ଇଡି ଖୋଲିବ ପାଠକ ପେଡ଼ି: ଆଇଏଫ୍‌ଏସ୍‌ ଅଭୟକାନ୍ତଙ୍କୁ ୧୨ ଘଣ୍ଟା ଜେରା

ପୁଅର ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା ୯.୪ କୋଟି, ବିଦେଶ ବୁଲା, ହୋଟେଲରେ ବିପୁଳ ଖର୍ଚ୍ଚ ସମ୍ପର୍କରେ ବି ଖୋଳତାଡ଼

ଭୁବନେଶ୍ବର: ଆୟ ବହିର୍ଭୂତ ବିପୁଳ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଥିବା ଚର୍ଚ୍ଚିତ ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ଆଜି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମାରାଥନ ଜେରା କରିଛି। ଆଜି ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିବା ସହ ଏକାଧିକ ଦିଗକୁ ନେଇ ଖୋଳତାଡ଼ କରିଛି। ଭିଜିଲାନ୍ସ ଠାବ କରିଥିବା ପୁଅ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯.୪ କୋଟି ଟଙ୍କା, ବିପୁଳ ସୁନା ଅଳଙ୍କାର, ପୁଣେରେ ମାସିକ ୧ ଲକ୍ଷ ଟଙ୍କା ଭଡ଼ାରେ ଫ୍ଲାଟ୍ ନେବା, ହୋଟେଲ ତାଜ୍ ପ୍ୟାଲେସରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା, ଆକାଶଙ୍କ ବିବାହ ପାଇଁ ରାଜସ୍ଥାନ ଉଦୟପୁରସ୍ଥିତ ତାଜ୍ ଲେକ୍ ପ୍ୟାଲେସରେ ୨୦ ଲକ୍ଷ ଟଙ୍କାର ବୁକିଂ କରିବା ଏବଂ ଆମେରିକା, ୟୁଏଇ, ମାଲେସିଆ, ମାଳଦ୍ବୀପ, ହଂକଂ ଆଦି ଦେଶ ବୁଲିବା ଘଟଣା ପଛର ସତ ଜାଣିବାକୁ ଚେଷ୍ଟା କରିଛି।

ଶ୍ରୀ ପାଠକଙ୍କର ଦରମା, ଆୟ ଓ ବ୍ୟୟ ସମ୍ପର୍କରେ ଖୋଳତାଡ଼ କରିଛି। ସେ ଏତେ ଟଙ୍କା ଖର୍ଚ୍ଚ କେମିତି କଲେ, ସେହି ଅର୍ଥ କେଉଁଠୁ ଆସିଲା ତାହାକୁ ନେଇ ଜେରା କରିଛି ଇଡି। ଜେରା ଶେଷ ହେବା ପରେ ଶ୍ରୀ ପାଠକ ଇଡି ଅଫିସରୁ ବାହାରି ଗଣମାଧ୍ୟମକୁ କହିଛନ୍ତି ସେ ତାଙ୍କର ଆୟ, ବ୍ୟୟ, ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ପୂର୍ବରୁ ଇଡି ନିକଟରେ ତଥ୍ୟ ଦାଖଲ କରିସାରିଛନ୍ତି। ଜେରା ବେଳେ ତଦନ୍ତକାରୀ ଟିମ୍ ଯେଉଁ ତଥ୍ୟ ମାଗିଲା ସେ ସବୁ ଦାଖଲ କରିଛନ୍ତି। ତାଙ୍କ ପୁଅ ସମ୍ପର୍କରେ ମଧ୍ୟ ତଦନ୍ତକାରୀ ଅଧିକାରୀମାନେ କିଛି ପଚାରିଥିଲେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଆକାଉଣ୍ଟରେ କୋଟିକୋଟି ନଗଦ ଟଙ୍କା ଜମା ହେବା କଥାକୁ ସେ ଅସ୍ବୀକାର କରିଛନ୍ତି। ଇଡି ଯାହା ତଥ୍ୟ ମାଗିବ ସେ ଦାଖଲ କରିବେ ଓ ତଦନ୍ତରେ ସହଯୋଗ କରିବେ ଏବଂ ମାମଲାର ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ନଭେମ୍ବର ୨୬ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପାଠକଙ୍କ ବିଭିନ୍ନ ଘର ଓ ଅଫିସ ଉପରେ ଚଢ଼ଉ କରି ବିପୁଳ ସମ୍ପତ୍ତିର ସନ୍ଧାନ ପାଇଥିଲା। ଏହାପରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସହିତ ଅଭୟକାନ୍ତଙ୍କ ଭାବି ସମୁଦି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଗିରଫ ହୋଇ ଜେଲ ଯାଇଥିଲେ। ଭିଜିଲାନ୍ସ ସୁପାରିସ୍ ଆଧାରରେ ଇଡି ଏବେ ଅଭୟକାନ୍ତଙ୍କ ଆର୍ଥିକ କାରବାରର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର