ପାଠକଙ୍କ ପଛରେ ବଡ଼ବଡ଼ିଆ

ପାଠକ ପରିବାର ସହ ଆକାଶରେ ଉଡ଼ୁଥିଲେ ପ୍ରଦୀପ ପାଣିଗ୍ରାହୀ, ଜେରା ପାଇଁ ୫ ଜଣଙ୍କୁ ନୋଟିସ୍

ଲକ୍‌ଡାଉନରେ ବୁଲୁଥିଲେ ଅଭୟକାନ୍ତ, କିଏ ଛୁଟି ଦେଇଥିଲେ?
କୋଟି କୋଟି ଟଙ୍କା କାରବାର ନେଇ ସନ୍ଦେହ ଘେରରେ ବ୍ୟାଙ୍କ
ତାଲିକା ତିଆରି କଲା ଏସ୍‌ଆଇଟି, ଖୁବ୍‌ଶୀଘ୍ର ଜେରା ହୋଇପାରେ

ଭୁବନେଶ୍ୱର : ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ସିଣ୍ଡିକେଟ୍ ସହ ଯୋଡ଼ି ହୋଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। କିନ୍ତୁ ଅଫିସର-ନେତା-ମାଫିଆଙ୍କୁ ନେଇ ତିଆରି ହୋଇଥିବା ଏହି ସିଣ୍ଡିକେଟ୍ କେତେ ଗଭୀର, ତାହାର ଖୋଳତାଡ଼ କରୁ କରୁ ଭିଜିଲାନ୍ସ ଏସ୍‌ଆଇଟି(ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ହାତରେ ଲାଗିଛି ପୁଳା ପୁଳା ଦସ୍ତାବିଜ୍। ଚାର୍ଟର ବିମାନ ବୁକିଂ ଠାରୁ ଆରମ୍ଭ କରି, ବ୍ୟାଙ୍କରେ କୋଟି କୋଟି ଟଙ୍କାର କାରବାର, ଦାମୀ ଗାଡ଼ି କିଣା, ଆସବାବପତ୍ର, ହୋଟେଲ ବିଲ୍, ଆପାର୍ଟମେଣ୍ଟ ଫ୍ଲାଟ୍ ଓ ଫାର୍ମ ହାଉସ୍ ଭଡ଼ା, ଟାଟା ମୋଟର୍ସ ନାଁରେ ଆଶାୟୀ ପ୍ରାର୍ଥୀଙ୍କୁ ଦିଆ ଯାଇଥିବା ଜାଲ୍ ନିଯୁକ୍ତି ପତ୍ର ଭଳି ଦସ୍ତାବିଜକୁ ଧରି ଖୋଳତାଡ଼ ଆରମ୍ଭ କରିଛନ୍ତି ତଦନ୍ତକାରୀ ଟିମ୍। ଏତେ ବଡ଼ କଳା ସାମ୍ରାଜ୍ୟରେ ବାପ ପୁଅଙ୍କ ଛଡ଼ା ଆହୁରି ଅନେକ ପ୍ରଭାବଶାଳୀ ମାଫିଆଙ୍କ ହାତ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ପାଠକ ପରିବାର ସହ ଜଡ଼ିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଭିଜିଲାନ୍ସ ସ୍କାନରକୁ ଚାଲି ଆସିଛନ୍ତି। ଗୋପାଳପୁର ନିର୍ବାଚନମଣ୍ଡଳୀର ବେକାର ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରାଯାଇଥିବା ଭିଜିଲାନ୍ସ ହାତରେ କିଛି ତଥ୍ୟ ଲାଗିଛି। ପ୍ରାୟ ୬୮ ଜଣ ଠକାମିର ଶିକାର ହୋଇଥିବା ଜଣାପଡ଼ିଛି।

ଆକାଶଙ୍କୁ ଟାଟା ମୋଟର୍ସର ଉଚ୍ଚ ପଦାଧିକାରୀ ଦର୍ଶାଇଥିଲେ ପ୍ରଦୀପ। ତାଙ୍କୁ ଖୁବଶୀଘ୍ର ଭିଜିଲାନ୍ସ ଜେରା କରିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

Tathya

ଭିଜିଲାନ୍ସ ଯେତିକି ଯେତିକି ମାମଲା ଭିତରକୁ ପଶୁଛି ସେତିକି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ଲକ୍‌ଡାଉନ୍ ବେଳେ କେବଳ ପାଠକ ପରିବାର ନୁହେଁ ତାଙ୍କ ସହ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ଲୋକ ମଧ୍ୟ ଅନେକ ଥର ଚାର୍ଟର ବିମାନରେ ବିଭିନ୍ନ ସ୍ଥାନ ବୁଲିଛନ୍ତି। ବିମାନ ଯାତ୍ରାର ବିବରଣୀ ତଦନ୍ତକାରୀ ଟିମ୍‌ ହାତରେ ଲାଗିବା ପରେ ଏହା ସ୍ପଷ୍ଟ ହୋଇଛି। ମୁମ୍ବାଇ, ଦିଲ୍ଲୀ, ପାଟଣା ଭଳି ଏକାଧିକ ସହରକୁ ଉଭୟ ପରିବାର ୫ ଥର ଗସ୍ତ କରିଥିବା ଜଣାପଡ଼ିଛି। ମିଳିଥିବା ଏକ ବିମାନ ବୁକିଂ ଯାତ୍ରୀଙ୍କ ତାଲିକାରୁ ଜଣାପଡ଼ିଛି, ଗତ ମାର୍ଚ୍ଚ ୨୮ରେ ପୁନେରୁ ଭୁବନେଶ୍ବର ଆସିଥିଲେ ଆକାଶ ପାଠକ, ଶ୍ରୁତି ପାଣିଗ୍ରାହୀ, ପ୍ରଦୀପ ପାଣିଗ୍ରାହୀ, ଚୁମିତ ନନ୍ଦନ ପତି, ଡେଭିଡ୍ ପିଟର, ଦିଲ୍ଲୀପ ମହାକୁଡ, କିରଣ ଗଙ୍ଗାଵାନେ, ଅନିଲ ମାନେ, ଅନିଲ ପତି ଓ ଧନୁର୍ଜୟ ରାଓ। ସେହିପରି ଅଗଷ୍ଟ ୨୩ରେ ପୁନେରୁ ଭୁବନେଶ୍ବର ଆଉ ଏକ ବିମାନ ଯାତ୍ରାରେ ଆକାଶ ପାଠକ, ଶ୍ରୁତି ପାଣିଗ୍ରାହୀ, ପ୍ରଦୀପ ପାଣିଗ୍ରାହୀ, ଡେଭିଡ ପିଟର୍ ଓ ନୀତିନ ଢୋଲେ ଯାତ୍ରା କରିଥିବାର ତାଲିକା ଲାଗିଛି ଭିଜିଲାନ୍ସ ହାତରେ। ସେହି ଆଧାରରେ ଧନୁର୍ଜୟ ରାଓଙ୍କୁ ଆଜି ପୁଲିସ ପଚରାଉଚରା କରୁଥିଲା। ଅନ୍ୟମାନଙ୍କ ସଂପର୍କରେ ତନାଘନା ଆରମ୍ଭ ହୋଇଛି।

ଯେତେବେଳେ ଲକ୍‌ଡାଉନରେ ସରକାରୀ କଳ କୋଭିଡ୍ ମୁକାବିଲାରେ ବ୍ୟସ୍ତ ଥିଲେ ସେତେବେଳେ କିନ୍ତୁ ଅଭୟକାନ୍ତ ଆକାଶରେ ବୁଲୁଥିଲେ। ଅଧିକାଂଶ ଯାତ୍ରା ସରକାରୀ କାର୍ଯ୍ୟ ଦିବସରେ ହୋଇଛି। ବୁଲିବାକୁ ଯିବା ପାଇଁ ଅଭୟକାନ୍ତ ସରକାରୀ ଅନୁମତି ନେଇଥିଲେ କି? ଯଦି ସେ ଅଫିସରେ ଅନୁପସ୍ଥିତ ରହୁଥିଲେ ତା’ହେଲେ ତାଙ୍କ ଉପରିସ୍ଥ ଅଧିକାରୀମାନେ କାହିଁକି ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଉ ନ ଥିଲେ? ଅୟସ ଆରାମ ଜୀବନ ବିଷୟରେ ଅବଗତ ଥାଇ ମଧ୍ୟ ବିଭାଗୀୟ ଅଧିକାରୀମାନେ ଚୁ୍ପ୍ ରହୁଥିଲେ କି? ପାଠକଙ୍କ ଦୁର୍ନୀତିର ପେଡ଼ିକୁ ଘଣ୍ଟ ଘୋଡ଼ାଉଥିଲେ କି? ଏ ସବୁ ଦିଗ ଭିଜିଲାନ୍ସର ତଦନ୍ତ ପରିସରକୁ ଆସିଛି। ଅଭୟଙ୍କ ସହ ଯେଉଁମାନଙ୍କର ଲିଙ୍କ୍ ବାହାରିବ କିମ୍ବା ସମ୍ପୃକ୍ତି ସାମ୍ନାକୁ ଆସିବ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଯେଉଁ ଟ୍ରାଭେଲ ଏଜେନ୍ସି ଜରିଆରେ ଚାର୍ଟର ବିମାନ ବୁକିଂ କରାଯାଇଛି ସମ୍ପୃକ୍ତ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି। କିଏ ଏହି ବିମାନ ବୁକିଂ କରିଥିଲେ? ଟ୍ରାଭେଲ୍ସ ସଂସ୍ଥାକୁ କେମିତି ଟଙ୍କା ଦିଆଯାଇଥିଲା? ବୁକିଂ ଅର୍ଥ କେଉଁଠୁ ଆସିଥିଲା? ତାହାର ମଧ୍ୟ ଛାନଭିନ୍ ଆରମ୍ଭ କରିଛି ଭିଜିଲାନ୍ସ। ବିମାନ ବୁଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାରୁ ଆୟ ବହିର୍ଭୂତ ମାମଲା ପାଇଁ ତଥ୍ୟ ପ୍ରମାଣ ବେଶ୍ ସହାୟକ ହେବ।

ମିଳିଥିବା ସୂଚନା ଅନୁସାରେ, ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ୯ କୋଟିରୁ ଅଧିକ ଟଙ୍କା ଜମା ହୋଇଛି ତାହା ଗତ ଦେଢ଼ ବର୍ଷ ଭିତରେ କାରବାର ହୋଇଛି। ଭୁବନେଶ୍ବର, ବ୍ରହ୍ମପୁରରେ ଏକାଧିକ ବ୍ୟାଙ୍କରେ କୋଟି କୋଟି ଟଙ୍କା ଜମା କରାଯାଇଛି। ଏହା କୌଣସି ସଂସ୍ଥାର ଦରମା ମଧ୍ୟ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ସବୁ ଟଙ୍କା ନଗଦ ଜମା କରାଯାଇଛି। ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ଜମା ହୋଇଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ କେମିତି ଜାଣିପାରୁ ନ ଥିଲେ? ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଏତେ ଟଙ୍କା ଜମା ହୋଇଥିବା ନେଇ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଆୟକର ବିଭାଗକୁ ଅବଗତ କରାଇଥିଲେ କି? ନା ପାଠକଙ୍କ ସହ ଲିଙ୍କରେ ରହିଥିଲେ କିଛି ବ୍ୟାଙ୍କ ଅଧିକାରୀ? ଏ ଦିଗକୁ ମଧ୍ୟ ତଦନ୍ତ ପରିସରକୁ ନେଇ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ। ଜଙ୍ଗଲ ବିଭାଗ ଅଧିକାରୀ, ବ୍ୟାଙ୍କ ଅଧିକାରୀ, ସହଯୋଗୀ, ପାଠକ ପରିବାର ସହ ଅର୍ଥ କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ସ୍କାନରକୁ ନେଇଛି ଭିଜିଲାନ୍ସ। ଖୁବଶୀଘ୍ର ସେମାନଙ୍କୁ ନୋଟିସ୍ କରାଯାଇ ଜେରା କରାଯିବ ବୋଲି ସୂଚନା ମିଳିଛି।

ଜେରା ପାଇଁ ୫ ଜଣଙ୍କୁ ନୋଟିସ୍
ଭୁବନେଶ୍ୱର : ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ, ପୁଅ ଆକାଶ ଏବଂ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସିଣ୍ଡିକେଟର ରହସ୍ୟ ଉନ୍ମୋଚନ ପାଇଁ ତନାଘନା ଆରମ୍ଭ କରିଛି ଭିଜିଲାନ୍ସର ଏସ୍ଆଇଟି। କୋଟି କୋଟି ଟଙ୍କାର ବ୍ୟାଙ୍କ ଜମା ଏବଂ ଚାର୍ଟର ବିମାନ ଭ୍ରମଣର ତଥ୍ୟ ପ୍ରମାଣ ସଂଗ୍ରହ କରିବ ଟିମ୍। ବ୍ୟାଙ୍କ ଅଧିକାରୀ ଏବଂ ଚାର୍ଟର ବିମାନ ବୁକ୍ କରିଥିବା ଟ୍ରାଭେଲ୍ସ ଏଜେନ୍ସିର ଅଧିକାରୀଙ୍କୁ ଜେରା ପାଇଁ ତଦନ୍ତକାରୀ ଟିମ୍ ନୋଟିସ୍ କରିଛି। ସିଆରପିସି ଧାରା-୧୬୦ ଅନୁସାରେ ଏହି ନୋଟିସ୍ କରାଯାଇଛି। ଆକାଶଙ୍କର ଆକାଉଣ୍ଟ ଥିବା ଭୁବନେଶ୍ବର ଓ ବ୍ରହ୍ମପୁରର ତିନି ବ୍ୟାଙ୍କ ଅଧିକାରୀ ଏବଂ ଭୁବନେଶ୍ବର, ଦିଲ୍ଲୀର ଦୁଇ ଜଣ ଟ୍ରାଭେଲ ଏଜେନ୍ସି କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରାଯାଇଛି। ମଙ୍ଗଳବାର ଠାରୁ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର