ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହେଲେ ଆଇଏଫଏସ୍ ଅଭୟକାନ୍ତ, ପୁଅ ଆକାଶ

ଭୁବନେଶ୍ବର : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁତ୍ର ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ ତିନିଦିନ ହେଲା ଅଭୟକାନ୍ତଙ୍କର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଘର, ଫାର୍ମ ହାଉସ୍ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ସଂପତ୍ତି ଯାଞ୍ଚ କରିଥିଲା। ଆଜି ଭିଜିଲାନ୍ସ ଅଭୟକାନ୍ତ, ଆକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏବଂ ତାଙ୍କ ପୁତୁରା ଓ ଡ୍ରାଇଭରକୁ ଅଧିକ ପଚରାଉଚରା ଲାଗି ଅଟକ ରଖିଛି। ବାପ-ପୁଅଙ୍କୁ ଭୁବନେଶ୍ବରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ରିମାଣ୍ଡରେ ନେବାଲାଗି ଆବେଦନ କରାଯାଇଛି।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଅଭ୍ୟକାନ୍ତଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କଠାରୁ ଯେଉଁ ସମ୍ପତ୍ତି ଜବତ ହୋଇଥିଲା, ତାରା ତାଲିକା ବେଶ ଲମ୍ବା ଥିଲା । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା ନଗଦ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଥିଲା ।

ବଡ କଥା ହେଲା ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଂଟରେ ୯.୪ କୋଟି ଟଙ୍କା ଜମା ହୋଇଛି । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି ୮.୪ କୋଟି ଟଙ୍କା । ଅଧିକାଂଶ ଟଙ୍କା ଭୁବନେଶ୍ୱରର ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମରେ ଜମାହୋଇଛି । ପୁଅ ଆକାଶ ନାଁରେ ମର୍ସିଡେଜ, ବିଏମଡବ୍ଲୁ, ଟାଟା ହାରିୟର ଭଳି ୩ଟି ଦାମୀ ଗାଡି ରହିଛି। ସେହିପରି ୩ଟି ୟାମାହା ଏଫଜେଡଏସ ମୋଟରସାଇକେଲ ମଧ୍ୟ ଆକାଶ ନାଁରେ ରହିଛି ।

ଏହାପରେ ଭିଜିଲାନ୍ସ ପଞ୍ଝାରେ ପଡିଥିଲେ ଆକାଶ । ଆକାଶଙ୍କୁ ପୁନେରୁ ଫ୍ଲାଇଟ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ପରେ ଧନ ସମ୍ପତ୍ତି ନେଇ ଖୋଳତାଡ କରିଥିଲା ଭିଜିଲାନ୍ସ । ପରେ ଅଭୟକାନ୍ତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ କିଛି ବି ଠକେଇ ହୋଇନି । ସବୁ ଠିକ ଅଛି, ତାଙ୍କ ପୁଅର ମାସିକ ଦରମା କୋଟିଏ ଟଙ୍କା ।

ସମ୍ବନ୍ଧିତ ଖବର