୍ଟୁରାଣ୍ଟ, ଆକାଶ ସହଯୋଗୀର ଫ୍ଲାଟ୍, ପ୍ରାୟ ୩ କୋଟି ଟଙ୍କାର ଚାର୍ଟର ବିମାନ ବିଲ୍, ୨୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ବିଲ୍ ଜବତ କରିଥିଲା ଭିଜିଲାନ୍ସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/abhya-ddd.jpg)