ତିନି ଆଡ଼ୁ ଘେରିଲେ; ପ୍ରଦୀପ-ପାଠକ ସହଯୋଗୀଙ୍କ ନିଦ ହଜିଲାଣି

ଇଡି ଜାଲରେ ବିଧାୟକ
ଟଙ୍କା ଦିଆନିଆ କରିଥିବା ବ୍ୟକ୍ତିଙ୍କୁ ସମନ ହେବ
ଆକାଶକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ଆଇଏଫ୍ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନର୍‌ରେ ଆସିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତ ୪ ମାସ ଭିତରେ ପ୍ରଦୀପଙ୍କ ଗୋଟିଏ ଆକାଉଣ୍ଟରେ ୨ କୋଟି ୬୪ ଲକ୍ଷ ଟଙ୍କାର କାରବାର ଘଟଣାର ତଦନ୍ତ କରିବ ଇଡି। ଚାକିରି ଠକେଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚଠାରୁ ଆଜି ଇଡି ସମସ୍ତ କାଗଜପତ୍ର, ଏତଲାର ନକଲ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ନେଇଛି।

ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁମାନଙ୍କ ଆକାଉଣ୍ଟରୁ ଟଙ୍କା ଆସିଛି ଓ ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି, ସେମାନେ ସମସ୍ତଙ୍କୁ ତଦନ୍ତ ପରିସରକୁ ନିଆଯିବ। ସମସ୍ତ ପକ୍ଷଙ୍କୁ ନୋଟିସ୍‌ କରାଯାଇ ଜଣ ଜଣ କରି ଜେରା କରାଯିବ।

ଆକାଉଣ୍ଟଗୁଡିକ ପ୍ରାରମ୍ଭିକ ଅନୁଧ୍ୟାନ କରି ଇଡି କହିଛି ଯେ ପେଟ୍ରୋଲ ପମ୍ପ, ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ, ମଦ ବ୍ୟବସାୟୀଙ୍କ ଆକାଉଣ୍ଟ୍‌ରୁ ପ୍ରଦୀପଙ୍କ ଆକାଉଣ୍ଟ୍‌କୁ କୋଟି କୋଟି ଟଙ୍କା ଆସିଥିବା ଜଣାପଡ଼ିଛି। ଏବଂ ତତ୍କାଳ ଏସବୁ ଆକାଶ ପାଠକଙ୍କ ଆକାଉଣ୍ଟକୁ ଯାଇଛି। ଏହା ହିଁ ସୂଚାଉଛି ଯେ ମନି ଲଣ୍ଡରିଂ ହୋଇଛି। ବିପୁଳ ପରିମାଣର କାରବାର ହୋଇଥିବାରୁ ଏହି ଆଧାରରେ ତଦନ୍ତ କରାଯିବ।

କେବଳ ସେତିକି ନୁହେଁ, ପ୍ରଦୀପଙ୍କ ଭାବୀ ଜ୍ବାଇଁ ଆକାଶ ପାଠକ ଓ ବାପା ଆଇଏଫ୍ଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକଙ୍କୁ ତଦନ୍ତ ପରିସରକୁ ନେଇଛି ଇଡି। ସେମାନଙ୍କ ଆକାଉଣ୍ଟରେ ମଧ୍ୟ କୋଟି କୋଟି ଟଙ୍କାର କାରବାର ହୋଇଛି। କେଉଁ ସୂତ୍ରରୁ ହଠାତ୍ ଏତେ ଟଙ୍କା ଆସିଲା, ତାହା ଅନୁଧ୍ୟାନ କରିବା ପୂର୍ବରୁ କାରବାରରେ ସାମିଲ ଥିବା ବ୍ୟାଙ୍କ ଅଧିକାରୀଙ୍କୁ ନୋଟିସ୍ ଜାରି କରାଯିବ।

ଏକାସଙ୍ଗରେ କ୍ରାଇମବ୍ରାଞ୍ଚ, ଅନ୍ୟପଟେ ଇଡି ଓ ଭିଜିଲାନ୍ସ ଏସ୍‌ଆଇଟି ଟିମ୍ ତନାଘନା ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ ଏବେ ରାଜନୈତିକ ମହଲ ଠାରୁ ଆରମ୍ଭ କରି ପ୍ରଦୀପଙ୍କ ସମର୍ଥକ, ବ୍ୟବସାୟ ଗୋଷ୍ଠୀ, ବ୍ୟାଙ୍କ କର୍ତ୍ତୃପକ୍ଷ ଓ ବନ ବିଭାଗର କିଛି ଅଧିକାରୀ ଆତଙ୍କିତ ହୋଇପଡ଼ିଲେଣି। କାହାକୁ କେଉଁଠୁ କେଉଁଦିନ ନୋଟିସ ଆସିବ, ତାହା ସେମାନେ ଅନୁମାନ ଲଗାଇପାରୁନାହାନ୍ତି।

କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟାଟା ମୋଟର୍ସ ଚାକିରି ନାଁରେ ହୋଇଥିବା ଠକେଇ ମାମଲାରେ ସାଂଘାତିକ ତଥ୍ୟ ଏବେ ସେମାନଙ୍କ ହାତରେ ଲାଗିଛି। ଅଭିଯୋଗକାରୀଙ୍କର ବୟାନ ରେକର୍ଡ କରାଯିବା ବେଳେ ଚାକିରି ପାଇଁ ଟଙ୍କା ଦିଆଯାଇଥିବାର କାଗଜପତ୍ର ସେମାନଙ୍କଠାରୁ ତଦନ୍ତକାରୀ ଅଧିକାରୀ ଜବତ କରିଛନ୍ତି। ଏହି କ୍ରମରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମଧ୍ୟ ଅନେକ ତଥ୍ୟ ଆସିଛି। ଏଣୁ ସବୁ ତଥ୍ୟର ମେଳକ ଲାଗି ପ୍ରଦୀପଙ୍କୁ ରିମାଣ୍ଡରେ ଆଣିବା ଲାଗି କ୍ରାଇମବ୍ରାଞ୍ଚ ଯୋଜନା ଆରମ୍ଭ କରିଛି। ତେବେ ଏହା ପୂର୍ବରୁ ସେମାନେ ଏହି ଠକେଇର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଆକାଶ ପାଠକକୁ ରିମାଣ୍ଡରେ ଆଣିବେ। ଏଣୁ ଏ ନେଇ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆଜି ଆବେଦନ କରାଯାଇଛି।

ଏବେ ଆକାଶ ଭିଜିଲାନ୍ସ ରିମାଣ୍ଡ୍‌ରେ ରହିଛି। ଆସନ୍ତାକାଲି ତାର ତିନି ଦିନିଆ ରିମାଣ୍ଡ୍‌ ଅବଧି ଶେଷ ହେବ। ସୋମବାର କ୍ରାଇମବ୍ରାଞ୍ଚ ଆବେଦନ ଉପରେ ଶୁଣାଣି ହୋଇପାରେ ବୋଲି ଜଣାପଡ଼ିଛି। ସେହିଭଳି ପ୍ରଦୀପଙ୍କୁ ରିମାଣ୍ଡ୍‌ରେ ଆଣିବା ପାଇଁ ମଧ୍ୟ ସୋମବାର ତଦନ୍ତକାରୀ ଟିମ୍ ଆବେଦନ କରିବ। ବଡ଼ ସୂଚନା ହେଉଛି, ଏହି ଠକେଇରେ ଉଭୟ ପ୍ରଦୀପ ଓ ଆକାଶଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତିର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବାରୁ ସେମାନଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର