ଭିଜିଲାନ୍ସ ପଞ୍ଝାରେ ଆଇଏଫ୍‌ଏସ୍‌ ଅଭୟକାନ୍ତ : ଲୁଟିଛନ୍ତି କୋଟି କୋଟି ଟଙ୍କା

୪ ରାଜ୍ୟର ୧୨ ସ୍ଥାନରେ ଚଢ଼ଉ, ୧୫୦ ଅଧିକାରୀ ସାମିଲ୍
ଅମାପ ସମ୍ପତ୍ତି ଠାବ, ଓଡ଼ିଶା ଇତିହାସରେ ପ୍ରଥମ
ଭୁବନେଶ୍ୱରରେ ଆଲିସାନ୍ ଫ୍ଲାଟ୍‌, ନଗଦ ୫୦ ଲକ୍ଷ ଜବତ
ପୁନେରେ ଫାର୍ମ ହାଉସ୍‌, ପାଟନାରେ କୋଠା, ୪ ଦାମୀ କାର୍‌
ଲକ୍‌ଡାଉନ୍‌ ବେଳେ ଚାର୍ଟର ପ୍ଲେନ୍‌ରେ ବୁଲିଛନ୍ତି ୨୦ଥର

ଭୁବନେଶ୍ୱର : ପୁନେରେ ମାସିକ ପ୍ରାୟ ୫ଲକ୍ଷ ଟଙ୍କା ଲେଖାଏଁ ଭଡ଼ାରେ ନିଆଯାଇଥିଲା ଫ୍ଲାଟ୍ ଓ ଫାର୍ମ ହାଉସ୍। ସଂପର୍କୀୟ ନା’ରେ ରହିଛି ଭୁବନେଶ୍ବର ଘାଟିକିଆରେ ଆଲିସାନ୍ ଫ୍ଲାଟ୍। ସେ ଘରେ ଥିଲା ନଗଦ ୫୦ଲକ୍ଷ ଟଙ୍କା। ଘର ଗାଡ଼ି ପାର୍କିଂ ସ୍ଥଳରେ ଥିଲା ମସର୍ଡିଜ୍, ବିଏମ୍‌ଡବ୍ଲୁ, ହାରିଅର୍ ଭଳି କାର୍। ଲକ୍‌ଡାଉନ୍ ସମୟରେ ଯେତେବେଳେ ଲୋକେ ଜୀବନ ଜୀବିକାକୁ ନେଇ ସଂଘର୍ଷ କରୁଥିଲେ ସେବେ ସଂପୃକ୍ତ ବ୍ୟକ୍ତି ପରିବାର ସହ ଥରେ କି ଦୁଇଥର ନୁହେଁ, ୨୦ଥର ଚାର୍ଟର ପ୍ଲେନ (ଭଡ଼ା ବିମାନ)ରେ ବିଭିନ୍ନ ସ୍ଥାନକୁ ଭ୍ରମଣ କରିଛନ୍ତି। ସାଙ୍ଗରେ ବୁଲୁଥିଲେ ଦାମୀ ଦରମାରେ ନିୟୋଜିତ ଏକାଧିକ ଘରୋଇ ସିକ୍ୟୁରିଟି ଗାର୍ଡ।

ରାଜ୍ୟରେ ଏମିତି ସମ୍ଭ୍ରାନ୍ତ ଜୀବନଯାପନ କରୁଥିବା ବ୍ୟକ୍ତି ରାଜ୍ୟର କୌଣସି ବଡ଼ ଶିଳ୍ପପତି କିମ୍ବା ରାଜନେତା ନୁହନ୍ତି; ବରଂ ଜଣେ ସରକାରୀ ବାବୁ, ଯିଏକି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗରେ ଅତିରିକ୍ତ ପିସିସିଏଫ୍ ଭାବେ କାର୍ଯ୍ୟ କରୁଛନ୍ତି। ସେ ହେଉଛନ୍ତି ୧୯୮୭ ବ୍ୟାଚ୍ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ। ବନ ବିଭାଗର ଶୀର୍ଷ ପଦବିରେ ରହି ପାଠକ କିଭଳି କୋଟି କୋଟି ଟଙ୍କା ରୋଜଗାର କରି ଅୟସ ଜୀବନଯାପନ କରୁଥିଲେ ସେ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି ରାଜ୍ୟ ଭିଜିଲାନ୍ସ। ଯେତିକି ଅଧିକ ଖୋଳତାଡ଼ ହେଉଛି, ସେତିକି ଆଖି ଝଲସିବା ଭଳି ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଖୋଦ୍ ଅଧିକାରୀମାନେ କହୁଛନ୍ତି ଯେ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏଭଳି ଚଢ଼ଉ ପ୍ରଥମ ଘଟଣା। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଦେଶର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଥିବା ପରିପ୍ରେକ୍ଷୀରେ ଜବତ ସଂପତ୍ତିର ମୂଲ୍ୟ ଆକଳନ କରାଯାଇନାହିଁ। ଆଜି ଭିଜିଲାନ୍ସ ଅଧିକାରୀମାନେ ପାଠକଙ୍କୁ ନେଇ ଏକାଧିକ ଲକର୍ ଖୋଲିଛନ୍ତି ଓ ସଂପତ୍ତି ଆକଳନ ଚାଲିଛି। ସର୍ବଶେଷ ଖବର ଅନୁଯାୟୀ ଭିଜିଲାନ୍ସ ଅଭୟକାନ୍ତଙ୍କୁ ଗିରଫ କରି ଏବେ ପଚରାଉଚରା କରୁଛି।

ଅଭୟକାନ୍ତ ପାଠକ ସରକାରଙ୍କ ଜଙ୍ଗଲ ବିଭାଗର ବନୀକରଣ ଯୋଜନା ଦାୟିତ୍ବରେ ଅଛନ୍ତି। ତାଙ୍କ ନାମରେ ବିଭିନ୍ନ ସମୟରେ ଚାରା ଦୁର୍ନୀତି ନେଇ ଅଭିଯୋଗ ହୋଇ ଆସୁଥିଲା। ମାତ୍ର ଏହା ଉପରେ ଉପରିସ୍ଥ ଅଧିକାରୀ, ବିଭାଗୀୟ ସଚିବ ବା ଜଙ୍ଗଲ ମନ୍ତ୍ରୀ କେବେ କୌଣସି ପଦକ୍ଷେପ ନେଇନଥିଲେ। ଏବେ ପ୍ରଶ୍ନ ଉଠୁଛି, ଏତେ ବ୍ୟାପକ ସଂପତ୍ତିର ମାଲିକ ପାଠକ ହେଲେ କେମିତି? ଜଙ୍ଗଲ ଓ ପରିବେଶ ବିଭାଗର ବାବୁମାନେ ଏକଥା ଜାଣିପାରିଲେନି ନା ସବୁ ଜାଣି ନିରବ ଥିଲେ? ପାଠକଙ୍କ ସଂପତ୍ତି ଆହରଣ ପଛରେ ଆଉ କେଉଁ କେଉଁ କରିତକର୍ମା ବାବୁ, ନେତାମାନଙ୍କର ହାତ ଅଛି? ଏସବୁ ରାଧେ ରାଧେ ନ୍ୟାୟରେ ହୋଇନି ତ? ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ଏବେ ଏସବୁ ଉପରେ ତନାଘନା ଅପେକ୍ଷା କରୁଛି। କେବଳ ସେତିକି ନୁହେଁ, ଲୋକାୟୁକ୍ତ ନିଜ ଆଡୁ ମାମଲା ରୁଜୁ କରିବା ଦରକାର ବୋଲି ବିଶେଷଜ୍ଞମାନେ ମତ ରଖିଲେଣି। ଏହି ଗୋଟିଏ ଘଟଣା ସରକାରୀସ୍ତରରେ ସ୍ବଚ୍ଛତାକୁ ପଦାକୁ ଟାଣିଆଣିଛି।

ଉଲ୍ଲେଖଥାଉକି, ପାଠକଙ୍କ ଭଳି ଜଣେ ସରକାରୀ ଅଧିକାରୀ କିଭଳି ବାରମ୍ବାର ଚାର୍ଟର ପ୍ଲେନ୍ ବ୍ୟବହାର କରୁଛନ୍ତି, ତାହାକୁ ନେଇ ସନ୍ଦେହ କରିଥିଲେ କେନ୍ଦ୍ର ସରକାର। ଏ ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ରାଜ୍ୟ ସରକାରଙ୍କୁ ମଧ୍ୟ ଏହା ବିଚଳିତ କରିଥିଲା। ଏହା ଉପରେ ଅଧିକ ଅନୁଧ୍ୟାନ ଲାଗି ଭିଜିଲାନ୍ସକୁ କୁହାଯାଇଥିଲା। ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ନିର୍ଦେଶ କ୍ରମେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ କଟକ ଭିଜିଲାନ୍ସ ସେଲ୍‌, ଭବନେଶ୍ୱର ସେଲ୍‌, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌, ବାଲେଶ୍ୱର, ଜୟପୁର, ସମ୍ବଲପୁର ସମେତ ବିଭିନ୍ନ ଭିଜିଲାନ୍ସ କାର୍ଯ୍ୟାଳୟର ବଛା ବଛା ଅଫିସର ଓ କର୍ମଚାରୀଙ୍କୁ ନେଇ ୧୫୦ ଅଧିକାରୀ ୧୨ଟି ଟିମ୍‌ରେ ବିଭକ୍ତ ହୋଇଥିଲେ। ଭୁବନେଶ୍ବରରେ ଥିବା ଦପ୍ତର ଓ ଘର ସମେତ ୫ଟି ସ୍ଥାନ ଏବଂ ମହାରାଷ୍ଟ୍ରର ପୁନେ, ମୁମ୍ବାଇର ୬ଟି ସ୍ଥାନ ସହିତ ତାଙ୍କର ବିହାରରେ ଥିବା ପୈତୃକ ଘରେ ଆଜି ଚଢ଼ଉ ଆରମ୍ଭ ହୋଇଥିଲା।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ଅଭୟକାନ୍ତଙ୍କ ଭୁବନେଶ୍ୱର ୟୁନିଟ୍‌-୯ସ୍ଥିତ ସରକାରୀ ବାସଭବନ, ଖଣ୍ଡଗିରି ଘାଟିକିଆସ୍ଥିତ ଭିପୁଲ୍‌ ଗାର୍ଡେନ୍‌ରେ ଥିବା ୮ ହଜାର ବର୍ଗଫୁଟ୍‌ର ଆଲିସାନ୍ ଫ୍ଲାଟ୍‌, ପିପିଲିରେ ଥିବା ଡ୍ରାଇଭର ଘର, ବିହାର ଖଗରିଆରେ ପୈତୃକ ଘର, ପୁନେ କୋରେଗାଓଁରେ ଭଡ଼ା ନିଆଯାଇଥିବା ଫ୍ଲାଟ୍‌ ଓ ଫାର୍ମ ହାଉସ୍‌ ଆଦି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ସେହିଭଳି ରାଜସ୍ଥାନ ଉଦୟପୁର ପ୍ୟାଲେସ୍‌ରେ ମଧ୍ୟ ଚଢ଼ଉ କରାଯାଇଛି। ସେଠାରେ ତାଙ୍କ ପୁଅ ବିବାହ ଭୋଜି ପାଇଁ ଆୟୋଜନ ହେଉଥିଲା। ରାଜ୍ୟର ଶାସକ ଦଳର ଜଣେ ବରିଷ୍ଠ ନେତାଙ୍କ ଝିଅ ସହିତ ତାଙ୍କର ବିବାହ ଭୋଜି ସେଠାରେ ହୋଇଥାନ୍ତା।

ଏହି ଚଢଉ ସମୟରେ ଭିପୁଲ ଗାର୍ଡେନ୍‌ରେ ରହୁଥିବା ତାଙ୍କ ପୁତୁରା(ଦନ୍ତ ଚିକିତ୍ସକ)ଙ୍କ ଘରୁ ମିଳିଥିଲା ନଗଦ ୫୦ ଲକ୍ଷ ଟଙ୍କା। ଅଭୟକାନ୍ତଙ୍କ ସରକାରୀ ବାସଭବନରୁ ନଗଦ ୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡିଛି। ସେହିପରି ପୁନେ କୋରେଗାଓଁରେ ପୁଅ ଆକାଶ ଏକ ଫ୍ଲାଟ୍ ଭଡାରେ ନେଇ ଫାର୍ମ ହାଉସ୍ ଚଳାଉଥିଲେ। ଭୁବନେଶ୍ବର ବିବେକାନନ୍ଦ ମାର୍ଗରେ ଥିବା ଏକ ଫ୍ଲାଟ୍‌ରେ ତିନି ପ୍ରକୋଷ୍ଠ ବିଶିଷ୍ଟ ଘର, ଯାହା ଭଡ଼ାରେ ଲାଗିଥିବା ବିଳମ୍ବିତ ରାତିରେ ଜଣାପଡ଼ିଛି।

ତେବେ ଭିପୁଲ ଗାର୍ଡେନସ୍ଥିତ ଫ୍ଲାଟ୍‌ରେ ଲାଗିଥିବା ଦାମୀ ଟାଇଲ୍‌, ପଂଚତାରକା ହୋଟେଲ ଭଳି ସାଜସଜ୍ଜା, ଶାଗୁଆନ୍, ଶାଳ, ପିଆଶାଳ ଭଳି କାଠରେ ହୋଇଥିବା ଆଭ୍ୟନ୍ତରୀଣ ସାଜସଜ୍ଜା, ଦାମୀ ଲାଇଟ୍‌, ବିଭିନ୍ନ ମୂର୍ତି ଆଦିରେ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଛି। ସେସବୁର ହିସାବ ଶେଷ ହୋଇନାହିଁ। ବିହାର ପାଟନାରେ ଥିବା କୋଠା, ଏକାଧିକ ଲକର୍‌, ବ୍ୟାଙ୍କ ଆକାଉଣ୍ଟ, ବୀମା ପଲିସି ମଧ୍ୟ ମିଳିଛି। ଠାବ ସମ୍ପତ୍ତିର ତାଲିକା ଏତେ ଲମ୍ବା ହୋଇ ଗଲାଣି ଯେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଅର୍ଥ ବିଶେଷଜ୍ଞଙ୍କର ସହାୟତା ନେବାକୁ ବାଧ୍ୟ ହୋଇଛି ଭିଜିଲାନ୍ସ। ସେହିଭଳି ଏକାଧିକ ବେନାମୀ ସମ୍ପତିର ଦସ୍ତାବିଜ୍ ଭିଜିଲାନ୍ସ ହାତରେ ଲାଗିଛି।

ତେବେ ଚାଞ୍ଚଲ୍ୟକର ତଥ୍ୟ ହେଲା ଅଭିଯୁକ୍ତ ପାଠକ ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱରରୁ ପୁଣେ, ପାଟନା, ଦିଲ୍ଲୀ, ମୁମ୍ବାଇ, ରାଜସ୍ଥାନ, ବେଙ୍ଗାଲୁରୁ ଭଳି ସହରକୁ ସପରିବାର ୨୦ଥର ଭଡ଼ା କରି ଘରୋଇ ଫ୍ଲାଇଟ୍‌ରେ ଭ୍ରମଣ କରିଛନ୍ତି। କଳିଙ୍ଗ ଏରୋ ଆଣ୍ଡ ଆଲାଏଡ୍ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡର ଚାର୍ଟାର୍ଡ ଫ୍ଲାଇଟ୍‌ରେ ବୁଲିଛନ୍ତି ବୋଲି ଟିକେଟ୍‌ ସବୁ ଭିଜିଲାନ୍‌ସ ହାତରେ ଲାଗିଛିା ଏ ବାବଦରେ ବିମାନ ଭଡ଼ା ୧୨ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରାଯାଇଛି। ଭୁବନେଶ୍ୱରରୁ ପୁନେ ଯାଇଥିବା ଏକ ବିମାନ ଟିକେଟ୍‌ରୁ ଜଣାପଡିଛି ଏହି ଗସ୍ତରେ ଅଭୟକାନ୍ତ ପାଠକ, ପୁଷ୍ପ ପାଠକ, ଜୁହି ପାଠକ, ରତନ ସାହୁ, ଜୁମ୍ରିତ ଖାନ୍ ଓ ଆଭାନ ଝା ଯାଇଛନ୍ତି। ସେହିଭଳି ସେ ଆମେରିକା, ଇଟାଲି, ଅଷ୍ଟ୍ରେଲିଆ, ଫ୍ରାନ୍ସ ସମେତ ବିଭିନ୍ନ ଦେଶ ବୁଲିଥିବା ମଧ୍ୟ ଜଣାପଡ଼ିଛି। ତେଣୁ ବିମାନ ଟିକେଟ୍‌ ବାବଦରେ ସେ ବିପୁଳ ଅର୍ଥ ଖର୍ଚ୍ଚ କରିଥିବା ଆକଳନ କରାଯାଇଛି।

ଭିଜିଲାନ୍‌ସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ ପୂର୍ବରୁ ଭିଜିଲାନ୍ସ ଅଧିକାରୀମାନେ କୌଣସି ଅଧିକାରୀଙ୍କର ଏତେ ସମ୍ପତ୍ତି ଦେଖି ନ ଥିଲେ। ବଡ଼ କଥା ହେଉଛି ପୁଅ ଆକାଶ କୁମାର ପାଠକ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରି କଲେଜରୁ ବି ଟେକ୍ ପାସ କରିବା ପରେ ପୁନେରେ ଏକ ଆପାର୍ଟମେଣ୍ଟରେ ରହି ଏକ ଫାର୍ମ ହାଉସ୍ ଚଳାଉଥିଲେ ଓ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ବହୁ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର